ନୂଆଦିଲ୍ଲୀ : ଅତି ନାଟକୀୟ ଢଙ୍ଗରେ ଆଜି ସକାଳେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବିଜେପି ନେତା ଫଡ୍ନାଭିସଙ୍କ ପାଇଁ ସନ୍ଧ୍ୟା ବେଳକୁ ଅଡ଼ୁଆ ବଢ଼ିଯାଇଛି। କାରଣ ଏନ୍ସିପିର ଯେଉଁ ୫୪ ଜଣ ବିଧାୟକଙ୍କ ସମର୍ଥନ ଥିବାର ସେ ଦାବି କରିଥିଲେ ସେଥିମଧ୍ୟରୁ ୫୦ ଜଣ ସ୍ପଷ୍ଟ କରିଦେଇଛନ୍ତି ଯେ ସେମାନେ ଶରଦ ପାୱାରଙ୍କ ସହିତ ଅଛନ୍ତି। ସନ୍ଧ୍ୟା ବେଳେ ଶରଦ ପାୱାର ଡାକିଥିବା ବିଧାୟକ ଦଳ ବୈଠକରେ ସେମାନେ ଉପସ୍ଥିତ ଥିଲେ। କେବଳ ପାୱାରଙ୍କ ବିଦ୍ରୋହୀ ପୁତୁରା ଅଜିତ ପାୱାର ଏବଂ ଅନ୍ୟ ତିନି ଜଣ ଏନ୍ସିପି ବିଧାୟକ ବୈଠକକୁ ଆସିନଥିଲେ। ଏବେ ପ୍ରଶ୍ନ ଉଠୁଛି ଫଡ୍ନାଭିସ୍ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାଲାଗି ଆବଶ୍ୟକ ସଂଖ୍ୟା ଯୋଗାଡ଼ କରିବେ େକଉଁଠୁ? ଆଜି ସକାଳେ ଶପଥ ନେବା ପରେ ସେ ଦାବି କରିଥିଲେ ଯେ ତାଙ୍କ ପ୍ରତି ୧୭୩ ବିଧାୟକଙ୍କର ସମର୍ଥନ ରହିଛି। ସେଥିମଧ୍ୟରୁ ବିଜେପିର ୧୦୫, ଏନ୍ସିପିର ୫୪ ଏବଂ ୧୪ ଜଣ ସ୍ବାଧୀନ ବିଧାୟକ ଥିଲେ। ୨୮୮ ସଭ୍ୟ ବିଷିଷ୍ଟ ରାଜ୍ୟ ବିଧାନସଭାରେ ସଂଖ୍ୟାଗରିଷ୍ଠତା ଲାଗି ୧୪୫ ସଭ୍ୟଙ୍କ ସମର୍ଥନ ଦରକାର। ଏବେ ଏନସିପିର ୫୦ ଜଣ ସଭ୍ୟ ସମର୍ଥନ ଦେବାକୁ ମନା କରିଦେଇଥିବାରୁ ତାଙ୍କ ପ୍ରତି ସମର୍ଥକଙ୍କ ସଂଖ୍ୟା ୧୨୩କୁ ଖସି ଆସିଛି। ତେବେ ଏନସିପିର ଯେଉଁ ୪ ଜଣ ବିଧାୟକ ରହିଲେ ସେମାନେ ଫଡ୍ନାଭିସଙ୍କୁ ସମର୍ଥନ ଦେବା ସମ୍ଭାବନା କ୍ଷୀଣ। କାରଣ ଦଳର ହୁଇପ୍କୁ ଅମାନ୍ୟ କରି ସେମାନେ ମତଦାନ କଲେ ବିଧାନସଭାର ସଭ୍ୟ ପଦ ହରାଇବେ। ଏଭଳି ସ୍ଥଳେ ଫଡ୍ନାଭିସଙ୍କ ପାଖରେ ରହିଯାଉଛି ମାତ୍ର ୧୧୯ ସଭ୍ୟଙ୍କ ସମର୍ଥନ। ଅତିକମ୍ରେ ଆଉ ୨୬ ଜଣ ବିଧାୟକଙ୍କ ସମର୍ଥନ ପାଇଁ ଶିବସେନା ଓ କଂଗ୍ରେସ ବିଧାୟକ ଦଳ ଉପରେ ଆଖି ପକାଇଛି ବିଜେପି। ତେବେ ଘୋଡ଼ା ବେପାର ଆଶଙ୍କାରେ ଏହି ଦୁଇ ଦଳ ସେମାନଙ୍କ ବିଧାୟକମାନଙ୍କୁ ରାଜ୍ୟ ବାହାରକୁ ନେଇ ହୋଟେଲରେ ଲୁଚାଇ ରଖିଛନ୍ତି। ବିଧାନସଭାରେ ଶକ୍ତି ପରୀକ୍ଷା ପର୍ଯ୍ୟନ୍ତ ଏନସିପି ମଧ୍ୟ ଏହାର ବିଧାୟକମାନଙ୍କୁ ବାହାରକୁ ନେବାର ଯୋଜନା କରିଛି।
/sambad/media/post_attachments/wp-content/uploads/2019/11/images-25-300x167.jpg)
