ଗୁଜୁରାଟ ରାସାୟନିକ କାରଖାନାରେ ପ୍ରଚଣ୍ଡ ବିସ୍ଫୋରଣ, ୭ ଆହତ (ଭିଡିଓ ଦେଖନ୍ତୁ)

ଭଦୋଦରା : ଗୁଜୁରାଟର ଭଦୋଦରା ସହରର ନନ୍ଦେସାରିଠାରେ ଥିବା ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ହୋଇ ଭୀଷଣ ନିଆଁ ଲାଗିଥିବା ଖବର ହସ୍ତଗତ ହୋଇଛି । ଏହି ଘଟଣାରେ ୭ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ଜଣାଯାଇଛି ।

ମିଳିଥିବା ସୂଚନା ଅନୁସାରେ ନନ୍ଦେସାରି ଶିଳ୍ପାଞ୍ଚଳଠାରେ ଥିବା ଦୀପକ୍ ନାଇଟ୍ରାଇଟ କାରଖାନାରେ ଏକ ବଡ଼ ବିସ୍ଫୋରଣ ପରେ ନିଆଁ ଲାଗିଯାଇଥିଲା । ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ ତାହା ଅନେକ ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା ।

 

ଖବର ପାଇଁ ଆଖପାଖରେ ଥିବା ଦମକଳ ବାହିନୀର ଗାଡ଼ିଗୁଡ଼ିକ ନିଆଁ ଲିଭାଇବା ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଆହତମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ କାରଖାନାରେ ଏବେ ବି କିଛି ଲୋକ ଫସିରହିଥିବା କୁହାଯାଉଛି ।

ଏ ସମ୍ପର୍କରେ କମ୍ପାନି ପକ୍ଷରୁ କୁହାଯାଇଛି ଯେ ସ୍ଥିତି ଉପରେ ନିୟମିତ ନଜର ରଖାଯାଇଛି । କର୍ମଚାରୀମାନଙ୍କ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ଦିଆଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ କମ୍ପାନିର କର୍ମଚାରୀମାନେ ପ୍ରଶାସନକୁ ସହଯୋଗ କରୁଛନ୍ତି ।

ଏହି କାରଖାନା ନିକଟରେ କେତେକ ଆବାସିକ ଅଂଚଳ ଥିବାରୁ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ବିଶେଷକରି ପ୍ରଚଣ୍ଡ ବିସ୍ଫୋରଣ ଯୋଗୁଁ ଲୋକମାନେ ଡରିଯାଇଥିଲେ । ପ୍ରଶାସନ ଓ ପୁଲିସ ପକ୍ଷରୁ ଘଟଣାସ୍ଥଳକୁ ସିଲ କରିଦିଆଯିବା ସହ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରାଯାଉଛି ।

ସମ୍ବନ୍ଧିତ ଖବର