ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ଏନ୍ଡିଏର ଐତିହାସିକ ବିଜୟ ପାଇଁ ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଆଜି ଉତ୍ସବ ପାଳନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରୀ ଗାମୁଛା ହଲାଇ ଓ ‘ହର ହର ମୋଦୀ’ ସ୍ଲୋଗାନ ଭିତରେ ମଞ୍ଚରେ ପହଞ୍ଚିଥିଲେ। ଦଳୀୟ କର୍ମୀଙ୍କୁ ଉଦ୍ବୋଧନ ଦେଇ ମୋଦୀ କହିଛନ୍ତି, ‘ଏହା ଏକ ବିଶାଳ ବିଜୟ, ଏକ ଅତୁଟ ବିଶ୍ବାସ ଏବଂ ବିହାରର ଜନତାଙ୍କ ସୁଶାସନ ପ୍ରତି ସମର୍ଥନର ପ୍ରମାଣ। ଆମେ ଲୋକଙ୍କ ସେବକ। ଆମେ ଆମର କଠିନ ପରିଶ୍ରମ ବଳରେ ଲୋକଙ୍କୁ ଖୁସି କରିଛୁ ଏବଂ ଲୋକଙ୍କ ହୃଦୟ ଚୋରି କରିଛୁ।
ସେଥିପାଇଁ ସମଗ୍ର ବିହାର ଆମକୁ ହୃଦୟରୁ ସମର୍ଥନ କରିଛି। ଆର୍ଜେଡି ଶାସନ ସମୟର ଜଙ୍ଗଲ ରାଜ୍ ଉପରେ ତାଙ୍କର ମତ ଦୋହରାଇ ମୋଦୀ କହିଛନ୍ତି, ‘ ବିହାର ନିର୍ବାଚନ ସମୟରେ ମୁଁ ଜଙ୍ଗଲ ରାଜ୍ ଓ ‘କଟ୍ଟା’ ସରକାର ସମ୍ପର୍କରେ କହିବା ସମୟରେ ଆର୍ଜେଡି କୌଣସି ଆପତ୍ତି ଉଠାଇନଥିଲା। କିନ୍ତୁ କଂଗ୍ରେସ ଲୋକଙ୍କୁ ଏହା ବାଧିଥିଲା। ଏବେ ଜଙ୍ଗଲ ରାଜ ବିହାରକୁ ଆଉ ଫେରିବ ନାହିଁ। କଂଗ୍ରେସ ଏକ ପରଜୀବୀ ଦଳ ଏବଂ ଏହି ଦଳରେ ଆଗକୁ ବହୁତ ବଡ଼ ବିଭାଜନ ହେବାକୁ ଯାଉଛି। ଏବେ ତୁଷ୍ଟୀକରଣର ଯୁଗ ଶେଷ ହୋଇଛି ଏବଂ ସନ୍ତୁଷ୍ଟୀକରଣର ସମୟ ଆସିଛି। ଭୋଟର ତାଲିକା ନେଇ ଇଣ୍ଡି ମେଣ୍ଟ ନେତାଙ୍କ ମିଥ୍ୟା ପ୍ରଚାରକୁ ବିହାରବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ବିକାଶ ଓ ସୁଶାସନ ଜାରି ରଖିବାକୁ ମତ ଦେଇଛନ୍ତି। ରାଜ୍ୟରେ ସର୍ବାଧିକ ସ୍ବଚ୍ଛ ଓ ନିରପେକ୍ଷ ନିର୍ବାଚନ ପରିଚାଳନା କରିବାରେ ନିର୍ବାଚନ କମିସନଙ୍କ ଭୂମିକାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।
କଂଗ୍ରେସ ଏକ ପରଜୀବୀ ଦଳ
ନୀତୀଶ କୁମାରଙ୍କ ନେତୃତ୍ବକୁ ପ୍ରଶଂସା
ପଶ୍ଚିମବଙ୍ଗରେ ୨୦୨୬ ନିର୍ବାଚନକୁ ଟାର୍ଗେଟ୍ କରି ମୋଦୀ ଘୋଷଣା କରିଛନ୍ତି, ଆମେ ବିହାରରେ ଜଙ୍ଗଲରାଜର ମୂଳୋତ୍ପାଟନ କରିଛୁ ଏବଂ ପଶ୍ଚିମବଙ୍ଗରେ ମଧ୍ୟ ତାହା କରିବୁ। ଆଗକୁ ପଶ୍ଚିମବଙ୍ଗରେ ଜଙ୍ଗଲରାଜର ଅବସାନ ହେବ ଏବଂ ଜନସାଧାରଣ ବିଜୟ ପଥ ପ୍ରସ୍ତୁତ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିହାରର ବିଜୟ ପଶ୍ଚିମବଙ୍ଗ, ତାମିଲନାଡ଼ୁ ଓ କେରଳରେ ବିଜେପି କର୍ମୀଙ୍କ ପାଇଁ ଉତ୍ସାହର ସଞ୍ଚାର ବୋଲି ସେ କହିଛନ୍ତି। ବିହାର ବିଜୟ ରାଜ୍ୟର ମହିଳାମାନଙ୍କ ପାଇଁ ମଧ୍ୟ ଏକ ଐତିହାସିକ ବିଜୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ବିଜୟକୁ ପ୍ରଧାନମନ୍ତ୍ରୀ ବିହାରର ଜନତାଙ୍କ ପ୍ରତି ଉତ୍ସର୍ଗ କରିଛନ୍ତି ଓ ନୀତୀଶ କୁମାରଙ୍କ ନେତୃତ୍ବକୁ ପ୍ରଶଂସା କରିଛନ୍ତି। ମୋଦୀ କହିଛନ୍ତି, ୨୦୧୦ ପରେ ବିହାର ଏନ୍ଡିଏକୁ ଏବେ ସବୁଠାରୁ ଶକ୍ତିଶାଳୀ ଜନାଦେଶ ମିଳିଛି। ଏଥିପାଇଁ ବିହାର ବାସିନ୍ଦାଙ୍କୁ ମୁଁ ଏନ୍ଡିଏ ମେଣ୍ଟର ସମସ୍ତ ଦଳ ପକ୍ଷରୁ ହୃଦୟରୁ ଧନ୍ୟବାଦ ଜଣାଉଛି। ମୋଦୀ ମଧ୍ୟ ଶାନ୍ତିପୂର୍ଣ୍ଣ ଭୋଟିଂକୁ ପ୍ରଶଂସା କରିଛନ୍ତି। ମୋଦୀ କହିଛନ୍ତି, ଏହି ନିର୍ବାଚନ ପୁଣିଥରେ ନିର୍ବାଚନ କମିସନଙ୍କ ଉପରେ ଲୋକଙ୍କ ବିଶ୍ବାସ ସୁଦୃଢ଼ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/15/fashfsfhxvbbv-2025-11-15-01-19-43.jpg)