ଅନ୍ୟପକ୍ଷରେ ଶିବ ସେନା-ଏନ୍ସିପି-କଂଗ୍ରେସ ମେଣ୍ଟ ଦାବି କରିଛନ୍ତି ଯେ ସେମାନଙ୍କ ପାଖରେ ୧୭୦ ସଭ୍ୟଙ୍କ ସମର୍ଥନ ରହିଛି। ଏଥିରେ ଶିବ ସେନାର ୫୬, ଏନସିପିର ୫୪, କଂଗ୍ରେସର ୪୪ ଏବଂ ୧୬ ଜଣ ସ୍ବାଧୀନ ବିଧାୟକ ଅଛନ୍ତି। ସେମାନଙ୍କୁ ସୁଯୋଗ ମିଳିଲେ ଏହାର ପ୍ରମାଣ ଦେବାକୁ ପ୍ରସ୍ତୁତ। ତେବେ ଫଡ୍ନାଭିସ ସରକାରର ପତନ ଘଟିଲା ପରେ ଯାଇ ସେମାନଙ୍କୁ ଏଭଳି ସୁଯୋଗ ମିଳିପାରେ।
ଏବେ ସମସ୍ତଙ୍କର ନଜର ରହିଛି ସୁପ୍ରିମ କୋର୍ଟ ଉପରେ। ମହାରାଷ୍ଟ୍ର ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି ଶିବ ସେନା, ଏନସିପି ଓ କଂଗ୍ରେସ ପକ୍ଷରୁ ସୁପ୍ରିମ କୋର୍ଟରେ ଆଜି ଯେଉଁ ପିଟିସନ ଦାଖଲ କରାଯାଇଛି ତାହାର କାଲି (ରବିବାର) ଦିନ ୧୧ଟା ୩୦ ମିନିଟରେ ଶୁଣାଣି କରାଯିବ। ଏହି ପିଟିସନରେ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ବେଆଇନ ଦର୍ଶାଯିବା ସହିତ ଫଡ୍ନାଭିସଙ୍କୁ ୨୪ ଘଣ୍ଟା ଭିତରେ ଶକ୍ତି ପରୀକ୍ଷାର ସମ୍ମୁଖୀନ ହେବା ପାଇଁ ନିର୍ଦେଶ ଦେବାକୁ ଦାବି କରାଯାଇଛି। ଏହା ଉପରେ ସର୍ବୋଚ୍ଚ ଅଦାଲତ କଣ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି।
ସୂଚନାଯୋଗ୍ୟ ଯେ ୨୦୧୮ ମଇ ମାସରେ କର୍ଣ୍ଣାଟକରେ ଠିକ୍ ଏହିଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଥିଲା। ସଂଖ୍ୟାଗିଷ୍ଠତା ନଥାଇ ମଧ୍ୟ ବିଜେପି ନେତା ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ ରାଜ୍ୟପାଳ। ତାଙ୍କୁ ଆସ୍ଥାର ପ୍ରମାଣ ଦେବାଲାଗି ୧୫ ଦିନ ସମୟ ଦେଇଥିଲେ। ଏହାକୁ ବିରୋଧ କରି ବିରୋଧୀ କଂଗ୍ରେସ ଓ ଜେଡିଏସ୍ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ ୨୪ ଘଣ୍ଟା ଭିତରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାଲାଗି ସୁପ୍ରିମ କୋର୍ଟ ୟେଦୁରପ୍ପାଙ୍କୁ ନିର୍ଦେଶ ଦେଇଥିଲେ। କିନ୍ତୁ ଆସ୍ଥା ଭୋଟ୍ ପୂର୍ବରୁ ୟେଦୁରପ୍ପା ଇସ୍ତଫା ଦେଇଥିଲେ। କାଲି ସୁପ୍ରିମ କୋର୍ଟ ସେଭଳି କୌଣସି ନିର୍ଦେଶ ଦେଇପାରନ୍ତି ବୋଲି ଶିବ ସେନା ଓ ଏପସିପି ଆଶା ବାନ୍ଧିଛନ୍ତି।