ପଞ୍ଜାବ : ବାଣ କାରଖାନାରେ ବିସ୍ଫୋରଣ, ୧୨ ମୃତ

ଗୁରୁଦାସପୁର : ପଞ୍ଜାବର ଗୁରୁଦାସପୁରସ୍ଥିତ ବାଟାଲାଠାରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇ ଅତିକମରେ ୧୩ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ସୂଚନା ମିଳିଛି । ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ଦେବଙ୍କ ବିବାହ ବାର୍ଷିକି ପାଳନ ଉତ୍ସବରେ ଏସବୁ ବାଣ ବ୍ୟବହାର ହୋଇଥାନ୍ତା । ବିସ୍ଫୋରଣ ହେବାପରେ ସଂପୃକ୍ତ ଘରଟି ମାଟିରେ ମିଶିଯାଇଛି । ସରକାରୀଭାବେ ମୃତ୍ୟୁ ସଂଖ୍ୟା ୧୨ ବୋଲି କୁହାଯାଉଥିଲେ ମଧ୍ୟ ପ୍ରକୃତ ମୃତ୍ୟୁସଂଖ୍ୟା ୧୫ରୁ ଅଧିକ ହେବ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି । ବିସ୍ଫୋରଣ ସ୍ଥଳରେ ଏବେ ବି ପ୍ରାୟ ୫୦ରୁ ଅଧିକ ଲୋକ ଫସିରହିଛନ୍ତି ।

ଘଟଣାସ୍ଥଳରେ ଗୁରୁଦାସପୁରର ଜିଲ୍ଲାପାଳ ବିପୁଳ ଉଜ୍ଜଳ ଓ ଏସଏସପି ଉପିନ୍ଦରଜିତ ସିଂ ଗୁମାନ ପହଞ୍ଚି ସ୍ଥିତିର ଆକଳନ କରିଛନ୍ତି । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଲାଗି ସ୍ଥାନୀୟ ପ୍ରଶାସନ, ଗୁରୁଦାସପୁର ଓ ଅମୃତସରରୁ ଆମ୍ବୁଲାନ୍ସ ଓ ଦମକଳ ଗାଡି ପହଞ୍ଚିଛି । ଏବେ ବି ଧ୍ୱଂସ ସ୍ତୁପ ତଳେ ମୃତଦେହ ଫସିରହିଥିବା ଜଣାଯାଇଛି । ତେବେ ଘଟଣାସ୍ଥଳରେ ପ୍ରବଳ ଜନସମାଗମ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧାସୃୃଷ୍ଟିହୋଇଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର