ନୂଆଦିଲ୍ଲୀ: ନେଦରଲାଣ୍ଡର ଟିଲବର୍ଗ ସହରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏକ ସାପର ଫଟୋ ସହିତ ପଳାତକ ଘୋଷଣା କରି ପୁଲିସ ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇ ଲୋକଙ୍କୁ ସତର୍କ ରହିବାକୁ ଚେତାବନୀ ଦେଇଛି।  ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ନଗରପାଳିକାଙ୍କ ସୂତ୍ରରୁ ପ୍ରକାଶ,  ଟିଲବର୍ଗ ସହରରେ ଏକ ବିଷଧର ସାପ ‘ମମ୍ବା’ ଆତଙ୍କ ଖେଳାଇ ଦେଇଛି। ଏହି ସାପ ଜଣଙ୍କ ଘରୁ ଫେରାର ହୋଇଯାଇଛି। ଫେରାର ସାପକୁ ଧରିବା ପାଇଁ ପୁଲିସ  ଏକ ଟିମ ଗଠନ କରିଛି।

ଏଥିସହିତ ବିଷଧର ସାପ ‘ମମ୍ବା’ର ଫଟୋ ପୁଲିସ ସହରର ଗଳିଗଳି ବୁଲି ଲଗାଇଛି। ଆଉ ଏହି ପୋଷ୍ଟରରେ ପୁଲିସ ଲୋକଙ୍କୁ ଉକ୍ତ ସାପ ପ୍ରତି ସତର୍କ ରହିବାକୁ ଚେତାବାନୀ ଦେଇଛି। ଆଉ କହିଛି ‌ଯେକୌଣସି ବ୍ୟକ୍ତି ଯଦି ଏହି ସାପକୁ ଦେଖିବେ ତେବେ ଧରିବାକୁ ଆଦୌ ଚେଷ୍ଟା କରିବେ ନାହିଁ। ଯଥାଶୀଘ୍ର ଏସମ୍ପର୍କରେ ପୁଲିସକୁ ସୂଚନା ଦେବେ।’

ଏହି ମମ୍ବା ସାପର ଚୋଟରେ କ୍ଷଣିକରେ ମଣିଷ ଜୀବନ ଚାଲିଯାଇପାରେ ବୋଲି କୁହାଯାଉଛି। ଏହି ମମ୍ବା ସାପକୁ ଦୁନିଆର ସବୁଠାରୁ ବିପଦଜ୍ଜନକ ଓ ବିଷଧର ସାପ ବୋଲି କୁହାଯାଉଛି। ଏନେଇ ସହର ସାରା ଆଲର୍ଟ ଜାରି କରାଯାଇ ସନ୍ଧାନୀ କୁକୁର ଲଗାଯାଇଛି।

ଦେଶର ଅନେକ ବିଶେଷଜ୍ଞଙ୍କ ସହିତ ଯୋଗଯୋଗ କରାଯିବାକୁ ଚେଷ୍ଟା କରାଯାଉଛି।  କିପରି ଏହି ବିଷଧର ସାପକୁ ସହଜରେ ଧରିହେବ ସେନେଇ ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଉଛି।

ସ୍ଥାନେସ୍ଥାନେ ମେଡିକାଲ ୟୁନିଟଙ୍କୁ ମୁତୟନ କରାଯାଇଛି। କାରଣ ଏହି ପଳାତକ ସାପ କେତେବେଳେ ଯେ କାହାକୁ ଆକ୍ରମଣ କରିବ ‌ତ‌ାହା କେହି ଜାଣି ନାହାନ୍ତି। ତେଣୁ ମେଡିକାଲ ୟୁନିଟ ଥିଲେ ସେମାନେ ତୁରନ୍ତ ଚିକିତ୍ସା ଆରମ୍ଭ କରିଦେବେ ବୋଲି ନଗରପାଳିକା କହିଛନ୍ତି।