ୟୁପି ବ୍ଲକ୍‌ ଅଧ୍ୟକ୍ଷ ନିର୍ବାଚନରେ ବ୍ୟାପକ ହିଂସା, ଐତିହାସିକ ବିଜୟ ଘୋଷଣା କଲା ବିଜେପି

୮୨୫ ଆସନରୁ ୬୪୮ରେ ବିଜୟ ଦାବି କଲା

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଗତକାଲି ଅନୁଷ୍ଠିତ ବ୍ଲକ୍‌ ଅଧ୍ୟକ୍ଷ ନିର୍ବାଚନରେ ବ୍ୟାପକ ହିଂସା ଦେଖିବାକୁ ମିଳିଛି। ବିରୋଧୀ ଦଳ ନେତାମାନେ ହିଂସା ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ଏବଂ ଏଥିପାଇଁ ବିଜେପିକୁ ଦାୟୀ କରିଛନ୍ତି। ବିଏସ୍‌ପି ଏବଂ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ନେତାମାନେ କହିଛନ୍ତି, ବିଜେପି ନିର୍ବାଚନ ପ୍ରକ୍ରିୟାରେ ମହିଳାଙ୍କୁ ଅସମ୍ମାନ କରିଛି ଏବଂ ଗଣତାନ୍ତ୍ରିକ ନୀତିର ବ୍ୟାପକ ଉଲ୍ଲଂଘନ କରିଛି। ପଞ୍ଚାୟତ ନିର୍ବାଚନରେ ବିଜେପି ସରକାର କ୍ଷମତାର ଅପବ୍ୟବହାର କରିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବ୍ୟାପକ ହିଂସା ଭିତରେ ବ୍ଲକ୍‌ ଅଧ୍ୟକ୍ଷ ନିର୍ବାଚନରେ ବିଜେପି ବାଜି ମାରି‌ନେଇଛି। ରାଜ୍ୟରେ ୮୨୫ ବ୍ଲକ୍‌ ଅଧ୍ୟକ୍ଷ ଆସନରୁ ବିଜେପି ଏବଂ ଏହାର ସହଯୋଗୀ ଦଳ ୬୪୮ଟିରେ ଜିତିଥିବା ଦାବି କରିଛନ୍ତି। ରାଜ୍ୟ ନିର୍ବାଚନ କମିସନ କେଉଁ ଦଳ କେତେ ଆସନରେ ଜିତିଛନ୍ତି ତାହା ସ୍ପଷ୍ଟ କରିନଥିଲେ ସୁଦ୍ଧା ବିଜେପି ଐତିହାସିକ ବିଜୟ ହାସଲ କରିଥିବା‌ ଘୋଷଣା କରିଛି।

ରିପୋର୍ଟ ଅନୁଯାୟୀ ବିଜେପି ସମର୍ଥିତ ପ୍ରାର୍ଥୀମାନେ ୭୩୫ ଆସନରେ ନିର୍ବାଚନ ଲଢ଼ିଥିଲେ। ଅନ୍ୟପକ୍ଷେ ବିଜେପିର ସହଯୋଗୀ ଦଳ ଅପ୍‌ନା ଦଳ (ଏସ୍‌) କେବଳ ୧୪ ଆସନରେ ଲଢ଼ିଥିଲା। ଜଣାଯାଇଛି ଯେ, ସମାଜବାଦୀ ପାର୍ଟି ୭୦ରୁ ଅଧିକ ଆସନରେ ଜିତିଛି ଏବଂ କଂଗ୍ରେସ ମାତ୍ର ୨ଟି ଆସନରେ ଜିତିଛି। ସ୍ବାଧୀନ ପ୍ରାର୍ଥୀମାନେ ପ୍ରାୟ ୯୫ ଆସନରେ ଜିତିଛନ୍ତି।

ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସମେତ ଅନ୍ୟ ଦଳର ନେତାମାନେ ଭୋଟ୍‌ ଜାଲିଆତି ଏବଂ ବଳପୂର୍ବକ ଭୋଟ୍‌ ଦାନ ହୋଇଥିବା ଅଭିଯୋଗ କରିଛନ୍ତି।। ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲଠାରୁ ଭୋଟ୍ ଗ୍ରହଣ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ହିଂସାକାଣ୍ଡ ଘଟିଥିବା ବେଳେ ଏବେ ବି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ହମିରପୁର ,ହାଥରାସ, ଏଟାୱା, ଅଯୋଧ୍ୟା‌, ପ୍ରୟାଗରାଜ, ଆଲିଗଡ଼, ପ୍ରତାପଗଡ଼, ସୋନଭଦ୍ରା ସମେତ ପ୍ରାୟ ୧୯ ଟି ଜିଲ୍ଲାରେ ହିଂସା ଉପୁଜିଥିବା ଜଣାପଡ଼ିଛି। ସମାଜବାଦୀ ପାର୍ଟିର କର୍ମୀମାନେ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କୁ ବିଜେପି କାର୍ଯ୍ୟକର୍ତ୍ତାମାନେ ମାଡ଼ ମ‌ାରିଛନ୍ତି ଏବଂ ଭୋଟରଙ୍କୁ ବୁଥ୍‌କୁ ଯିବାକୁ ଦେଇନାହାନ୍ତି।

ବିଭିନ୍ନ ସ୍ଥାନରେ ପ୍ରବଳ ସଂଘର୍ଷ ହୋଇଛି ଏବଂ ପୁଲିସ ମଧ୍ୟ ଆକ୍ରମଣରୁ ବର୍ତ୍ତି ନାହିଁ। ହାଥରାସ୍‌ରେ ଜଣେ ସମାଜବାଦୀ ପାର୍ଟି ନେତା ଗୁଳିମାଡ଼ର ଶିକାର ହୋଇ ଆହତ ହୋଇଛନ୍ତି। ଅନେକ ସମାଜବାଦୀ ନେତା ହିଂସା ଏବଂ ସଂଘର୍ଷର ଭିଡିଓ ପୋଷ୍ଟ୍‌ କରିଛନ୍ତି ଏବଂ ବିଜେପି ଆକ୍ରମଣ ଦ୍ବାରା ଭୋଟିଂ ପ୍ରକ୍ରିୟାକୁ ପ୍ରଭାବିତ କରିଛି ବୋଲି ଅଭିଯୋଗ କରିଛନ୍ତି। ଏସ୍‌ପି ପ୍ରଶାନ୍ତ କୁମାର କହିଛନ୍ତି, କିଛି ଲୋକ ତାଙ୍କୁ ଚାପୁଡ଼ା ମାରିଛନ୍ତି । ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଜାରି ହୋଇଛି। ସେହିପରି ଉନ୍ନାଓରେ ଜଣେ ଟିଭି ସାମ୍ବାଦିକଙ୍କୁ ଅତି ନିର୍ଦ୍ଦୟ ଭାବେ ମାଡ଼ ମରାଯାଉଥିବାର ଭିଡିଓ ମଧ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ସମ୍ବନ୍ଧିତ ଖବର