ଭୁବନେଶ୍ୱର: ସାଧାରଣ ନିର୍ବାଚନ ଫଳ ବାହାରିବାର ୮ଦିନ ପରେ ମଙ୍ଗଳବାର ବିଜେପିର ବିଧାୟକ ଦଳ ବୈଠକ ବସିବାକୁ ଯାଉଛି। ବିଜେପିର ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ସସ୍ପେନ୍ସ ଜାରି ରହିଥିବାବେଳେ ଆସନ୍ତାକାଲି ବିଧାୟକମାନେ ଏକାଠି ବସି ସେମାନଙ୍କ ନେତା ବାଛିବେ। କେନ୍ଦ୍ରୀୟ ନେତା କାହାକୁ ଯଦି ମୁଖ୍ୟମନ୍ତ୍ରୀ ଭାବେ ବାଛିଥିବେ ଏହାକୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବ ବିଧାୟକଙ୍କ ଆଗରେ ଉପସ୍ଥାପନ କରିବେ। ଯଦି ବିଧାୟକମାନେ ଏକାଧିକ ନେତାଙ୍କ ନାମ ସୁପାରିସ୍ କରନ୍ତି ତେବେ ଏହା ଉପରେ ଦୁଇ କେନ୍ଦ୍ରୀୟ ନେତା ଆଲୋଚନା କରିବେ। ବିଧାୟକ ଦଳ ବୈଠକରେ ସର୍ବସମ୍ମତିକ୍ରମେ ଯେଉଁ ନେତାଙ୍କ ଉପରେ ମୋହର ବାଜିବ ତାଙ୍କ ନାମକୁ ସଂସଦୀୟ ବୋର୍ଡକୁ ସୁପାରିସ କରିବେ।
ଆଜି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଦାବି ଜଣାଇବେ
ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀଙ୍କ ସମେତ ବରିଷ୍ଠ କେନ୍ଦ୍ରମନ୍ତ୍ରୀ
ସରକାର ବଦଳିବା ଖୁସିରେ ଓଡ଼ିଶାବାସୀ ଦୀପ ଜାଳନ୍ତୁ: ପ୍ରତାପ
ସଂସଦୀୟ ବୋର୍ଡ ଆସନ୍ତାକାଲି ହିଁ ବିଧାୟକ ଦଳ ବୈଠକର ନିଷ୍ପତ୍ତି ଉପରେ ମୋହର ମାରିବ। ଏହାପରେ ଆସନ୍ତାକାଲି ସଂଧ୍ୟାରେ ହିଁ ବିଧାୟକମାନେ ରାଜଭବନ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି ଜଣାଇବେ। ରାଜ୍ୟପାଳଙ୍କ ନିମନ୍ତ୍ରଣକ୍ରମେ ବୁଧବାର
ଜନତା ମଇଦାନରେ ବିଜେପିର ପ୍ରଥମ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବ। ଯଦି କିଛି ସମସ୍ୟା ହୁଏ ତେବେ ବୁଧବାର ସକାଳେ ହିଁ ବିଧାୟକମାନେ ରାଜ୍ୟପାଳଙ୍କୁ ସରକାର ଗଠନ ପାଇଁ ଦାବି ଜଣାଇବେ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ ବୁଧବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ହେବାକୁ ଯାଉଛି। ଏଥିପାଇଁ ପ୍ରତ୍ୟେକ ଓଡ଼ିଶାବାସୀ ନିଜ ଘରେ, ମନ୍ଦିରଗୁଡିକରେ ଦୁଇଟି ଲେଖାଏଁ ଦୀପ ଜାଳି ସରକାର ପରିବର୍ତନର ଖୁସି ମନାନ୍ତୁ। ସେଥିରୁ ଗୋଟିଏ କେନ୍ଦ୍ରରେ ତୃତୀୟଥର ମୋଦୀ ସରକାର ଗଠନ ପାଇଁ ଓ ଅନ୍ୟଟି ରାଜ୍ୟରେ ପ୍ରଥମଥର ବିଜେପି ସରକାର ଗଠନ ପାଇଁ ଜଳାନ୍ତୁ ବୋଲି ଶ୍ରୀ ଷଡ଼ଙ୍ଗୀ ଓଡ଼ିଶାବାସୀଙ୍କୁ ଅନୁରୋଧ କରିଛନ୍ତି।
ଏହାସହ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ ମଙ୍ଗଳବାର ଅପରାହ୍ନ ୪ଟା ୩୦ରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ ବସିବ। ଏହାପରେ ରାଜ୍ୟପାଳଙ୍କୁ ଦାବି ଉପସ୍ଥାପନ ପାଇଁ ସମସ୍ତ ନୂତନ ବିଧାୟକମାନେ ଯିବେ। ଜନତା ମଇଦାନରେ ହେବାକୁ ଥିବା ଶପଥଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବହୁ କେନ୍ଦ୍ରମନ୍ତ୍ରୀ ଯୋଗଦେବେ। ଏଥିପାଇଁ ପ୍ରଧାନମନ୍ତ୍ରୀ ବୁଧବାର ଅପରାହ୍ନ ୨ଟା ୩୦ରେ ଭୁବନେଶ୍ୱରରେ ପହଞ୍ଚିବେ। ପ୍ରଧାନମନ୍ତ୍ରୀ ସିଧା ରାଜଭବନକୁ ଯିବେ। ସେଠାରୁ ଶପଥଗ୍ରହଣ ଉତ୍ସବକୁ ଆସିବେ।
ବିଜେପିରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଶପଥ ଗ୍ରହଣ ଉତ୍ସବ ପରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।