ପାକିସ୍ତାନର କରାଚିରେ ଥିବା ଚୀନ୍‌ କନ୍‌ସୁଲେଟ୍‌ ନିକଟରେ ଗୁଳିଗୋଳା ବିସ୍ଫୋରଣ; ଦୁଇ ପୁଲିସ , ତିନି ଆକ୍ରମଣକାରୀ ନିହତ

ନୂଆଦିଲ୍ଲୀ: ଶୁକ୍ରବାର ସକାଳେ ପାକସ୍ତାନର କରାଚିସ୍ଥିତ ଚୀନ୍‌ କନ୍‌ସୁଲେଟ୍‌ ନିକଟରେ ଗୁଳିଗୋଳା ଫୁଟିଥିବାର ଶବ୍ଦ ଶୁଭିଛି। ସକାଳ ପ୍ରାୟ ସାଢ଼େ ନଅଟା ବେଳେ ଫୁଟିଥିବା ଗୁଳିଗୋଳା କନ୍‌ସୁଲେଟ୍‌ ଉପରେ ଏକ ଆକ୍ରମଣ ବୋଲି ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

ତିନି ଚାରି ଜଣ ସନ୍ଦିଗ୍ଧ ଆତଙ୍କବାଦୀ ଚୀନ କନ୍‌ସୁଲେଟ୍‌ ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିବା କଥା କୁହାଯାଉଛି।

ସନ୍ଦିଗ୍ଧ ଆତଙ୍କ ଆକ୍ରମଣରେ ଦୁଇ ଜଣ ପୁଲିସ ନିହତ ହୋଇଛନ୍ତି ଏବଂ ଅନ୍ୟ ଜଣେ ଆହତ ହୋଇଥିବା କଥା ଦକ୍ଷିଣ କରାଚିର ଡେପୁଟି ଇନ୍‌ସ୍‌ପେକ୍ଟର୍‌ ଜେନେରାଲ୍‌ କହିଛନ୍ତି।

ଆକ୍ରମଣରେ ତିନି ଜଣ ଆକ୍ରମଣକାରୀ ନିହତ ହୋଇଛନ୍ତି ଏବଂ ବିସ୍ଫୋରକ ସାମଗ୍ରୀ ଖଞ୍ଜା ଯାଇଥିବା ଏକ ଗଞ୍ଜି ବା ଭେଷ୍ଟ୍‍ ମଧ୍ୟ ସେଠାରୁ ଉଦ୍ଧାର କରାଯାଇଛି।

କରାଚିର କ୍ଲିଫ୍‌ଟନ୍‌ ଅଞ୍ଚଳରେ ଏଇ ଘଟନା ଘଟି ଯିବା ପରେ ପରେ ବହୁ ସଂଖ୍ୟକ ପୁଲିସ ଏବଂ ପାକିସ୍ତାନୀ ରେଞ୍ଜରମାନେ ଘଟନାସ୍ଥଳରେ ପହଞ୍ଚିଛନ୍ତି।

ଆକ୍ରମଣ ହୋଇଥିବା ଚୀନ୍‌ କନ୍‌ସୁଲେଟ୍‌ ମଧ୍ୟରେ ପୁଲିସ ପଶିଥିବା କଥା ଜଣେ ସ୍ଥାନୀୟ ସାମ୍ବାଦିକ ଟୁଇଟ୍‌ କରିଛନ୍ତି।

ସମ୍ବନ୍ଧିତ ଖବର