ବାଣ କାରଖାନାରେ ବିସ୍ଫୋରଣ, ୧୫ ମୃତ

ପ୍ରଧାନମନ୍ତ୍ରୀଙ୍କ ଶୋକ, ମୃତକଙ୍କ ପରିବାରକୁ ୫ ଲକ୍ଷ ସହାୟତା

ଚେନ୍ନାଇ : ତାମିଲନାଡ଼ୁର ବିରୁଧୁନଗରରେ ଆଜି ଅପରାହ୍ନରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିବାରୁ ୧୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ୨୨ ଜଣଙ୍କୁ ଶିବାକାଶୀ ଓ ସତ୍ତୁର ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଆଜି ଅପରାହ୍ନ ୧ଟା ୪୫ ବେଳେ କାରଖାନାରେ ପ୍ରଥମ ବିସ୍ଫୋରଣ ହୋଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ କାରଖାନା ଭିତରେ ବିସ୍ଫୋରଣ ପ୍ରକ୍ରିୟା ଚାଲିଥିଲା। ସନ୍ତୁର, ଶିବକାଶୀ ଏବଂ ବେମ୍ବକୋଟ୍ଟଇରୁ ୩୦ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲେ ହେଁ ନିଆଁକୁ ଆୟତ୍ତ କରିବାରେ ବିଳମ୍ବ ହୋଇଥିଲା। ବାଣ ତିଆରି ହେଉଥିବା ଚାରିଟି ବଡ଼ ବଡ଼ ସେଡ୍‌ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ବାଣ ତିଆରି କରିବା ପାଇଁ କେମିକାଲ୍‌ ମିଶ୍ରଣ ସମୟରେ ବିସ୍ଫୋରଣ ହୋଇଛି ବୋଲି ପୁଲିସ କହିଛି। ଏହି ଘରୋଇ ବାଣ କାରାଖାନା ଅତ୍ୟନ୍ତ ଅସୁରକ୍ଷିତ ଅବସ୍ଥାରେ ଥିଲା ବୋଲି ସ୍ଥାନୀୟ ଲୋକଙ୍କ ସୂତ୍ରରୁ ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପୀଡ଼ିତ ପରିବାରଙ୍କୁ ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଏବଂ ଆହତମାନଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଇ ପଲାନିସ୍ବାମୀ ମୃତକଙ୍କ ପରିବାର ପାଇଁ ୩ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର