ଥାନେ: ଥାନେଠାରେ ବୁଧବାର ଏକ ଛୋଟ ଧରଣର ବିସ୍ଫୋରଣ ହୋଇଯାଇଛି। ଜଣେ ଅଜଣା ବ୍ୟକ୍ତି ଏକ ପ୍ଲାଷ୍ଟିକ୍‌ ବଲ୍‌ରେ ବିସ୍ଫୋରକ ଭରି ଫୋପାଡ଼ିବା ପରେ ଏହି ବିସ୍ଫୋରଣ ଘଟିଛି ବୋଲି ଜାଣିବାକୁ ମିଳିଛି। ଏଏନ୍‌ଆଇ କରିଥିବା ଏକ ଟୁଇଟ୍‌ ମୁତାବକ, ଏହି ଘଟଣାଟି ସକାଳ ୧୦ଟା ସମୟରେ ଥାନେ ଜିଲ୍ଲାର କାଶ୍ମୀରା ରୋଡ୍‌ ଅଞ୍ଚଳର ମୀରା ରୋଡ୍‌ରେ ଘଟିଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ବିସ୍ଫୋରଣ ଘଟିବା ପରେ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ପୁଲିସ୍‌କୁ ଘଟଣାସ୍ଥଳରୁ ପ୍ଲାଷ୍ଟିକ୍‌ ବୋତଲ୍‌, ମେଟାଲ୍‌ ବଲ୍‌ ମିଳିଥିଲା।

Advertisment

ସକାଳେ ଘଟଣା ଘଟିବା ପରେ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ ଏହା ଏକ ଛୋଟ ବିସ୍ଫୋରଣ। ହେଲେ ଏହି ବିସ୍ଫୋରଣ ପଛରେ ଥିବା ବିସ୍ଫୋରକର ଉଦେଶ୍ୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏହି ଘଟଣାର ତଦନ୍ତ ପୁଲିସ୍‌ ଜାରି ରଖିଛି।

ଏ ସଂପର୍କରେ ଥାନେ ଏସ୍‌ପି ସୂଚନା ଦେଇ କହିଛନ୍ତି ଯେ ବୋମା ବିସ୍ଫୋରଣ ହୋଇଥିବା ଖବର ହସ୍ତଗତ ହେବା ପରେ ଘଟଣାସ୍ଥଳରେ ତୁରନ୍ତ ଯାଇ ବୋମା ଚିହ୍ନଟ ଓ ନିସ୍କ୍ରିୟକାରୀ ସ୍କ୍ଵାଡ୍‌ ଉପସ୍ଥିତ ହୋଇଥିଲେ। ଆତଙ୍କୀ ବିରୋଧୀ ସ୍କ୍ଵାଡ୍‌ ବି ପହଞ୍ଚିଥିଲେ ସେଠାରେ।