କୋଲକାତା: ୨ ଜୁନ୍‌ ୨୦୨୩ରେ ବାଲେଶ୍ବରର ବାହାନଗାରେ ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାର ସ୍ମୃତି ଲୋକଙ୍କ ମନରୁ ଲିଭି ନାହିଁ। ଏହି ଘଟଣାର ପ୍ରାୟ ବର୍ଷକ ପରେ, ଆଜି ପଶ୍ଚିମବଙ୍ଗରେ ଏକ ବଡ଼ଧରଣର ରେଳ ଦୁର୍ଘଟଣା ଘଟିଛି। ଅଗରତାଲାରୁ ସିୟାଲଦହ ଆସୁଥିବା କାଞ୍ଚନଜଙ୍ଘା ଏକ୍ସପ୍ରେସ୍‌କୁ ପଛପଟୁ ଏକ ମାଲ୍‌ବାହୀ ଟ୍ରେନ୍‌ ଧକ୍କା ଦେଇଛି। ଫଳରେ ୩ ରେଳ କର୍ମଚାରୀଙ୍କ ସମେତ ୧୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ରୁ ଊର୍ଦ୍ଧ୍ବ ଆହତ‌ ହୋଇଛନ୍ତି। ତେବେ ରେଳବାଇ ପକ୍ଷରୁ ମୃତ୍ୟୁ ସଂଖ୍ୟା ୯ ବୋଲି କୁହାଯାଇଛି। କାଞ୍ଚନଜଙ୍ଘା ଏକ୍ସପ୍ରେସର ପଛପଟ ପାର୍ସଲ କମ୍ପାର୍ଟମେଣ୍ଟକୁ ମାଲ୍‌ବାହୀ ଟ୍ରେନ୍‌ ଧକ୍କା ଦେଇଥିବାରୁ ଏତେବଡ଼ ଦୁର୍ଘଟଣା ସତ୍ତ୍ବେ ମୃତାହତଙ୍କ ସଂଖ୍ୟା ଆପାତତଃ କମ୍‌ ରହିଛି।

Advertisment

ସୂଚନାନୁସାରେ, କାଞ୍ଚନଜଙ୍ଘା ଏକ୍ସପ୍ରେସ୍‌ ତ୍ରିପୁରା ରାଜଧାନୀ ଅଗରତାଲାରୁ ପଶ୍ଚିମବଙ୍ଗର ସିୟାଲଦହକୁ ନିୟମିତ ଚଳାଚଳ କରିଥାଏ। ନିର୍ଦ୍ଧାରିତ ସମୟାନୁସାରେ, ଅଗରତାଲାରୁ ୧୬ ତାରିଖ ସକାଳ ୮ଟାରେ ବାହାରିଥିଲା। ସେହିଦିନ ସକାଳ ୧୧ଟାରେ ଗୁଆହାଟି ଷ୍ଟେସନ୍‌ରେ ପହଞ୍ଚିଥିଲା। ଦାର୍ଜିଲିଂ ଜିଲ୍ଲା ନ୍ୟୁଜଲପାଇଗୁଡ଼ି ନିକଟ ରଙ୍ଗାପାଣି ଷ୍ଟେସନ୍‌ ଠାରୁ ୮ କିମି ଦୂରରେ କାଞ୍ଚନଜଙ୍ଘା ଏକ୍ସପ୍ରେସ୍‌ଟି ଠିଆ ହୋଇଥିଲା। ପ୍ରାୟ ୯ଟା ବେଳେ ଏକ ମାଲବାହୀ ଟ୍ରେନ୍‌ ସିଗ୍‌ନାଲ୍‌ ଖୁଣ୍ଟ ଅତିକ୍ରମ କରି ପଛପଟୁ ‌ଧକ୍କା ଦେଇଥିଲା। ଫଳରେ ମାଲବାହୀ ଟ୍ରେନ୍‌ର ଇଂଜିନ୍‌ ଉପରକୁ କାଞ୍ଚନଜଙ୍ଘାର ପଛପଟର ଗୋଟିଏ ପାର୍ସଲ ବଗି ଉଠିଯାଇଥିଲା। ଅନ୍ୟ ଏକ ପାର୍ସଲ୍‌ ବଗି ଓ ଯାତ୍ରୀବାହୀ ବଗି ରେଳଧାରଣା ତଳକୁ ଖସିପଡ଼ିଥିଲା। ଯାତ୍ରୀବାହୀ ବଗିଟି ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି। ତେବେ ଦୁର୍ଘଟଣାର କିଛି ସମୟ ପରେ କାଞ୍ଚନଜଙ୍ଘା ଏକ୍ସପ୍ରେସ୍‌ ନୂଆ ଜଲପାଇଗୁଡ଼ି ଷ୍ଟେସନ୍‌ରେ ପହଞ୍ଚି ସେଠାରୁ କୋଲକାତା ଅଭିମୁଖେ ଯାତ୍ରା କରିଥିଲା।

ମାଲବାହୀ ଚାଳକ, ସହଚାଳକ ମୃତ
ସିଗନାଲ୍‌ ବ୍ୟବସ୍ଥା କାମ କରୁନଥିଲା
ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ରେଳମନ୍ତ୍ରୀ

