ଅମ୍ବାନିଙ୍କ ଘର ବାହାରେ ବିସ୍ଫୋରକ ମାମଲା: ଏନ୍‌କାଉଣ୍ଟର୍‌ ସ୍ପେସାଲିଷ୍ଟ ଭାଜେ ଏବେ ଖଳନାୟକ, ଗିରଫ ପରେ ନିଲମ୍ବିତ ହେଲେ

ନୂଆଦିଲ୍ଲୀ : ମୁକେଶ ଅମ୍ବାନୀଙ୍କ ମୁମ୍ବାଇ ସ୍ଥିତ ବାସଭବନ ବାହାରେ ବିସ୍ଫୋରକ ଜବତ ହୋଇଥିବା ମାମଲାରେ ଗିରଫ ମୁମ୍ବାଇ ପୁଲିସ ଅଫିସର୍‌ ସଚିନ ଭାଜେ ଆଜି ନିଲମ୍ବିତ ହୋଇଛନ୍ତି। ଗତ ଶନିବାର ବିଳମ୍ବିତ ରାତିରେ ଭା‌ଜେଙ୍କୁ ଏନ୍ଆଇଏ ଗିରଫ କରିଥିଲା ଏବଂ ଦୀର୍ଘ ୧୩ ଘଣ୍ଟା ଧରି ଜେରା କରିଥିଲା। ଏକଦା ଏନ୍‌କାଉଣ୍ଟର ସ୍ପେସାଲିଷ୍ଟ ଭାବେ ଚର୍ଚ୍ଚାରେ ରହୁଥିବା ଭାଜେ ଏବେ ଆଣ୍ଟିଲିଆ ମାମଲାରେ ଖଳନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ‌ ସ୍ବତନ୍ତ୍ର ଶାଖା ଏସିପି (ଅତିରିକ୍ତ ପୁଲିସ କମିସନର)ଙ୍କ ନିର୍ଦ୍ଦେଶ ଅନୁଯାୟୀ ଭାଜେଙ୍କୁ ନିଲମ୍ବନ କରାଯାଇଛି। ଭା‌ଜେ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏନ୍‌ଆଇଏ ହାଜତରେ ରହିବେ।

ଆଇପିସିର ଧାରା ୨୮୬, ୪୬୫, ୪୭୩ ଅଧୀନରେ ତାଙ୍କୁ ଗିରଫ କରାଯାଇଛି। ଉଲ୍ଲେଖଯୋଗ୍ୟ, ୧୯୯୦ ବ୍ୟାଚ୍‌ର ଏହି ଅଫିସର୍‌ ପୂର୍ବରୁ ୨୦୦୪ରେ ମଧ୍ୟ ଅନ୍ୟ ଏକ ମାମଲାରେ ନିଲମ୍ବିତ ହୋଇଥିଲେ। ୨୦୦୨ ଘଟକୋପୁର ବିସ୍ଫୋରଣ ସନ୍ଦିଗ୍ଧ ଖ୍ବାଜା ୟୁନୁସ୍‌ର ହାଜତ ମୃତ୍ୟୁ ମାମଲାରେ ତାଙ୍କର ବିବାଦୀୟ ଭୂମିକା ଥିବା ନେଇ ତାଙ୍କୁ ନିଲମ୍ବନ କରାଯାଇଥିଲା। ଦୀର୍ଘ ୧୬ ବର୍ଷ ଧରି ସେ ନିଲମ୍ବିତ ହେବାପରେ ପୁଣିଥରେ ତାଙ୍କୁ ଦାୟିତ୍ବକୁ ଫେରାଯାଇଥିଲା। କରୋନା ମହାମାରୀ ଯୋଗୁଁ କର୍ମଚାରୀଙ୍କୁ ସଂଖ୍ୟା କମିବାରୁ ତାଙ୍କୁ ପୁଣିଥରେ ଦାୟିତ୍ବରେ ପୁଲିସ ବାହିନୀରେ ସାମିଲ କରାଯାଇଥିଲା।

ଅନ୍ୟପକ୍ଷେ ସଚିନ ଭାଜେ ତାଙ୍କ ଗିରଫକୁ ବେଆଇନ କହିଛନ୍ତି। ତାଙ୍କ ଭାଇ ସୁଧର୍ମ ଭାଜେଙ୍କ ଦ୍ବ‌ାରା ସେ ବମ୍ବେ ହାଇକୋର୍ଟରେ ଏକ ହବିୟସ୍‌ କର୍ପ‌୍ସ ପିଟିସନ୍‌ କରିଛନ୍ତି। ସୁଧର୍ମଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଭାଇଙ୍କୁ କିଛି ରାଜନୈତିକ ନେତୃବୃନ୍ଦ ବଳିର ବୋଦା କରିଛନ୍ତି।

ସମ୍ବନ୍ଧିତ ଖବର