ଇମ୍ଫାଲ: ମଣିପୁରରେ କୁକି ଉଗ୍ରପନ୍ଥୀଙ୍କ ଆତଙ୍କରାଜ ବିରୋଧରେ ମୈତେୟୀ ସଂପ୍ରଦାୟର ଆନ୍ଦୋଳନ ବିସ୍ଫୋରକ ରୂପ ନେଇଛି। ଗତକାଲି ୬ ଜଣ ଅପହୃତଙ୍କୁ କୁକି ଉଗ୍ରପନ୍ଥୀ ହତ୍ୟା କରିବା ପରଠାରୁ ଇମ୍ଫାଲ ଉପତ୍ୟକା ଅଶାନ୍ତ ହୋଇପଡ଼ିଛି। ଆଜି ଆଉ ଜଣଙ୍କର ମୃତଦେହ ଠାବ ହେବା ପରେ ସ୍ଥିତି ଜଟିଳ ହୋଇଛି। କର୍ଫ୍ୟୁ ଭିତରେ ଆଜି ସ୍ଥିତି ନିୟନ୍ତ୍ରଣରେ ଥିଲେ ମଧ୍ୟ କେତେବେଳେ କିଭଳି ପରିସ୍ଥିତି ସୃଷ୍ଟି ହେବ କହି ହେଉନାହିଁ। ସମଗ୍ର ରାଜ୍ୟରେ ସଶସ୍ତ୍ର ଉଗ୍ରବାଦୀ ସଂଗଠନ ବିରୋଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଦାବି କରି ମଣିପୁରର ନାଗରିକ ସମାଜ ରାଜ୍ୟ ସରକାରଙ୍କୁ ୨୪ ଘଣ୍ଟିଆ ସମୟସୀମା ଦେଇଛନ୍ତି।
ଆସନ୍ତାକାଲି ସୁଦ୍ଧା ଏ ନେଇ ନିର୍ଣ୍ଣାୟକ ପଦକ୍ଷେପ ନିଆନଗଲେ ହିଂସାତ୍ମକ ଆନ୍ଦୋଳନ ଚାଲିବ ବୋଲି ଚେତାବନୀ ମିଳିଥିବାରୁ ସୁରକ୍ଷା ବାହିନୀ ହାଇଆଲର୍ଟରେ ରହିଛି। ମଣିପୁରରେ ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂହଙ୍କ ବାସଭବନରେ ଉତ୍ତ୍ୟକ୍ତ ଜନତା ପଶିବାକୁ ଉଦ୍ୟମ କରିବା ପରେ ସେଠାରେ ପୁଲିସ ସହ ସେମାନଙ୍କ ସଂଘର୍ଷ ହୋଇଥିଲା। ଆଜି ସିଆରପିଏଫ୍ ଡିଜି ଜରୁରୀ ମଣିପୁର ଗସ୍ତରେ ଆସି ସ୍ଥିତି ସମୀକ୍ଷା କରିଛନ୍ତି ଏବଂ ହିଂସାଗ୍ରସ୍ତ ଅଂଚଳରେ ସୁରକ୍ଷା କଡ଼ାକଡ଼ି କରିବା ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ତାଙ୍କର ମହାରାଷ୍ଟ୍ର କାର୍ଯ୍ୟକ୍ରମ ବାତିଲ୍ କରି ଦିଲ୍ଲୀ ଫେରିଛନ୍ତି ଏବଂ ମଣିପୁର ସ୍ଥିତି ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଏବଂ ଏ ବାବଦ ସମନ୍ବୟ ସଂପର୍କରେ ସମୀକ୍ଷା କରିଛନ୍ତି। ଶାହ ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ବୈଠକ କରିବା ପରେ ରାଜ୍ୟରେ ଶାନ୍ତି କାଏମ ରଖିବାକୁ କେତେକ ଜରୁରୀ ନିର୍ଦ୍ଦେଶ ଦେଇଛନ୍ତି।
‘ଆଫ୍ସ୍ପା’ ପ୍ରତ୍ୟାହାର ପ୍ରସ୍ତାବ
ସ୍ଥିତି ସମୀକ୍ଷା କଲେ ଅମିତ ଶାହ
ମଣିପୁରରେ ସିଆର୍ପିଏଫ୍ ଡିଜି
ମୈତେୟୀ ନାଗରିକ ଅଧିକାର ସଂଗଠନ ଏବଂ ମଣିପୁର ସମନ୍ୱୟ ସମିତିର ମୁଖପାତ୍ର ଖୁରାଇଜାମ୍ ଆଥୁବା କହିଛନ୍ତି, ରାଜ୍ୟର ସମସ୍ତ ପ୍ରତିନିଧି ଏକାଠି ବସି ଲୋକଙ୍କ ସୁରକ୍ଷା ସଙ୍କଟକୁ ଯଥାଶୀଘ୍ର ସମାଧାନ କରିବା ପାଇଁ ନିର୍ଣ୍ଣାୟକ ପଦକ୍ଷେପ ନେବା ଉଚିତ। ଯଦି ସେମାନେ ମଣିପୁରବାସୀଙ୍କ ସୁରକ୍ଷା ପାଇଁ କୌଣସି ନିଷ୍ପତ୍ତି ନ ନିଅନ୍ତି, ତା’ହେଲେ ଆଗକୁ ଭୟାନକ ଆନ୍ଦୋଳନର ସମ୍ମୁଖୀନ ହେବାକୁ ପଡ଼ିବ। ସମସ୍ତ ସଶସ୍ତ୍ର ଉଗ୍ରବାଦୀ ଗୋଷ୍ଠୀ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନାଗରିକ ସଂଗଠନ ଦାବି କରିବା ସହ ମଣିପୁର ସରକାରକୁ ଏଥିପାଇଁ ୨୪ ଘଣ୍ଟା ସମୟ ଦେଇଛି।
୬ଟି ଥାନା ଅଞ୍ଚଳରେ ‘ସଶସ୍ତ୍ର ବାହିନୀ ସ୍ବତନ୍ତ୍ର କ୍ଷମତା ଆଇନ’ (ଆଫସ୍ପା) ଲାଗୁ କରାଯିବାକୁ ମଧ୍ୟ କଡ଼ା ସମାଲୋଚନା କରାଯାଇଛି। ସୁରକ୍ଷା ବାହିନୀକୁ ବ୍ୟାପକ କ୍ଷମତା ପ୍ରଦାନ କରୁଥିବା ଏହି ଆଇନ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅବିଶ୍ୱାସ ଓ କ୍ରୋଧକୁ ଆହୁରି ଗଭୀର କରିଛି ବୋଲି ନାଗରିକ ସମାଜ ସଙ୍ଗଠନଗୁଡ଼ିକ ଯୁକ୍ତି ବାଢ଼ିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆଫସ୍ପା ପ୍ରତ୍ୟାହାର ପାଇଁ ଆଜି ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଣିପୁର ଗସ୍ତ କରି ବଢୁଥିବା ହିଂସାର ମୁକାବିଲା କରିବାକୁ ଦାବି କରିଛନ୍ତି। ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି, ନିକଟରେ ମଣିପୁରରେ ହିଂସାତ୍ମକ ସଂଘର୍ଷ ଏବଂ କ୍ରମାଗତ ରକ୍ତପାତ ଅତ୍ୟନ୍ତ ଦୁଃଖଦାୟକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/18/5XqvaU8A7EtYRX2YWWIf.jpg)