ଇଜ୍‌ ଅଫ୍‌ ଲିଭିଂ ଇଣ୍ଡେକ୍ସ:ଆନ୍ଧ୍ର ପ୍ରଥମ, ଦ୍ବିତୀୟ ସ୍ଥାନରେ ଓଡ଼ିଶା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି ହୋଇଥିବା ସହଜ ଜୀବନଯାପନ (ଇଜ୍‌ ଅଫ୍‌ ଲିଭିଂ) ସୂଚକାଙ୍କରେ ଆନ୍ଧ୍ର ପ୍ରଦେଶ ଦେଶର ସବୁଠାରୁ ଶ୍ରେଷ୍ଠ ରାଜ୍ୟ ହୋଇଥିବା ବେଳେ ଏହି ତାଲିକାରେ ଓଡ଼ିଶା ଦ୍ବିତୀୟ ଏବଂ ମଧ୍ୟପ୍ରଦେଶ ତୃତୀୟ ସ୍ଥାନରେ ରହିଛି। ଇଜ୍‌ ଅଫ୍‌ ଲିଭିଂ ସୂଚକାଙ୍କରେ ଏହି ରାଜ୍ୟମାନଙ୍କର ଚୟନ ଅଟଳ ସହର ପୁନରୁତ୍ଥାନ ମିସନ (ଅମୃତ) ଯୋଜନାରେ କରାଯାଇଛି। ଇଜ୍‌୍‌ ଅଫ୍‌ ଲିଭିଂ ଇଣ୍ଡେକ୍ସ ନେଇ ଦିଲ୍ଲୀରେ ଆୟୋଜିତ ଏକ ଜାତୀୟ କାର୍ଯ୍ୟକ୍ରମରେ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ ଦେଶର ସମସ୍ତ ସହରର ସୁବିଧାଜନକ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏହି ସୂଚକାଙ୍କ ପ୍ରସ୍ତୁତ କରାଯାଇଛି । ଭବିଷ୍ୟତରେ ସହରଗୁଡ଼ିକ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ଷେତ୍ରରେ ଜୀବନଯାପନର ମାନକୁ କିଭଳି ଧ୍ୟାନରେ ରଖି କାର୍ଯ୍ୟ କରିବେ ସେଥିପ୍ରତି ଗୁରୁତ୍ବାରୋପ କରାଯାଇଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍‌ ୨୦୧୫ରେ ଅମୃତ ଯୋଜନାର ଶୁଭାରମ୍ଭ କରିଥିଲେ। ଇଜ୍‌ ଅଫ୍‌ ଲିଭିଂ ଇଣ୍ଡେକ୍ସ ମାଧ୍ୟମରେ ବିଭିନ୍ନ ସହରର କ୍ଷମତା, ସୁବିଧାସୁଯୋଗ, ଦୁର୍ବଳତା ଏବଂ ଦୀର୍ଘକାଳୀନ ସମସ୍ୟାଗୁଡ଼ିକ ସଂପର୍କରେ ଆକଳନ କରାଯାଇଛି ।

ସମ୍ବନ୍ଧିତ ଖବର