ନେତାଜୀଙ୍କ ପ୍ରତିମୂର୍ତ୍ତି ଉପରେ ନଜର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ‌ସଂସଦ ଭବନ ଉପରେ ଅନାବରଣ କରାଯାଇଥିବା ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭକୁ ନେଇ ବିବାଦ ଆରମ୍ଭ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ମାସରେ ଇଣ୍ଡିଆ ଗେଟ୍‌ରେ ସ୍ଥାପନ ହେବାକୁ ଥିବା ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି କାର୍ଯ୍ୟକୁ ଉଚିତ ଢଙ୍ଗରେ କ୍ରିୟାନ୍ବୟନ କରିବା କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପାଇଁ ନୂତନ ଆହ୍ବାନ ହୋଇପାରେ ବୋଲି ଆଲୋଚନା ହେଉଛି। ଆସନ୍ତା ଅଗଷ୍ଟ ୫ ତାରିଖ ସୁଦ୍ଧା ନେତାଜୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟକୁ ଶେ‌ଷ କରିବା ପାଇଁ ନିୟୋଜିତ ଶିଳ୍ପୀମାନେ ଦିନରାତି କାର୍ଯ୍ୟ କରୁଛନ୍ତି।

ଅଗଷ୍ଟ ୧୫ରେ ଇଣ୍ଡିଆ ଗେଟ୍‌ରେ ନେତାଜୀଙ୍କ ପ୍ରତିମୂର୍ତ୍ତି ଅନାବରଣ ହେବାର ସମ୍ଭାବନା ରହିଛି। ଏହାର ନିର୍ମାଣରେ ଯେଭଳି କୌଣସି ବ୍ୟତିକ୍ରମ ନ ଘଟେ ସେଥି ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ନିଆଯାଉଛି। ପ୍ରତିମୂର୍ତ୍ତି ନିର୍ମାଣର ଅଗ୍ରଗତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଲଗାତାର ତଦାରଖ କରାଯାଉଛି। ସୂତ୍ର ଅନୁସାରେ ନେତାଜୀଙ୍କ ପ୍ରତିମୂର୍ତ୍ତିକୁ ବାସ୍ତବ ରୂପ ଦେବା ପାଇଁ ଆଇଏନ୍‌ଏରେ ସଂପୃକ୍ତ ବ୍ୟକ୍ତିମାନଙ୍କ ଠାରୁ ତାଙ୍କ ଟୋପି ଓ ବ୍ୟକ୍ତିତ୍ବର ଆଭାସ ସଂଗ୍ରହ କରାଯାଇ ପ୍ରତିମୂର୍ତ୍ତିର ନିର୍ମାଣ କାର୍ଯ୍ୟକୁ ରୂପାନ୍ତର କରାଯାଉଛି। ପ୍ରତିମୂର୍ତ୍ତି ନିର୍ମାଣରେ ସିଦ୍ଧହସ୍ତ ମହିଶୁର ସ୍ଥପତି ଅରୁଣ ଯୋଗିରାଜଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି। ଚଳିତ ବର୍ଷ ଜାନୁଆରି ୨୩ରେ ପ୍ରଧାନମନ୍ତ୍ରୀ ଇଣ୍ଡିଆ ଗେଟ୍‌ରେ ନେତାଜୀଙ୍କ ହଲୋଗ୍ରାମ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ। ନେତାଜୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସେହି ସ୍ଥାନରେ ହଲୋଗ୍ରାମ ପ୍ରତିମା ରହିବ ବୋଲି କୁହାଯାଇଥିଲା। ଏହି ପ୍ରତିମାରେ ନେତାଜୀଙ୍କ ବାମ ହାତରେ ଖଣ୍ଡା ରହିଥିଲା। ହେ‌ଲେ ବର୍ତ୍ତମାନ ନିର୍ମାଣ ହେଉଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିରେ ଖଣ୍ଡା ନାହିଁ। ପ୍ରତିମୂର୍ତ୍ତିରୁ ଖଣ୍ଡାକୁ ହଟାଇ ଦିଆଯାଇଛି। ଏହାର କାରଣ ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର