ଜଳଗାଓଁ: ମହାରାଷ୍ଟ୍ରର ଜଳଗାଓଁ ଜିଲ୍ଲାରେ ଗତକାଲି ଏକ ଦୁଃଖଦ ଘଟଣାରେ ପୁଷ୍ପକ ଏକ୍ସପ୍ରେସର ଅନେକ ଯାତ୍ରୀ ଅଗ୍ନିକାଣ୍ଡ ଗୁଜବ ଯୋଗୁ ବଗିରୁ ଡେଇଁ ପଡ଼ିଥିଲେ। ଏଥିରେ ମୃତ୍ୟୁସଂଖ୍ୟା ୧୩ରେ ପହଞ୍ଚିଛି। ଜଣେ ପ୍ରତ୍ୟକ୍ଷଦର୍ଶୀ ଦାବି କରିଛନ୍ତି ଯେ ଜଣେ ଚା ବିକ୍ରେତା ନିଆଁ ଲାଗିଥିବା ମିଥ୍ୟା ଦାବି କରି ଟ୍ରେନର ଜରୁରିକାଳୀନ ଚେନ୍ ଟାଣିବାରୁ ଯାତ୍ରୀମାନେ ଭୟରେ ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ। ସେପଟେ ପାଖ ଟ୍ରାକ୍ ଦେଇ ଯାଉଥିବା କର୍ଣ୍ଣାଟକ ଏକ୍ସପ୍ରେସ୍ ସେମାନଙ୍କୁ ଦଳିଦେଇଥିଲା।

Advertisment

ତଦନ୍ତ ପାଇଁ ୫ଜଣିଆ ଟିମ୍‌ ଗଠନ କଲା ରେଳବାଇ

ପ୍ରତ୍ୟକ୍ଷଦର୍ଶୀ ବାବାଦୀପ ଶୋଭାରାମ ପାସୱାନ କହିଛନ୍ତି, ଜଣେ ଚା’ ବିକ୍ରେତା ଟ୍ରେନ୍‌ରେ ନିଆଁ ଲାଗିଥିବା ଦାବି କରି ଗୁଜବ ଆରମ୍ଭ କରିଥିଲେ। ସେ ନିଜେ ଜରୁରିକାଳୀନ ଚେନ୍ ଟାଣିଥିଲେ ଏବଂ ଟ୍ରେନ୍ ଧୀରେ ଧୀରେ ଚାଲୁଥିବା ବେଳେ ଯାତ୍ରୀମାନେ ନିଜ ଜୀବନ ବଞ୍ଚାଇବାକୁ ବାହାରକୁ ଡେଇଁବା ଆରମ୍ଭ କରିଥିଲେ। କର୍ଣ୍ଣାଟକ ଏକ୍ସପ୍ରେସ ଅତିକ୍ରମ କରୁଥିବା ଟ୍ରାକ୍ ଉପରକୁ କିଛି ଲୋକ ଡେଇଁ ପଡ଼ିବା ପରେ ପ୍ରାଣ ହରାଇଥିଲେ। ଅନ୍ୟ ଡଜନାଧିକ ଯାତ୍ରୀ ଟ୍ରାକ୍ ନ ଥିବା ପଟକୁ ଡେଇଁଥିବାରୁ ରକ୍ଷା ପାଇ ଯାଇଛନ୍ତି ବୋଲି ପ୍ରତ୍ୟକ୍ଷଦର୍ଶୀ ଉଲ୍ଲେଖ କରିଛନ୍ତି। କିନ୍ତୁ ପ୍ରକୃତରେ ଟ୍ରେନ୍‌ରେ କୌଣସି ନିଆଁ ଲାଗି ନ ଥିଲା ଏବଂ ଚା ବିକାଳି ଗୁଜବ କରିଥିଲେ। ଜଳଗାଓଁରେ ଘଟିଥିବା ଦୁଃଖଦ ରେଳ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। କ୍ଷତିଗ୍ରସ୍ତଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଜଳଗାଓଁ ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ଦେବାକୁ ଘୋଷଣା କରିଛି ରେଳ ମନ୍ତ୍ରଣାଳୟ।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଜଳଗାଓଁ ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ଦେଢ଼ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କା ଓ ସାମାନ୍ୟ ଆହତଙ୍କୁ ୫ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଦିଆଯିବ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମଧ୍ୟ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଉକ୍ତ ଘଟଣାର ତଦନ୍ତ ପାଇଁ ୫ ଜଣିଆ ଟିମ୍‌ ଗଠନ କରାଯାଇଛି।