ନୂଆଦିଲ୍ଲୀ : ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ୨ ବର୍ଷ ପରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ସୁଶାନ୍ତଙ୍କ ମରଶରୀର ବ୍ୟବଚ୍ଛେଦ କରାଯାଇଥିବା ଶବ ଗୃହର କର୍ମଚାରୀ ରୁପକୁମାର ଶାହ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ସୁଶାନ୍ତଙ୍କ ମରଶରୀର ଦେଖିବାପରେ ଲାଗିଥିଲା ଯେ ସେ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି। ତାଙ୍କ ବେକର ୨ରୁ ୩ଟି ସ୍ଥାନରେ ଆଘାତ ଲାଗିଥିଲା। ତାଙ୍କୁ ପ୍ରବଳ ମାଡ଼ ମରାଯାଇଥିବାରୁ ତାଙ୍କ ହାତ ଏବଂ ଗୋଡ଼ ଭାଙ୍ଗି ଯାଇଥିବା ପରି ଦେଖାଯାଇଥିଲା।
ସୁଶାନ୍ତଙ୍କ ମୃତ୍ୟୁ ପରେ ୫ଟି ମରଶରୀର ବ୍ୟବଚ୍ଛେଦ ପାଇଁ ଅଣାଯାଇଥିଲା। ଆମକୁ କୁହାଯାଇଥିଲା ଏଥିରେ ଜଣେ ଭିଆଇପିଙ୍କ ଶରୀର ଅଛି। ଯେତେବେଳେ ମୁଁ ସୁଶାନ୍ତଙ୍କ ଶରୀର ଦେଖିଲି, ମୁଁ ମୋ ବରିଷ୍ଠ ମାନଙ୍କୁ କହିଲି ଯେ ଏହା ଆତ୍ମହତ୍ୟା ନୁହେଁ, ବରଂ ହତ୍ୟା। କିନ୍ତୁ ମତେ କୁହାଯାଇଥିଲା ମୁଁ ମୋ କାମ କରିବି। ମୋର କାମ ଥିଲା କେବଳ ଶରୀରକୁ କାଟିବା ଏବଂ ସିଲାଇ କରିବା। ସମଗ୍ର ବ୍ୟବଚ୍ଛେଦ ଭିଡିଓ ଗ୍ରାଫ୍ ହେବାର ଥିଲା। କିନ୍ତୁ ସୁଶାନ୍ତଙ୍କ ଶରୀର ବ୍ୟବଚ୍ଛେଦ ବେଳେ କେବଳ ଫଟୋ ନିଆଯାଇଥିଲା। ରାତିରେ ସୁଶାନ୍ତଙ୍କ ଶରୀର ବ୍ୟବଚ୍ଛେଦ କରାଯାଇଥିବା ସେ କହିଛନ୍ତି।