ସୀମାରେ ବିସ୍ଫୋରକ ସ୍ଥିତି : ଲଦାଖରେ ପୁଣି ଭାରତ-ଚୀନ୍‌ ମୁହାଁମୁହିଁ

ଉଭୟ ଦେଶ ପକ୍ଷରୁ ସେନା, ଯୁଦ୍ଧାସ୍ତ୍ର ମୁତୟନ

ନୂଆଦିଲ୍ଲୀ : ଭାରତ ଓ ଚୀନର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି। ଦୁଇ ଦିନିଆ ଲଦାଖ ଗସ୍ତରେ ଯାଇଥିବା ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଵଣେ ଶୁକ୍ରବାର ଏହି ସୂଚନା ଦେବା ସହିତ ଚିନ୍ତା ପ୍ରକଟ କରିଛନ୍ତି। ତେବେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସଂପୃକ୍ତ ଇଲାକାରେ ସୁରକ୍ଷା ବ୍ୟବସ୍ଥାକୁ ଯଥେଷ୍ଟ ବଢ଼ାଇବା ପାଇଁ ସେନା ପକ୍ଷରୁ ସତର୍କତାମୂଳକ ବନ୍ଦୋବସ୍ତ କରାଯାଇଛି ବୋଲି ସେ କହିଛନ୍ତି।

ଲଦାଖ ଅଞ୍ଚଳରେ ଉଭୟ ଭାରତ ଓ ଚୀନ ସେନାବାହିନୀ ପୁଣି ମୁହାଁମୁହିଁ ଅବସ୍ଥାରେ ଅଛନ୍ତି। ଉଭୟ ପକ୍ଷ ୧୦ ହଜାରରୁ ଅଧିକ ସୈନ୍ୟ ମୁତୟନ କରିବା ସହିତ ଭାରୀ ଯୁଦ୍ଧାସ୍ତ୍ର ମଧ୍ୟ ନିୟୋଜିତ କରିଛନ୍ତି। ଗତକିଛି ଦିନ ହେଲା ଚୀନ ପକ୍ଷରୁ ନିୟନ୍ତ୍ରଣ ରେଖାଠାରୁ ୨୦ କି‌େଲାମିଟର ଦୂରରେ ଟ୍ୟାଙ୍କ ସହିତ ଅଧିକ ସଂଖ୍ୟାରେ ସେନା ମୁତୟନ କରାଯାଉଛି। ମୁକାବିଲା ପାଇଁ ଭାରତ ମଧ୍ୟ ପ୍ରସ୍ତୁତ ହୋଇ ରହିଛି। ଭାରତ ପକ୍ଷରୁ ଏହି ଅଞ୍ଚଳକୁ ଅଧିକ ସଂଖ୍ୟାରେ ସେନା ଓ ଟ୍ୟାଙ୍କ ପଠାଯାଇଛି। ଜେନେରାଲ ନରୱଣେ ଗତକାଲିଠାରୁ ସ୍ଥିତିର ସମୀକ୍ଷା କରିବା ଲାଗି ଦୁଇ ଦିନିଆ ଲଦାଖ ଗସ୍ତ କରିଥିଲେ। ସେଠାରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଘାଟି ପରିଦର୍ଶନ କରିବା ସହ ଯବାନମାନଙ୍କ ତ୍ବରିତ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ। ସୀମା ବିବାଦର ସମାଧାନ ଆଲୋଚନା ମାଧ୍ୟମରେ ସଂପନ୍ନ ହୋଇପାରିବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି।

ସୀମାରେ ଉତ୍ତେଜନା ଲାଗି ରହିଥିବା ବେଳେ ଆଜି ମସ୍କୋରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଚୀନ ପ୍ରତିପକ୍ଷ ୱି ଫେଙ୍ଗିଙ୍କ ମଧ୍ୟରେ ଆଲୋଚନା ହୋଇଛି। ସାଂଘାଇ ସହଯୋଗ ସଂଘ ସମ୍ମିଳନୀରେ ଯୋଗଦେବା ପାଇଁ ‌ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଏବେ ମସ୍କୋ ଗସ୍ତରେ ଅଛନ୍ତି। ଜୁନ୍ ୧୫ ସଂଘର୍ଷ ପରେ ଦୁଇ ପକ୍ଷ ମଧ୍ୟରେ ଏହା ପ୍ରଥମ ମନ୍ତ୍ରୀସ୍ତରୀୟ ବୈଠକ। ପୂର୍ବରୁ ସୀମାରେ ଉତ୍ତେଜନା ସଂପର୍କରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ ତାହା ଟେଲିଫୋନ ବାର୍ତ୍ତାଳାପ ଥିଲା।

ସମ୍ବନ୍ଧିତ ଖବର