ଲଣ୍ଡନ: ୟୁରୋପର ଗ୍ରୀଷ୍ମପ୍ରବାହ ଜନିତ ମୃତ୍ୟୁ ଏବେ ଚିନ୍ତାର କାରଣ ହୋଇଛି। ଅତ୍ୟଧିକ ଗରମ ଯୋଗୁଁ ୨୦୨୨ରେ ୟୁରୋପରେ ୭୦,୦୦୦ ଅଧିକ ମୃତ୍ୟୁ ହୋଇଛି ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ବାର୍ସେଲୋନା ଇନଷ୍ଟିଚ୍ୟୁଟ୍ ଫର୍ ଗ୍ଲୋବାଲ ହେଲ୍ଥ (ଆଇଏସ୍‌ଗ୍ଲୋବାଲ)ର ବୈଜ୍ଞାନିକମାନେ ତାପଜନିତ ମୃତ୍ୟୁହାର ମାପିବା ପାଇଁ ସେମାନଙ୍କ ଢାଞ୍ଚାରେ ପରିବର୍ତ୍ତନ କରିବା ପରେ ସେମାନଙ୍କର ପୂର୍ବ ଆକଳନ ୬୧,୦୦୦କୁ ସଂଶୋଧନ କରିଛନ୍ତି। ସେହଭଳି ୨୦୨୩ରେ ମଧ୍ୟ ଗ୍ରୀଷ୍ମ ପ୍ରବାହରେ ପ୍ରାୟ ୭୦ ହଜାର ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ବ୍ରିଟିସ ପାଣିପାଗ ବିଭାଗ ଆକଳନ କରିଛି। ଅନ୍ୟପକ୍ଷରେ ଭାରତରେ ଚଳିତ ବର୍ଷ ଜୁନ୍‌ ୩୦ ସୁଦ୍ଧା ଗ୍ରୀଷ୍ମ ପ୍ରବାହ ଯୋଗୁଁ ୨୫୨ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ବାରା ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି।

Advertisment

ୟୁରୋପୀୟ ସଂଘର ପୃଥିବୀ ପର୍ଯ୍ୟବେକ୍ଷଣ କାର୍ଯ୍ୟକ୍ରମ କୋପରନିକସ୍ ଅନୁଯାୟୀ ୨୦୨୨ ଥିଲା ୟୁରୋପ ପାଇଁ ଦ୍ବିତୀୟ ଉତ୍ତପ୍ତତମ ବର୍ଷ। ଯେଉଁଥିରେ ତାପମାତ୍ରା ହାରାହାରିଠାରୁ ପ୍ରାୟ ୦.୯ ସେଲସିୟସ୍ ଏବଂ ଗ୍ରୀଷ୍ମକାଳୀନ ତାପମାତ୍ରା ହାରାହାରିଠାରୁ ୧.୪ ସେଲସିୟସ୍ ଅଧିକ ରହିଥିଲା। ଏହା ପୂର୍ବରୁ ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲୁଏମ୍‌ଓ) ଏବଂ କୋପରନିକସ ଏକ ମିଳିତ ବିବୃତିରେ କହିଥିଲେ ଯେ ୟୁରୋପ ହେଉଛି ବିଶ୍ୱର ଦ୍ରୁତତମ ଉତ୍ତପ୍ତଶୀଳ
(ଫାଷ୍ଟେଷ୍ଟ ୱାର୍ମିଂ) ମହାଦେଶ, ଯାହା ୧୯୮୦ ଦଶକ ପରଠାରୁ ବିଶ୍ୱର ହାରାହାରି ତୁଳନାରେ ଦୁଇଗୁଣ ଅଧିକ ଉତ୍ତପ୍ତ ହେଉଛି। କୋପରନିକାସ୍ ଜଳବାୟୁ ପରିବର୍ତ୍ତନ ସେବାର ନିର୍ଦେଶକ ଡକ୍ଟର କାର୍ଲୋ ବୋଣ୍ଟେମ୍ପୋ କହିଥିଲେ ଯେ ୨୦୨୨ ଓ ୨୦୨୩ରେ ୟୁରୋପୀୟମାନେ ଯେଉଁ ରେକର୍ଡଭଙ୍ଗା ଗ୍ରୀଷ୍ମତାପ ଅନୁଭବ କରିଥିଲେ ତାହା ୟୁରୋପରେ ପାଣିପାଗଜନିତ ମୃତ୍ୟୁହାର ବୃଦ୍ଧିର କାରଣ। ଆଇଏସ୍‌ଗ୍ଲୋବାଲ ଏବଂ ଇନସର୍ମର ଗବେଷକମାନେ ଗତ ଜୁଲାଇରେ କହିଥିଲେ ଯେ ୨୦୩୦ ସୁଦ୍ଧା ୟୁରୋପରେ ପ୍ରତିବର୍ଷ ୬୮,୦୦୦ ଉତ୍ତାପ-ଜନିତ ଅତିରିକ୍ତ ମୃତ୍ୟୁ ହୋଇପାରେ। ଯଦି ବିଶ୍ୱ ସରକାରମାନେ ଅଙ୍ଗାରକାମ୍ଳ ନିର୍ଗମନକୁ ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ ନ କରନ୍ତି, ତେବେ ୨୦୪୦ ସୁଦ୍ଧା ଏହା ଆହୁରି ବୃଦ୍ଧି ପାଇ ୯୪,୦୦୦ରେ ପହଞ୍ଚିପାରେ ବୋଲି ଗବେଷକମାନେ କହିଥିଲେ।