ମାଙ୍ଗାଲୁରୁ :  କର୍ଣ୍ଣାଟକର ମାଙ୍ଗାଲୁରୁ ସହରରେ ଶନିବାରଦିନ ଏକ ରହସ୍ୟମୟ ଘଟଣା ଘଟିଛି । ଏକ ଅଟୋରିକ୍ସାରେ ଲୋକମାନେ ଯାଉଥିବାବେଳେ ହଠାତ ସେଥିରେ ବିସ୍ଫୋରଣ ହୋଇଥିଲା । କେଉଁ କାରଣରୁ ବିସ୍ଫୋରଣ ହେଲା ସେ ସମ୍ପର୍କରେ ପୁଲିସ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହିଁ । ଏହି ଘଟଣାରେ ଡ୍ରାଇଭର ଓ ଜଣେ ଯାତ୍ରୀ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

Advertisment

ମାଙ୍ଗାଲୁରୁ ପୋଲିସ ମୁଖ୍ୟ ଏନ ଶଶୀକୁମାର କହିଛନ୍ତି ଯେ ଘଟଣାର ତଦନ୍ତ ଚାଲିଛି, କିନ୍ତୁ ଏହାକୁ ନେଇ ଲୋକମାନେ ଭୟଭୀତ ହେବା ଉଚିତ୍ ନୁହେଁ । ତେବେ ଅଟୋରେ ଯାଉଥିବା ଜଣେ ବ୍ୟକ୍ତି ଏକ ପ୍ଲାଷ୍ଟିକ ବ୍ୟାଗରେ କିଛି ସାମଗ୍ରୀ ନେଇଯାଉଥିଲା । ସେଥିରୁ ନିଆଁ ଲାଗି ଅଟୋକୁ ବ୍ୟାପିଯାଇଥିଲା । ବ୍ୟାଗରେ କେଉଁ ସାମଗ୍ରୀ ଥିଲା ତାହାର ତଦନ୍ତ ଚାଲିଛି ।

"ତଦନ୍ତ ଚାଲିଥିବାରୁ ଆଗୁଆ କୌଣସି ସିଦ୍ଧାନ୍ତରେ ପହଞ୍ଚିବା ଠିକ ହେବ ନାହିଁ । ଡ୍ରାଇଭର କହୁଛି ଯେ ଯେ ସେ ନିଆଁକୁ ଦେଖିଥିଲା । ସେମାନେ (ଡ୍ରାଇଭର ଏବଂ ଯାତ୍ରୀ) ଚିକିତ୍ସିତ ହେଉଛନ୍ତି ଏବଂ ବର୍ତ୍ତମାନ କହିବାକୁ ଅସମର୍ଥ। ଗୁଜବ ପ୍ରଚାର ନକରିବାକୁ ଆମେ ଜନସାଧାରଣଙ୍କୁ ଅନୁରୋଧ କରୁଛୁ । ସେମାନେ ଶାନ୍ତ ରହିବା ଉଚିତ୍ ଏବଂ ଭୟଭୀତ ହେବା ଉଚିତ୍ ନୁହେଁ । ଆମେ ସେମାନଙ୍କ ସହ କଥା ହେବା ପରେ ଆମେ ଅଧିକ ସୂଚନା ଦେବୁ ବୋଲି ଶଶୀକୁମାର କହିଛନ୍ତି ।

ତେବେ ସିସିଟିଭି ଭିଡିଓରୁ ଜଣାପଡ଼ୁଛି  ଯେ ଅଟୋରିକ୍ସା ଏକ ରାସ୍ତାରେ ଏବଂ ଏକ କୋଠା ନିକଟରେ ଅଟକିବା ପରେ ବିସ୍ଫୋରଣ ହେଉଛି ଯେଉଁଠାରେ ନିର୍ମାଣ କାର୍ଯ୍ୟ ଚାଲିଥିଲା ।