ନୂଆଦିଲ୍ଲୀ : ନଏଡ଼ାରେ ବେଆଇନ ଭାବେ ନିର୍ମାଣ ହୋଇଥିବା ୧୦୩ ମିଟରରୁ ଅଧିକ ଉଚ୍ଚତା ବିଶିଷ୍ଟ ସୁପରଟେକ୍‌ର ଟ୍ବିନ୍ ଟାୱାରକୁ ମୁମ୍ବାଇର ଏଡିଫାଇସ୍ ଇଞ୍ଜିନିୟରିଂ ଏବଂ ଦକ୍ଷିଣ ଆଫ୍ରିକାର ଜେଟ୍ ଡିମୋଲିସନ୍ସ ମିଶି କାର୍ଯ୍ୟକାରୀ କରିଛନ୍ତି। ନିୟନ୍ତ୍ରିତ ବିସ୍ଫୋରଣ ମାଧ୍ୟମରେ ଉକ୍ତ ଟାୱାର ଦୁଇଟିକୁ ଭଙ୍ଗାଯିବା ଭାରତ ଇତିହାସରେ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ବୋଲି ବିସ୍ଫୋରଣ ପାଇଁ ଉଦ୍ଦିଷ୍ଟ ସୁଇଚ୍ ଟିପିଥିବା ଏଡିଫାଇସ୍ ଇଞ୍ଜିନିୟରିଂର ଅଧିକାରୀ ଚେତନ ଦତ୍ତ କହିଛନ୍ତି। ଟାୱାର ଭାଙ୍ଗିବା କାର୍ଯ୍ୟ ୧୦୦ ପ୍ରତିଶତ ସଫଳ ବୋଲି ବୋଲି ବିସ୍ଫୋରଣ ପରେ ଦତ୍ତ ସାମ୍ବାଦିକମାନଙ୍କୁ କହିଛନ୍ତି।

Advertisment

ଦତ୍ତ କହିଛନ୍ତି, ବିସ୍ଫୋରଣ ପରେ ଦାୟିତ୍ବରେ ଥିବା ୪ ଜଣ ଅଧିକାରୀ ଘଟଣାସ୍ଥଳକୁ ଯାଇଥିଲୁ। ସେଠାରେ ଆମେ ଆଶ୍ବସ୍ତି ଓ ଖୁସିରେ ଆତ୍ମହରା ହୋଇ କାନ୍ଦି ପକାଇଥିଲୁ ବୋଲି ସେ କହିଛନ୍ତି। କିନ୍ତୁ ଅଟ୍ଟାଳିକା ଭାଙ୍ଗିବା ପାଇଁ ଯେତେବେଳେ ସତର୍କ ଘଣ୍ଟି ବା ସାଇରନ ବାଜିଲା ସେତେବେଳେ ଆମେ କେହି କାହାରି ସହିତ ଗୋଟିଏ ହେଲେ ଶବ୍ଦ କଥା ହୋଇ ନଥିଲୁ। ତାଙ୍କ ଟିମ୍‌ରେ ୧୦ ଜଣ ରହିଥିଲେ। ୭ ଜଣ ବିଦେଶୀ ବିଶେଷଜ୍ଞଙ୍କ ସହିତ ଏଡିଫାଇସ ଇଞ୍ଜିନିୟରିଂରେ ୨୦ରୁ ୨୫ ଜଣ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲେ ବୋଲି ସେ କହିଛନ୍ତି। ସୁଇଚ ଟିପିବା ପରେ ମୁଁ ମୁହଁ ଉଠାଇ ଟାୱାରକୁ ଦେଖିଥିଲି। ଯେତେବେଳେ ସବୁ ମାଟିରେ ମିଶିଯାଇଥିଲା ଏବଂ ଧୂଳି କମିବାକୁ ଅପେକ୍ଷା ନକରି ତୁରନ୍ତ ଆମେ ପାଖ ଘରଗୁଡ଼ିକର ଯାଞ୍ଚ ପାଇଁ ଯାଇଥିଲୁ।