ଆନ୍ଦୋଳନକୁ ଆହୁରି ସଶକ୍ତ କରିବା ପାଇଁ ଦିଲ୍ଲୀ ସୀମାରେ ଘର ତିଆରି କଲେ ଆନ୍ଦୋଳନରତ ଚାଷୀ

ନୂଆଦିଲ୍ଲୀ: ଗତ କିଛି ମାସ ହେଲାଣି ଦେଶର କୃଷକମାନେ କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ଆନ୍ଦୋଳକ କରୁଛନ୍ତି । ଜାନୁଆରି ୨୬ରେ ଦିଲ୍ଲୀର ବିଭିନ୍ନସ୍ଥାନ ଓ  ଲାଲକିଲ୍ଲାରେ ହୋଇଥିବା ହିଂସା ପରଠାରୁ ଆନ୍ଦୋଳନର ଠିକଣା ବଦଳିଥିଲେ ମଧ୍ୟ ଦିଲ୍ଲୀସୀମାରେ ଧାରଣାରେ ବସିରହିଛନ୍ତି ଚାଷୀ । ସରକାର ଦାବି ପୂରଣ କରୁ ନ ଥିବା ବେଳେ ଆଗକୁ ଆହୁରି ଅଧିକ ମାସ ଆନ୍ଦୋଳନ କରିବାର ଲକ୍ଷ୍ୟ ନେଇ ଆନ୍ଦୋଳନରତ ଚାଷୀମାନେ ଦିଲ୍ଲୀରେ ଇଟାରେ ଘର ତିଆରି କରିବା ଆରମ୍ଭ କରିଛନ୍ତି।

ଗତ ବର୍ଷ ନଭେମ୍ବରରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ଚାଷୀମାନେ ସୀମାରେ ଖରା, ବର୍ଷା ଏବଂ ଶୀତ ସହି ଆନ୍ଦୋଳନରେ ବସିଥିଲେ। ଏବେ ସେମାନେ ଏସବୁରୁ ରକ୍ଷା ପାଇବା ପାଇଁ ଘର ନିର୍ମାଣ କରୁଥିବା ଜଣାପଡ଼ିଛି, ଯାହାର ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି।

ସୌଜନ୍ୟ:- ଏନଡିଟିଭି

ହରିୟାଣା ନିକଟ ଟିକ୍ରି ସୀମାରେ ବିକ୍ଷୋଭକାରୀମାନେ ନିଜେ ଏହି ଘର ନିର୍ମାଣ କରୁଥିବା ଦେଖିବାକୁ ମିଳିଛି। ସେମାନେ ନିର୍ମାଣ ସାମଗ୍ରୀ ପାଇଁ ଖର୍ଚ୍ଚ କରୁଥିବା ବେଳେ ଶ୍ରମ ମୂଲ୍ୟକୁ ସଞ୍ଚୟ କରୁଛନ୍ତି। ପ୍ରତ୍ୟେକ ଘର ନିର୍ମାଣ ପାଇଁ ଆନୁମାନିକ ମୂଲ୍ୟ ପ୍ରାୟ, ୨୦,୦୦୦-୨୫,୦୦୦ଟଙ୍କା ଖର୍ଚ୍ଚ ହେଉଛି। ତାପମାତ୍ରା ବଢ଼ୁଥିବାରୁ ଚାଷୀମାନେ ଅସ୍ଥାୟୀ ଟେଣ୍ଟକୁ ଭାଙ୍ଗି ଇଟାରେ ଘର ନିର୍ମାଣ କରୁଥିବା ଜଣାପଡ଼ିଛି।

ଏ ମଧ୍ୟରେ ସରକାର ଏବଂ ଚାଷୀଙ୍କ ମଧ୍ୟରେ ୧୦ମ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସମାଧାନର ବାଟ ବାହାରିପାରି ନାହିଁ। ମାର୍ଚ୍ଚ ୨୬ରେ ଆନ୍ଦୋଳନକୁ ୪ମାସ ପୂରିବାକୁ ଥିବା ବେଳେ ବିକ୍ଷୋଭକାରୀମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି।

ସମ୍ବନ୍ଧିତ ଖବର