ଇସଲାମାବାଦ/କାବୁଲ: ପାକିସ୍ତାନ ଓ ଆଫଗାନିସ୍ତାନ ସୀମାରେ ଗତରାତିରେ ଭୀଷଣ ସଂଘର୍ଷକୁ ନେଇ ଉତ୍ତେଜନା ଚରମରେ ପହଞ୍ଚିଛି। ଡୁରାଣ୍ଡ ଲାଇନ୍ ନିକଟ ହେଲମଣ୍ଡ ପ୍ରଦେଶ ସୀମାରେ ତାଲିବାନ ବାହିନୀର ସାମରିକ ଅଭିଯାନରେ ୫୮ ପାକ୍‌ ସୈନିକ ନିହତ ହୋଇଥିବା ବେଳେ ପ୍ରାୟ ୨୦ରୁ ଅଧିକ ସାମରିକ ପୋଷ୍ଟ୍ ଛାରଖାର ହୋଇଯାଇଛି। ତେବେ ପାକ୍‌ ସେନା ୨୩ ଜଣ ପାକିସ୍ତାନୀ ସୈନିକ ପ୍ରାଣ ହରାଇଥିବା ସ୍ବୀକାର କରିଛି ଏବଂ ତାଲିବାନର ଦୁଇଶହ ସୈନ୍ୟ ନିହତ ହୋଇଥିବା ଦାବି କରିଛି। ଦୁଇ ଦେଶ ମଧ୍ୟରେ ଦୀର୍ଘଦିନର ସୀମା ବିବାଦ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପର ପରିଣାମ ଏବେ ଭୟାନକ ମୋଡ଼ରେ ପହଞ୍ଚିଥିବାରୁ ଭୂ-ରାଜନୈତିକ ଅସ୍ଥିରତା ବଢ଼ିବ ବୋଲି ଏସିଆ ବ୍ୟାପାର ବିଶେଷଜ୍ଞମାନେ ଚେତାଇ ଦେଇଛନ୍ତି। ତାଲିବାନ କହିଛି ଯେ  ପାକିସ୍ତାନ ସେନା ଆଫଗାନିସ୍ତାନର ସାର୍ବଭୌମତ୍ୱ ଉଲ୍ଲଙ୍ଘନ କରିଥିବାରୁ ଏହାର ଜବାବରେ ଆମେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ।

Advertisment

ଟିଟିପିକୁ ମୂଳପୋଛ କରିବାକୁ ପାକିସ୍ତାନର ଘୋଷଣା
୨୦୦ ତାଲିବାନ ସୈନ୍ୟ ନିହତ ହୋଇଥିବା ଦାବି 
ଆଗକୁ ଭୂ-ରାଜନୈତିକ ଅସ୍ଥିରତା ବଢ଼ିବ

ତାଲିବାନ ବାହିନୀ ଗତରାତିରେ ପ୍ରଥମେ ଭୀଷଣ ଗୁଳିଗୋଳା ମାଡ଼ କରି ପାକିସ୍ତାନର ତିନୋଟି ସୁରକ୍ଷା ପୋଷ୍ଟକୁ ନିଜ କବ୍‌ଜାକୁ ନେଇଥିଲା ଏବଂ ଏହାପରେ ଆକ୍ରମଣକୁ ବ୍ୟାପକ କରିଥିଲା। ଏହି ଅପରେସନ୍‌ ଅଙ୍ଗୁରଆଡ଼ା, ବଜାଉର୍‌, କୁରାମ୍, ଡିର୍, ଚିତ୍ରାଲ୍ (ଖାଇବର-ପଖ୍‌ତୁନଙ୍ଖା) ଏବଂ ବାରାମଚା (ବଲୁଚିସ୍ତାନ୍) ଆଦି ଅଞ୍ଚଳରେ ହୋଇଥିଲା। ପାକିସ୍ତାନୀ ଅଧିକାରୀମାନେ କହିଛନ୍ତି, ପାକ୍ ସେନାବାହିନୀ ଏହାର ଜବାବରେ ୧୯ଟି ଆଫଗାନ୍ ପୋଷ୍ଟ ଧ୍ୱଂସ କରିଛି ଏବଂ ୨୦୦ରୁ ଅଧିକ ଆଫଗାନ୍ ସୈନିକ ଓ ଟିଟିପି ଆତଙ୍କବାଦୀଙ୍କୁ ନିପାତ କରିଛି। ଟିଟିପିକୁ ମୂଳପୋଛ କରିବା ପାଇଁ ଆମ ଅଭିଯାନ ଜାରି ରହିବ ବୋଲି ପାକ୍‌ ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଆଫ୍‌ଗାନିସ୍ତାନ-ପାକିସ୍ତାନ ସଂଘର୍ଷ ଆଫଗାନ୍ ବୈଦେଶିକ ମନ୍ତ୍ରୀ ଅମୀର୍‌ ଖାନ୍ ମୁତ୍ତାକିଙ୍କର ଭାରତ ଗସ୍ତ  ସମୟରେ ହୋଇଥିବା ବେଳେ ଭାରତ ଏହା ଉପରେ ସତର୍କ ନଜର ରଖିଛି। ତାଲିବାନର କୂଟନୀତିକ ପ୍ରୟାସକୁ ନେଇ ଚୀନ୍‌ ବି ଚିନ୍ତାରେ ରହିଛି।