ମୁମ୍ବାଇ: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇକୁ ଆମେରିକାରୁ ପ୍ରତ୍ୟର୍ପଣ କରିବାପାଇଁ ମୁମ୍ବାଇ ପୁଲିସ ଆନୁଷ୍ଠାନିକ ଭାବେ ପ୍ରକ୍ରିୟା ଆରମ୍ଭ କରିଛି। ଅଭିନେତା ସଲମାନ ଖାନ୍ଙ୍କ ବାସଭବନ ବାହାରେ ଗୁଳିକାଣ୍ଡ ଘଟଣା ସମେତ ଅନ୍ୟ କେତେକ ଆପରାଧିକ ମାମଲାରେ ତା’ର ସମ୍ପୃକ୍ତି ଥିବା ଅଭିଯୋଗରେ ତାକୁ ପୁଲିସ ଖୋଜୁଛି। ମୁମ୍ବାଇ ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ଅନମୋଲ ବିଷ୍ଣୋଇ ଆମେରିକାରେ ଥିବା ନେଇ ଆମେରିକା କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।
ମୁମ୍ବାଇ ପୁଲିସର ଅପରାଧ ଶାଖା ବିଷ୍ଣୋଇର ପ୍ରତ୍ୟର୍ପଣ ସଂକ୍ରାନ୍ତରେ ମୁମ୍ବାଇ ସେସନ୍ସ କୋର୍ଟଙ୍କୁ ଅବଗତ କରିଛନ୍ତି ଏବଂ ମାମଲାର ପରବର୍ତ୍ତୀ ପ୍ରକ୍ରିୟା ପାଇଁ ଏ ବାବଦ ଦସ୍ତାବିଜ କେନ୍ଦ୍ର ସରକାରଙ୍କ ପାଖକୁ ପଠାଇବେ। ଏଥିସହ ତାକୁ ଦେଶ ବାହାରେ ଖୋଜିବାରେ ସହଯୋଗ କରିବାପାଇଁ ଏକ ରେଡ୍ କର୍ନର ନୋଟିସ୍ ଜାରି ହୋଇଛି। ଉଲ୍ଲେଖଯୋଗ୍ୟ, ଅନମୋଲ ବିଷ୍ଣୋଇ ବିରୋଧରେ ଦେଶରେ ୧୭ରୁ ଅଧିକ ଆପରାଧିକ ମାମଲା ରହିଛି। ସଲମାନ ଖାନ୍ଙ୍କ ବାସଭବନ ବାହାରେ ଗୁଳିକାଣ୍ଡ ଘଟଣାରେ ଅନମୋଲ ବିଷ୍ଣୋଇ ଏବଂ ତା’ ଭାଇ ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ବ୍ରାର୍କୁ ଅଭିଯୁକ୍ତ ଦର୍ଶାଯାଇଛି। ଅନମୋଲ ବିଷ୍ଣୋଇକୁ ମଧ୍ୟ ପୁଲିସ ସିଦ୍ଦୁ ମୁସେୱାଲା ହତ୍ୟା ମାମଲାରେ ଖୋଜୁଛି।