ନୂଆଦିଲ୍ଲୀ: ଆଫଗାନିସ୍ତାନ ବିଦେଶ ମନ୍ତ୍ରୀ ଅମୀର ଖାନ୍ ମୁତ୍ତାକି ଗୋଟିଏ ସପ୍ତାହ ପାଇଁ ଭାରତ ଗସ୍ତରେ ଆସି ଦିଲ୍ଲୀ ପହଞ୍ଚିଛନ୍ତି। ଜାତିସଂଘ ସୁରକ୍ଷା ପରିଷଦ ତାଙ୍କ ଉପରେ ଲାଗିଥିବା ଯାତ୍ରା କଟକଣା କୋହଳ କରିବାପରେ ସେ ଏହି ଯାତ୍ରା କରିଛନ୍ତି। ତେବେ ୨୦୨୧ରେ ତାଲିବାନ୍ ଆଫଗାନିସ୍ତାନରେ କ୍ଷମତାକୁ ଫେରିବାପରେ ଏହା କୌଣସି ତାଲିବାନ୍ ମନ୍ତ୍ରୀଙ୍କ ପ୍ରଥମ ଭାରତ ଗସ୍ତ। ଭାରତ ଗସ୍ତ ଅବସରରେ ଆଫ୍ଗାନ ମନ୍ତ୍ରୀ ଆଜି ଭାରତର ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ।
ଏହି ବୈଠକ ସମୟରେ ଏସ. ଜୟଶଙ୍କର ଏକ ବଡ଼ ଘୋଷଣା କରିଛନ୍ତି। କାବୁଲରେ ଥିବା ବୈଷୟିକ ମିଶନକୁ ଏବେ ଭାରତୀୟ ଦୂତାବାସର ମାନ୍ୟତା ଦିଆଯିବ ବୋଲି କହିଛନ୍ତି ଜୟଶଙ୍କର। ୨୦୨୧ ମସିହାରେ ଯେତେବେଳେ ତାଲିବାନ ଆଫଗାନିସ୍ତାନରେ କ୍ଷମତାକୁ ଫେରିଲା, ସେତେବେଳେ ନୂଆଦିଲ୍ଲୀ, ପରିସ୍ଥିତିକୁ ଦେଖି କାବୁଲରେ ଥିବା ଏହାର ଦୂତାବାସ ବନ୍ଦ କରିଥିଲା। ଏକ ବର୍ଷ ପରେ ବାଣିଜ୍ୟ, ଚିକିତ୍ସା ସହାୟତା ଏବଂ ମାନବିକ ସହାୟତାକୁ ସୁଗମ କରିବା ପାଇଁ ଏକ ଛୋଟ ମିଶନ ଖୋଲିଥିଲା ଭାରତ। ବର୍ତ୍ତମାନ, ଏହି ବୈଷୟିକ ମିଶନକୁ ଭାରତୀୟ ଦୂତାବାସର ମାନ୍ୟତା ଦିଆଯାଇଛି।
ତାଲିବାନ ବୈଦେଶିକ ମନ୍ତ୍ରୀ ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ଭାରତକୁ ସ୍ୱାଗତ କରି ବୈଦେଶିକ ମନ୍ତ୍ରୀ ଜୟଶଙ୍କର ସେମାନଙ୍କ ଗସ୍ତକୁ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ଉନ୍ନତ କରିବା ଏବଂ ସ୍ଥାୟୀ ବନ୍ଧୁତାକୁ ପୁନଃନିର୍ମାଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି କହିଛନ୍ତି। ତାଙ୍କ କହିବା ମୁତାବକ, ଏକ ନିକଟତମ ପଡ଼ୋଶୀ ଏବଂ ଆଫଗାନ ଲୋକଙ୍କ ଶୁଭେଚ୍ଛୁ ଭାବରେ ଭାରତ, ଆଫଗାନିସ୍ତାନର ବିକାଶ ଏବଂ ପ୍ରଗତିରେ ଗଭୀର ଆଗ୍ରହୀ। ଭାରତ ସ୍ୱାସ୍ଥ୍ୟସେବାଠାରୁ ଆରମ୍ଭ କରି ଭୂମିକମ୍ପ ଭଳି ବିପର୍ଯ୍ୟୟ ସହାୟତା କିମ୍ବା ଆଫଗାନ ଲୋକଙ୍କୁ ଖାଦ୍ୟ ସହାୟତା ପ୍ରଦାନ କରିବା ପର୍ଯ୍ୟନ୍ତ ପ୍ରତ୍ୟେକ ପ୍ରକାରରେ ସହାୟତା ପ୍ରଦାନ କରି ଆସିଛି।
taliban | Sjayashakar