ଗୁରୁଗ୍ରାମ/ ନୂଆଦିଲ୍ଲୀ : ‘ରଜ’ ଓଡ଼ିଶାର ସବୁଠୁ ବୃହତ ଓ ଲୋକପ୍ରିୟ ପର୍ବ ଭାବରେ ବିଶ୍ୱ ବିଦିତ। କଳିଙ୍ଗ ଭାରତୀ ଫାଉଣ୍ଡେସନ ଦ୍ୱାରା ଏଥିପାଇଁ ଏକ ମହା ସମାରୋହ ଆଗାମୀ ଜୁନ ୧୪ ଓ ୧୫ ତାରିଖ ଦୁଇଦିନ ଧରି ସନ୍ଧ୍ୟା ୫ରୁ  ରାତି ୧୦ ଟା ପର୍ଯ୍ୟନ୍ତ ଗୁରୁଗ୍ରାମର ଚାରି ନମ୍ବର ସେକ୍ଟର ସ୍ଥିତ ହୁଡ଼ା କମ୍ୟୁନିଟି ସେଣ୍ଟରଠାରେ ଅନୁଷ୍ଠିତ ହେବ। ପ୍ରାୟ ପାଞ୍ଚ ହଜାର ପ୍ରବାସୀ ଓଡ଼ିଆ ଓ ଓଡ଼ିଶାପ୍ରେମୀ ଜନସାଧାରଣ ଏହି ସମାବେଶରେ ସାମିଲ ହେବେ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ। ଅତିଥି ଭାବରେ ହରିୟାଣାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଆରତୀ ସିଂ ରାଓ, ପ୍ରସିଦ୍ଧ ଚିକିତ୍ସାବିତ ଡା. ମୋହିତ ଗୁପ୍ତା, ବରିଷ୍ଠ ପ୍ରଶାସକ ପ୍ରଶାନ୍ତ କୁମାର ମହାପାତ୍ର ତଥା ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଆୟୋଜକ କଳିଙ୍ଗ ଭାରତୀ ଫାଉଣ୍ଡେସନର ପ୍ରତିଷ୍ଠାତା ଜାତୀୟ ସଭାପତି ଓ ବିଶିଷ୍ଟ ସମାଜସେବୀ ଇଂ. ଅକ୍ଷୟ କୁମାର ସାମଲ ପ୍ରକାଶ କରିଛନ୍ତି। 
ଏହି ଦୁଇ ଦିନିଆ ସାଂସ୍କୃତିକ କୁମ୍ଭର ମୁଖ୍ୟ ଆକର୍ଷଣ ହେବ ଜାତୀୟ ଲୋକନୃତ୍ୟ ମହୋତ୍ସବ। କଳା ଉତ୍ସବ ନାମରେ ଲୋକପ୍ରିୟ ଏହି କାର୍ଯ୍ୟକ୍ରମ ଅବସରରେ ଓଡ଼ିଶା, ହରିଆଣା, ରାଜସ୍ଥାନ, ପଞ୍ଜାବ, ପଶ୍ଚିମବଙ୍ଗ ଏବଂ ଉତ୍ତର ପ୍ରଦେଶରୁ ଆସିବାକୁ ଥିବା ପ୍ରାୟ ୨୫୦ ରୁ ଉର୍ଦ୍ଧ୍ୱ କଳାକାର ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରି ଦର୍ଶକମାନଙ୍କୁ ମୁଗ୍ଧ କରିବେ। ଏହା ସହିତ ଲୋକପ୍ରିୟ କଣ୍ଠଶିଳ୍ପୀ ସୁସ୍ମିତା ଦାସ, ସୁଶାନ୍ତ ପଣ୍ଡା, ସୁଦକ୍ଷ ଉପସ୍ଥାପକ ଶ୍ରୀ କମଳ ତଥା ସ୍ଥାନୀୟ ଓଡ଼ିଶୀ ନୃତ୍ୟଶିଳ୍ପୀ ମାନଙ୍କର ନୃତ୍ୟର ଝଲକ ଦେଖିବାକୁ ମିଳିବ। 
ରଜ ମହୋତ୍ସବ ଓ କଳା ଉତ୍ସବର ଅନ୍ୟାନ୍ୟ ବିଶେଷ ଆକର୍ଷଣଗୁଡ଼ିକ ମଧ୍ୟରେ କୋଡ଼ିଏଟି ନାନା କିସମ ସାମଗ୍ରୀର ଷ୍ଟଲ, ଖାଣ୍ଟି ସ୍ୱାଦିଷ୍ଟ ଓଡ଼ିଆ ଖାଦ୍ୟ, ରଜ ଦୋଳିର ଉପଲବ୍ଧି, ସ୍ୱତନ୍ତ୍ର ରଜ ପାନ ବଣ୍ଟନର ବ୍ୟବସ୍ଥା, ରଜ ରାଣୀ  ଓ ରଜ କୁମାରୀ ଚୟନ, ବିଭିନ୍ନ ପ୍ରକାର ପ୍ରତିଯୋଗିତା ଯଥା ରଙ୍ଗୋଲି, ଝୋଟି, ଭାରତୀୟ ନେତା ବିଷୟବସ୍ତୁ ଆଧାରିତ କୌତୁକ ପୋଷାକ ପରିଧାନ, ଓଡ଼ିଶାର ଇଷ୍ଟ ଦେବ ଭାବରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଚିତ୍ର ଅଙ୍କନ ଏବଂ ବହୁ ଆକର୍ଷକ ପୁରସ୍କାର ସହିତ ଲକି ଡ୍ର ର ଆୟୋଜନ ହେବ। ଏହି କାର୍ଯ୍ୟକ୍ରମ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ପ୍ରବେଶ ଶୁଳ୍କ ରହିତ ବୋଲି ଅନ୍ୟତମ ଆୟୋଜକ ସୁଧାଂଶୁ ପାଢ଼ୀ ଜଣାଇଛନ୍ତି।