ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଚଳିତ ମାସ ଶେଷ ସୁଦ୍ଧା ଦଳର ନୂତନ ଅଧ୍ୟକ୍ଷଙ୍କ ନାମ ଘୋଷଣା କରିପାରେ ଏବଂ ଏହି ପଦକ୍ଷେପ ପରେ କ୍ୟାବିନେଟ୍ ସମ୍ପ୍ରସାରଣ ସହ ଅଦଳବଦଳ ହୋଇପାରେ ବୋଲି ଏକ ସୂତ୍ରରୁ ପ୍ରକାଶ। ଏନ୍ସିପି, ଶିବସେନା ଏବଂ ବିହାରର ପ୍ରମୁଖ ଏନ୍ଡିଏ ସହଯୋଗୀ ଦଳର ନୂଆ ଚେହେରାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ। ବିଜେପିର ପରବର୍ତ୍ତୀ ଅଧ୍ୟକ୍ଷ ପଦ ପାଇଁ କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଖଟ୍ଟର, ଧର୍ମେନ୍ଦ୍ର ପ୍ରଧାନ ଓ ଭୂପେନ୍ଦ୍ର ଯାଦବଙ୍କ ନାମ ଚର୍ଚ୍ଚାରେ ରହିଛି। ଆସନ୍ତା ସପ୍ତାହରେ ବିଜେପି ପକ୍ଷରୁ ଆର୍ଏସ୍ଏସ୍ଠାରୁ ଏ ନେଇ ମତାମତ ଲୋଡ଼ାଯିବ ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ବିଜେପି ଏହାର ରାଜ୍ୟ ୟୁନିଟ୍ଗୁଡ଼ିକର ପୁନର୍ଗଠନ ସମ୍ପୂର୍ଣ୍ଣ କରିବ ବୋଲି ଆଶା କରାଯାଉଛି। ବିଜେପି ସଭାପତିଙ୍କ ନାମ ଘୋଷଣା ପୂର୍ବରୁ ଦଳ ପକ୍ଷରୁ ୪-୫ଟି ନୂଆ ରାଜ୍ୟ ସଭାପତିଙ୍କ ନାମ ଘୋଷଣା କରାଯାଇପାରେ। ଆସନ୍ତା ସପ୍ତାହରେ ନୂଆ ସଭାପତି ନିର୍ବାଚନ ପ୍ରକ୍ରିୟା ପାଇଁ ବିଜ୍ଞପ୍ତି ପ୍ରକାଶ କରିପାରେ ବିଜେପି। ଏହା ପରେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ। ସାଧାରଣତଃ ବିନା ପ୍ରତିଦ୍ୱନ୍ଦ୍ୱିତାରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଉଥିବାରୁ ତୁରନ୍ତ ବିଜେପି ସଭାପତି ଘୋଷଣା କରାଯାଏ। ଯଦି ଆଶାନୁରୂପ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ବିଜେପିର ପରବର୍ତ୍ତୀ ଅଧ୍ୟକ୍ଷ ଭାବେ ଚୟନ କରାଯାଏ, ତା’ହେଲେ ମନ୍ତ୍ରିମଣ୍ଡଳରେ ଆଉ ଏକ ପଦବି ଖାଲି ପଡ଼ିବ, ଯେଉଁଥିପାଇଁ କ୍ୟାବିନେଟ୍ ସମ୍ପ୍ରସାରଣ କିମ୍ବା ଅଦଳବଦଳର ଆବଶ୍ୟକତା ପଡ଼ିବ।
ଜୋର୍ ଧରିଲା କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା
ମହାମେଣ୍ଟ ପାଇଁ ମହାରାଷ୍ଟ୍ରରେ ବଡ଼ ବିଜୟ ପରେ ଉଭୟ ଏନ୍ସିପି ଓ ଶିବସେନା କେନ୍ଦ୍ର ସରକାରରେ ପୂର୍ଣ୍ଣ କ୍ୟାବିନେଟ୍ ପଦ ଚାହୁଛନ୍ତି। ବିଜେପି ମଧ୍ୟ ବିହାରରେ ନିଜର ସହଯୋଗୀ ଦଳର ସଦସ୍ୟମାନଙ୍କୁ କ୍ୟାବିନେଟ୍ରେ ସ୍ଥାନ ଦେଇପାରେ। କେହି କେହି କହୁଛନ୍ତି ଯେ ଏହି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ଅଦଳବଦଳ ବେଳକୁ ମୋଦୀଙ୍କ ତୃତୀୟପାଳି ସରକାରର ପ୍ରଥମ ବାର୍ଷିକୀ ପାଖେଇ ଆସିପାରେ। ପ୍ରଧାନମନ୍ତ୍ରୀ ଏପ୍ରିଲ ୨୧ରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ଭେଟିବେ ଏବଂ ଏପ୍ରିଲ ୨୨ରୁ ୨୩ ପର୍ଯ୍ୟନ୍ତ ସାଉଦି ଆରବ ଗସ୍ତ କରିବେ। ତେଣୁ ପ୍ରଧାନମନ୍ତ୍ରୀ ଭାରତ ଫେରିବା ପରେ ହିଁ ବିଜେପି ସଭାପତିଙ୍କୁ ନେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଶା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/19/M0FH80zBsCGVZp7piCFD.jpg)