କାନପୁର: ଉତ୍ତରପ୍ରଦେଶ କାନପୁର ନଗର ଜିଲ୍ଲାର ଶିବରାଜପୁର ପୁଲିସ ଭିୱାନୀ ଅଭିମୁଖେ ଯାଉଥିବା କାଳିନ୍ଦୀ ଏକ୍ସପ୍ରେସ୍ (୧୪୧୧୭)କୁ ଲାଇନଚ୍ୟୁତ ଓ ବିସ୍ଫୋରଣ ଉଦ୍ୟମ କରିବା ଅଭିଯୋଗରେ ୧୨ ଜଣଙ୍କୁ ଅଟକ ରଖିଛି। ସୂଚନାଯୋଗ୍ୟ, ରବିବାର ରାତିରେ କାନପୁର-କାସଗଞ୍ଜ ମାର୍ଗରେ ବରରାଜପୁରରୁ ଉଟ୍ରିପୁରା ମଧ୍ୟରେ ରେଳ ଧାରଣାରେ ରଖାଯାଇଥିବା ଏକ ଏଲ୍ପିଜି-ଭର୍ତ୍ତି ଗ୍ୟାସ ସିଲିଣ୍ଡରକୁ ଟ୍ରେନ୍ର ଲୋକୋଇଞ୍ଜିନ ଧକ୍କା ଦେଇଥିଲା। ରେଳ ଧାରଣା ନିକଟରୁ ଏକ ପେଟ୍ରୋଲ ବୋମା (ମୋଲୋଟୋଭ କକ୍ଟେଲ) ମଧ୍ୟ ମିଳିଥିଲା। ସୋମବାର ରେଳ କର୍ମଚାରୀଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ପୁଲିସ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରିଛି। ଘଟଣାର ତଦନ୍ତ ପାଇଁ ୬ଟି ଟିମ୍ ଗଠନ କରାଯାଇଥିବା ବେଳେ ୧୨ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।
ଗ୍ୟାସ୍ ସିଲିଣ୍ଡର, ମୋଲୋଟୋଭ କକ୍ଟେଲ ଓ ଲମ୍ବା ତେଲଭିଜା କନା ସଳିତା ଡେଟୋନେଟର ଭାବେ କାମ କରିଥାନ୍ତା ଏବଂ ଭୟଙ୍କର ବିସ୍ଫୋରଣ ହୋଇଥାନ୍ତା ବୋଲି ଅନୁସନ୍ଧାନକାରୀମାନେ କହିଛନ୍ତି। ଉତ୍ତର-ପୂର୍ବ ରେଳବାଇର କନିଷ୍ଠ ଯନ୍ତ୍ରୀ ରମେଶ ଚନ୍ଦ୍ରଙ୍କ ଏତଲା ଅନୁଯାୟୀ, ରବିବାର ରାତି ପ୍ରାୟ ୮ଟା ୩୭ ମିନିଟ୍ରେ କାଳିନ୍ଦୀ ଏକ୍ସପ୍ରେସର ଲୋକୋ ପାଇଲଟମାନେ ରେଳ କଣ୍ଟ୍ରୋଲ ରୁମ୍କୁ ଜଣାଇଥିଲେ ଯେ ଟ୍ରେନ୍ର ଲୋକୋ ଇଞ୍ଜିନ୍ ଏକ ଗ୍ୟାସ୍ ସିଲିଣ୍ଡରକୁ ଧକ୍କା ଦେଇଛି। ରାତି ୯ଟା ୧୦ରେ ରେଳ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ରେଳ ଧାରଣା ଆଖପାଖ ଅଞ୍ଚଳ ଯାଞ୍ଚ କରିଥିଲେ। ସେମାନେ ଟ୍ରାକ୍ ନିକଟରେ ଏକ ପେଟ୍ରୋଲ ଭର୍ତ୍ତି କାଚ ବୋତଲ ଓ ଏକ ଧଳା ବ୍ୟାଗ୍ ପଡ଼ିଥିବା ଦେଖିବାକୁ ପାଇଥିଲେ।
ରେଳଧାରଣାର ଡାହାଣ ପାର୍ଶ୍ୱରେ ଗ୍ୟାସ୍ ସିଲିଣ୍ଡରର ଘୋଷରା ଚିହ୍ନ ବି ଦେଖିବାକୁ ମିଳିଥିଲା। ଜଣେ ଅଜ୍ଞାତ ବ୍ୟକ୍ତି ଟ୍ରେନ୍କୁ ଲାଇନଚ୍ୟୁତ କରିବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି। ଏଟିଏସ୍ର ଇନ୍ସପେକ୍ଟର ଜେନେରାଲ ନୀଳାବ୍ଜ ଚୌଧୁରୀ ଓ ତାଙ୍କ ବିଶେଷଜ୍ଞ ଦଳ ବରରାଜପୁରରୁ ଉଟ୍ରିପୁରା ମଧ୍ୟରେ ରେଳ ଧାରଣା ଯାଞ୍ଚ କରିଥିଲେ। ଚୌଧୁରୀ କହିଛନ୍ତି, ଫରେନସିକ୍ ଟିମ୍ ବିଭିନ୍ନ ଦିଗରୁ ମାମଲାର ତଦନ୍ତ କରୁଛି। କାନପୁରର ଆଇନ ଶୃଙ୍ଖଳା ବିଭାଗର ଅତିରିକ୍ତ ପୁଲିସ କମିସନର ହରିଶ ଚନ୍ଦ୍ର କହିଛନ୍ତି ଯେ ଏଲ୍ପିଜି ସିଲିଣ୍ଡରରେ ଗ୍ୟାସ ଥିଲା। ଯଦି ବିସ୍ଫୋରଣ ହୋଇଥାନ୍ତା ତେବେ ଏହା ସାଂଘାତିକ ହୋଇଥାନ୍ତା। ଇତିମଧ୍ୟରେ କାନପୁରର ଏସିପି ଅଜୟ କୁମାର କହିଛନ୍ତି, ୧୨ରୁ ଅଧିକ ସନ୍ଦିଗ୍ଧଙ୍କୁ ଅଟକ ରଖାଯିବା ସହ ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି।