ନୂଆଦିଲ୍ଲୀ : ରପ୍ତାନି କାରବାର ବଢ଼ାଇବା ଉପରେ ଭାରତ ଜୋର ଦେଉଥିବା ବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ଏସିଆ ଓ ଆଫ୍ରିକାର ବିଭିନ୍ନ ଦେଶକୁ ରପ୍ତାନି ହ୍ରାସ ପାଇଥିବା ଜଣାପଡ଼ିଛି। ରୁଷ୍-ୟୁକ୍ରେନ ଯୁଦ୍ଧ ଭଳି ଭୂ-ରାଜନୈତିକ ଅସ୍ଥିରତା ସତ୍ତ୍ବେ କିନ୍ତୁ ୟୁରୋପ ଓ ଆମେରିକାକୁ ଭାରତର ରପ୍ତାନି ବଢ଼ିଛି।
ବାଣିଜ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ ଚୀନ୍କୁ ରପ୍ତାନି ୨୭.୯ ପ୍ରତିଶତ, ହଂକଂକୁ ୯.୯ ପ୍ରତିଶତ, ଦକ୍ଷିଣ କୋରିଆକୁ ୧୭.୭ ପ୍ରତିଶତ, ଜାପାନକୁ ୧୧.୫ ପ୍ରତିଶତ ହ୍ରାସ ପାଇଛି। ଚୀନ୍ର କଠୋର କୋଭିଡ୍ ନୀତି ପାଇଁ ସେଠାକୁ ରପ୍ତାନି କମ୍ ହୋଇଥିବା ବେଳେ ହୀରା ଓ ପେଟ୍ରୋଲିୟମ୍ ସାମଗ୍ରୀ କମାଇବା କମ୍ କରିବାରୁ ଜାପାନ ଓ ଦକ୍ଷିଣ କୋରିଆକୁ ରପ୍ତାନି ହ୍ରାସ ପାଇଛି। ଏବେ ସେମାନେ ଏହି ସାମଗ୍ରୀକୁ ସିଧାସଳଖ ରୁଷ୍ରୁ କିଣୁଛନ୍ତି।
ଭାରତ ସର୍ବାଧିକ ରପ୍ତାନି ଆମେରିକାକୁ କରିଥିବା ବେଳେ ଦ୍ବିତୀୟ ସ୍ଥାନରେ ୟୁଏଇ ଓ ତୃତୀୟରେ ନେଦରଲ୍ୟାଣ୍ଡ୍ ରହିଛି। ନେଦରଲ୍ୟାଣ୍ଡ୍କୁ ଭାରତ ପେଟ୍ରୋଲିୟମ ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ, ରସାୟନ ଓ ଆଲୁମିନିୟମ ପଠାଇଛି। ଆମେରିକା, ହଂକଂ, ବାଂଲାଦେଶ ଓ ଜର୍ମାନିକୁ ଅତିକ୍ରମ କରି ନେଦରଲ୍ୟାଣ୍ଡ୍ ତୃତୀୟ ସ୍ଥାନରେ ପହଞ୍ଚିଛି।