ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ଆନକାପଲ୍ଲୀ ଜିଲ୍ଲାର କୋଟୁରତଲା ମଣ୍ଡଳ ଅନ୍ତର୍ଗତ କୈଳାସପାଟନମ୍ ଗ୍ରାମରେ ଏକ ବାଣ ତିଆରି କାରଖାନାରେ ଆଜି ପ୍ରଚଣ୍ଡ ବିସ୍ଫୋରଣ ଘଟି ୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୭ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ରବିବାର ଅପରାହ୍ନରେ ବାଣ ତିଆରି ଚାଲିଥିବା ସମୟରେ ଏହାର ଏକ ଗୋଦାମରେ ନିଆଁ ଲାଗିଯାଇଥିଲା ଏବଂ ମାତ୍ର କିଛି ମିନିଟ୍ ମଧ୍ୟରେ ପ୍ରଚଣ୍ଡ ବିସ୍ଫୋରଣରେ ପୂରା କାରଖାନା ଧ୍ବଂସ ହୋଇଯାଇଥିଲା।

Advertisment

ବିପୁଳ ପରିମାଣର ବାଣ ମହଜୁଦ ଥିବା ଏକ କୋଠାରୀରେ ପ୍ରଥମେ ନିଆଁ ଲାଗିଥିଲା ଏବଂ ଏହା ସଂଲଗ୍ନ ଅନ୍ୟ ଏକ ହଲ୍‌ରେ ମୋଟ ୧୫ ଜଣ ଶ୍ରମିକ ବାଣ ତିଆରିରେ ନିୟୋଜିତ ଥିଲେ। ତୁହାକୁ ତୁହା ବିସ୍ଫୋରଣ ଯୋଗୁଁ ଶ୍ରମିକମାନେ ବାହାରକୁ ବାହାରି ପାରିନଥିଲେ  ମୃତକମାନେ ହେଲେ ଦାଦି ରାମଲକ୍ଷ୍ମୀ, ପୁରମ୍ ପାପା, ଗୁମ୍ପିନା ବେଣୁ, ସେନାପତି ବାବୁରାଓ, ମନୋହର, ଦେବରା ନିରାମାଲା, ଅପ୍ପିକୋଣ୍ଡା ଥାଥାବାବୁ ଓ ସଙ୍ଗାରି ଗୋବିନ୍ଦୁ। ଏହି ଘଟଣାର ସମସ୍ତ ମୃତକ କାକିନାଡ଼ା ଜିଲ୍ଲାର ସମରଲାକୋଟା ଅଞ୍ଚଳର ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ପହଞ୍ଚିଥିବା ପୁଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ମୃତକଙ୍କୁ ଉଦ୍ଧାର କରିଛନ୍ତି। ଏହି ଘଟଣାରେ କିଛି ଲୋକ ଗୁରୁତର ଭାବେ ଜଳିଯାଇଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ପୁଲିସ ଆଶଙ୍କା କରୁଛି।

ବିସ୍ଫୋରଣର ପ୍ରକୃତ କାରଣ ପୁଲିସ ଏପର୍ଯ୍ୟନ୍ତ ଜାଣି ପାରିନାହିଁ ଏବଂ ଏହା ବେଆଇନ ବାଣ କାରାଖାନା ଥିଲା କି ନାହିଁ ସେ ନେଇ ତଦନ୍ତ ଜାରି ରଖିଛି। ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଏହି କାରଖାନା ବିସ୍ଫୋରଣ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। ଜିଲ୍ଲାପାଳ, ପୁଲିସ ଅଧୀକ୍ଷକ ଓ ଗୃହମନ୍ତ୍ରୀ ସହ  ଘଟଣା ସମ୍ପର୍କରେ ଆଲୋଚନା କରିବା ସହ ଜରୁରୀ ପଦକ୍ଷେପ ଗ୍ରହଣ କରବାକୁ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୫ ମସିହାରେ ଆନକାପଲ୍ଲୀ ଜିଲ୍ଲାର ଏସ୍ ରାୟବରମ୍ ମଣ୍ଡଳର ଗୋକୁଳାପାଡ଼ୁଠାରେ ଥିବା ବାଣ କାରଖାନାରେ ବିସ୍ଫୋରଣ ଘଟି ୩ ଜଣ ମହିଳାଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୬ ଜଣ ଆହତ ହୋଇଥିଲେ।