ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସ ଆଜି ଏକ ବଡ଼ ଧରଣର ଅନ୍ତର୍ଜାତୀୟ ଡ୍ରଗ୍ ରୢାକେଟ୍ର ପର୍ଦ୍ଦାଫାସ କରିଛି। ଦିଲ୍ଲୀ ନିକଟସ୍ଥ ଫରିଦାବାଦ୍ର ଏକ ଘରୁ ୩୫୪ କିଲୋଗ୍ରାମ୍ର ହେରୋଇନ୍ ଜବତ ହୋଇଛି। ଏହାର ମୂଲ୍ୟ ୨୫୦୦ କୋଟିରୁ ଅଧିକ ହେବ। ଦିଲ୍ଲୀ ପୁଲିସ ସ୍ବତନ୍ତ୍ର ଶାଖାର ସ୍ବତନ୍ତ୍ର କମିସନର ନିରଜ ଠାକୁର କହିଛନ୍ତି, ସେମାନେ ଏକ ବଡ଼ ଧରଣର ଅନ୍ତର୍ଜାତୀୟ ଡ୍ରଗ୍ ରୢାକେଟ୍ର ପର୍ଦ୍ଦାଫାସ କରିଛନ୍ତି। ଉକ୍ତ ମାମଲାରେ ୪ ଜଣ ଗିରଫ ହୋଇଛନ୍ତି। ଜଣେ ଆଫଗାନ୍ ନାଗରିକ ହଜରତ ଅଲି, କାଶ୍ମୀରର ଅନନ୍ତନାଗ ବାସିନ୍ଦା ରିଜୱାନ୍ ଅହମଦ, ପଂଜାବର ଜଲନ୍ଧର ବାସିନ୍ଦା ଗୁରଜତ ସିଂହ ଏବଂ ଗୁରଦୀପ ସିଂହ ଗିରଫ ହୋଇଛନ୍ତି। ଏହି ଡ୍ରଗ୍ ରୢାକେଟ୍ ଆଫଗାନିସ୍ତାନ, ୟୁରୋପ୍ ଏବଂ ଭାରତର କିଛି ଅଂଶରେ ସକ୍ରିୟ ରହିଛନ୍ତି ବୋଲି କମିସନର କହିଛନ୍ତି। ହେରୋଇନ୍ ପାଇଁ ବ୍ୟବହୃତ ରସାୟନ ମଧ୍ୟ ୧୦୦ କେଜିରୁ ଅଧିକ ଜବତ ହୋଇଛି।
ତଦନ୍ତ ପ୍ରକ୍ରିୟାରୁ ଜଣାପଡ଼ିଛି ଯେ, ଏହି ଡ୍ରଗ୍ ରୢାକେଟ୍ ଅଖା ବ୍ୟାଗ୍ ଏବଂ କାର୍ଟୁନ୍ ଦ୍ବାରା ଇରାନ୍ର ଚବାହାର ବନ୍ଦରରୁ ଜବାହରଲାଲ୍ ନେହରୁ ବନ୍ଦର ଦେଇ ମହାରାଷ୍ଟ୍ରର ମୁମ୍ବାଇକୁ ନିଶାଦ୍ରବ୍ୟ ପଠାଉଥିଲେ। ଏହାପରେ ଏହି ନିଶାଦ୍ରବ୍ୟକୁ ମଧ୍ୟପ୍ରଦେଶର ଶିବପୁରୀ ସ୍ଥିତ ଏକ ଫ୍ୟାକ୍ଟ୍ରିକୁ ପ୍ରକ୍ରିୟାକରଣ ପାଇଁ ପଠାଯାଉଥିଲା। ଆଫଗାନିସ୍ତାନର ବିଶେଷଜ୍ଞଙ୍କ ସହାୟତାରେ ହେରୋଇନ୍ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ଦିଲ୍ଲୀ, ପଂଜାବ, ହରିୟାଣା, ରାଜସ୍ଥାନ ଏବଂ ଜମ୍ମୁ କାଶ୍ମୀରରେ ବ୍ୟାପକ ହେରୋଇନ୍ ବିକ୍ରି ହେଉଛି। ପଂଜାବରୁ ଗିରଫ ଅଭିଯୁକ୍ତ କହିଛନ୍ତି, ଏହି ରୢାକେଟ୍ ପଛର ମାଷ୍ଟରମାଇଣ୍ଡ୍ ପର୍ତ୍ତୁଗାଲ୍ରୁ ଏହି କାର୍ଯ୍ୟ ସଞ୍ଚାଳନ କରୁଛି। ଜାଣିବାକୁ ମିଳିଛି ଯେ, ରୢାକେଟ୍ ପାଇଁ କିଛି ପାଣ୍ଠି ପାକିସ୍ତାନରୁ ମଧ୍ୟ ଆସିଛି। ଏ ଦିଗରେ ମଧ୍ୟ ଅଧିକ ତଦନ୍ତ ଜାରି ରହିଛି ବୋଲି କମିସନର ଠାକୁର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/5647h64sf56h456fsfshhfsfhsfshfhs.jpg)