ରେଳବାଇ ସୂତ୍ରରୁ ଜଣାଯାଇଛି ଯେ ଏହି ରାସ୍ତାରେ ରାଣିପାତ୍ର ରେଳଷ୍ଟେସନ୍‌ରୁ ଛତରହାଟ ଜଙ୍କସନ୍‌ ମଧ୍ୟରେ ସିଗନାଲ୍‌ ବ୍ୟବସ୍ଥା ସକାଳ ୫ଟା ୫୦ରୁ କାମ କରୁନଥିଲା। ଉତ୍ତରପୂର୍ବ ସୀମାନ୍ତ ରେଳବାଇ ମୁଖ୍ୟ ଜନସମ୍ପର୍କ ଅଧିକାରୀ ସବ୍ୟସାଚୀ ଦେ କହିଛନ୍ତି ଯେ କାଞ୍ଚନଜଙ୍ଘା ଏକ୍ସପ୍ରେସର ୧୯ଟି ବଗିରେ ୧୩ଶହ ଯାତ୍ରୀ ଥିଲେ। ରେଳର ସମ୍ମୁଖଭାଗ ଇଂଜିନ୍‌ କିମ୍ବା ଅନ୍ୟ ଯାତ୍ରୀବାହୀ ବଗିର ବିଶେଷ କ୍ଷତିଗ୍ରସ୍ତ ହୋଇନାହିଁ। ମାଲବାହୀ ଟ୍ରେନ୍‌ର ଚାଳକ ଅନୀଲ କୁମାର ଓ ସହଚାଳକ ମୁନ୍ନା କୁମାରଙ୍କ ମୃତ୍ୟୁଘଟିଛି। କାଞ୍ଚନଜଙ୍ଘା ଏକ୍ସପ୍ରେସ୍‌ର ପଛ ପଟେ ଥିବା ଗାର୍ଡ ବଗିର ଗାର୍ଡ ଆଶିଷ ଦେଙ୍କ ମଧ୍ୟ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଏହି ମାର୍ଗରେ ୧୯ଟି ରେଳର ଯାତ୍ରା ବାତିଲ କରାଯାଇଛି। କଟିହାର, ଆଲିପୁରଦୁଆର, ଲୁଭିଡିଙ୍ଗ୍‌ ଓ ରଙ୍ଗିଆ ଡିଭିଜନ୍‌ ପକ୍ଷରୁ ‌ସହାୟତା ନମ୍ବର ଜାରି କରାଯାଇଛି। ରେଳବାଇ ବୋର୍ଡର ସିଇଓ ତଥା ଅଧ୍ୟକ୍ଷ ଜୟ ବର୍ମା ସିହ୍ନା କହିଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନରୁ ଏହି ଦୁର୍ଘଟଣା ମାନବୀୟ ତ୍ରୁଟି ଯୋଗୁଁ ହୋଇଥିବା ଜଣାଯାଇଛି। ମାଲବାହୀ ଟ୍ରେନ୍‌ ସିଗନାଲ୍‌କୁ ଅଣଦେଖା କରିଛି। ତେବେ ଏନେଇ ଅନୁସନ୍ଧାନ ଜାରି ରହିଛି। ବିସ୍ତୃତ ଓ ସଠିକ୍‌ କାରଣ ତଦନ୍ତ ପରେ ଜଣାପଡ଼ିବ। ଏହାସହ, ଉତ୍ତରପୂର୍ବ ସୀମାନ୍ତ ରେଳପଥରେ କବଚ ବ୍ୟବସ୍ଥା ନଥିବାରୁ ଦୁର୍ଘଟଣା ଘଟିଲା ବୋଲି ସ୍ପଷ୍ଟୀକରଣ ଦେଇ ଅଧ୍ୟକ୍ଷ ସିହ୍ନା କହିଛନ୍ତି ଯେ କବଚ ବ୍ୟବସ୍ଥାକୁ ଅଧିକ ପରିବ୍ୟାପ୍ତ କରିବାକୁ ପଡ଼ିବ। ପଶ୍ଚିମବଙ୍ଗରେ କବଚ ବ୍ୟବସ୍ଥା ନିମନ୍ତେ ଯୋଜନା କରାଯାଇଛି।

ଖବର ପାଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଚିକିତ୍ସାଳୟକୁ ଯାଇ ଆହତଙ୍କୁ ଭେଟି ଆଶ୍ବସନା ଦେଇଛନ୍ତି। ଘଟଣା ସମ୍ପର୍କରେ ସାମାଜିକ ଗଣମାଧ୍ୟମ ଏକ୍ସରେ ସୂଚନା ଦେଇ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି। ରେଳବାଇ, ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌ ମିଳିତ ଭାବେ ସମନ୍ବୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି। ଆହତଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହାସହ ରେଳବାଇ ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ। ଗୁରୁତର ଆହତଙ୍କୁ ଅଢ଼େଇ ଲକ୍ଷ ଓ ଅନ୍ୟ ଆହତଙ୍କୁ ୫୦ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରଙ୍କ ନିମନ୍ତେ ୨ ଲକ୍ଷ ଟଙ୍କା ଆର୍ଥିକ କ୍ଷତିପୂରଣ ଓ ଆହତଙ୍କ ନିମନ୍ତେ ୫୦ ହଜାର ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ କରିଥିବା ଘୋଷଣା କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ରାହୁଲ ଗାନ୍ଧୀ, ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ରାବିଡ଼ି ଦେବୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରମୁଖ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଜିଲ୍ଳାପାଳ, ଆରକ୍ଷୀ ଅଧୀକ୍ଷକ, ଡାକ୍ତର, ଆମ୍ବୁଲାନ୍‌ସ ଓ ବିପର୍ଯ୍ୟୟ ମୁକାବିଲା ଦଳ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଉଦ୍ଧାର, ରକ୍ଷା ଓ ଚିକିତ୍ସା ସହାୟତା ଯୁଦ୍ଧକାଳୀନ ଭିତ୍ତିରେ ଯୋଗାଇଦେବାକୁ ନର୍ଦ୍ଦେଶ ଦିଆଯାଇଛି।