ପାକିସ୍ତାନ ଓ ଚୀନକୁ ମୁହଁତୋଡ୍ ଜବାବ : ଖାଲି କିଣିବ ନାହିଁ; ଭାରତ ତିଆରି କରିବ ଲଢ଼ୁଆ ବିମାନ ଏଫ୍‌- ୧୬ ଫାଇଟିଙ୍ଗ ଫାଲକନ୍‌

ନୂଆଦିଲ୍ଲୀ: ବିଶ୍ୱର ନାମୀଦାମୀ ଲଢ଼ୁଆ ବିମାନ ମଧ୍ୟରେ ଏଫ୍‌- ୧୬ ଏକ ବହୁ ପରିଚିତ ନାମ। ଯୁକ୍ତରାଷ୍ଟ୍ର ଆମେରିକା ଦ୍ୱାରା ନିର୍ମିତ ଏହି ଲଢ଼ୁଆ ବିମାନ ଏଫ୍‌- ୧୬ କେବଳ ମାତ୍ର ଆମେରିକା ବାୟୁସେନାର ନୁହେଁ; ବରଂ ବିଶ୍ୱର ଅନ୍ୟ ୨୮ଟି ରାଷ୍ଟ୍ରର ବାୟୁସେନା ପାଇଁ ମଧ୍ୟ ଏକ ନିର୍ଭରଯୋଗ୍ୟ ଲଢ଼ୁଆ ବିମାନ ରୂପେ ବିଶେଷ ମାନ୍ୟତା ପାଇପାରିଛି। ଏକ ଇଞ୍ଜିନ୍‌ ବିଶିଷ୍ଟ ସୁପରସୋନିକ ଲଢ଼ୁଆ ବିମାନ ଏଫ୍‌-୧୬ର ସର୍ବ ପ୍ରଥମ ନିର୍ମାଣ ହୋଇଥିଲା ୨୦ ଜାନୁଆରି ୧୯୭୪ରେ। ପରେ ଏହା ନିଜର ନିର୍ଭରଯୋଗ୍ୟତା ଓ ସଫଳତା ଆଧରରେ ବିଶ୍ୱର ଅନ୍ୟ ରାଷ୍ଟ୍ରମାନଙ୍କର ବାୟୁସେନାରେ ନିଜକୁ ସାମିଲ କରିପାରିଥିଲା। ପରବର୍ତ୍ତୀ ସମୟରେ ବିଗତ ଚାରି ଦଶନ୍ଧି ମଧ୍ୟରେ ଏଫ୍‌-୧୬ ଲଢ଼ୁଆ ବିମାନ ସମୟ ସହ ତାଳ ଦେଇ ନିଜର ଆଧୁନିକୀକରଣ ପ୍ରକ୍ରିୟାକୁ ଜାରି ରଖିଥିଲା ଏବଂ ଏବେବି ରଖିଛି ମଧ୍ୟ। ଆଜି ସୁଦ୍ଧା ୪,୫୦୦ଟି ଏଫ୍‌-୧୬ ଲଢ଼ୁଆ ବିମାନ ନିର୍ମିତ ହୋଇ ବିଭିନ୍ନ ଦେଶର ବାୟୁସେନାରେ ମୁତୟନ ହୋଇଛି।

ତେବେ, ଏହାର ନିର୍ମାଣକାରୀ କମ୍ପାନି ଲକ୍‌ହିଡ୍‌ ମାର୍ଟିନ୍‌ ଏବେ ଭାରତରେ ଏହାର ଅନ୍ୟ ଏକ କାରଖାନା ପ୍ରତିଷ୍ଠା କରିବା ପାଇଁ ଭାରତ ସରକାରଙ୍କ ସହ ସମସ୍ତ ପ୍ରସ୍ତୁତି ଶେଷ କରିଛି। ଭାରତରେ ପ୍ରତିଷ୍ଠିତ ହେବାକୁ ଥିବା ଲକ୍‌ହିଡ୍‌ ମାର୍ଟିନ କମ୍ପାନିର ଏହି କାରଖାନାରୁ ସଂପୂର୍ଣ୍ଣ ଅତ୍ୟାଧୁନିକ ଜ୍ଞାନକୌଶଳ ସଂପନ୍ନ ଫିପ୍‌ଥ ଜେନେରେସନ୍‌ର ଏଫ୍‌-୧୬ ଲଢ଼ୁଆ ବିମାନ ନିର୍ମାଣ କରିବାକୁ ଯୋଜନା ରଖିଛି କମ୍ପାନି। ଆଉ ସଂପୂର୍ଣ୍ଣ ଅତ୍ୟାଧୁନିକ ଜ୍ଞାନକୌଶଳ ସଂପନ୍ନ ଫିପ୍‌ଥ ଜେନେରେସନ୍‌ର ଏଫ୍‌-୧୬ ଲଢ଼ୁଆ ବିମାନର ନାମ ହେଉଛି ଏଫ୍‌-୧୬ଭି ବ୍ଲକ୍‌ ୭୦ ବା ଏଫ୍‌-୧୬ ଫାଇଟିଙ୍ଗ୍‌ ଫାଲକନ୍‌। ଏଥିରେ ଅତ୍ୟାଧୁନିକ ଡାଟାଲିଙ୍କ୍‌, ଜିପିଏସ୍‌ ନାଭିଗେସନ୍‌, ସ୍ନିପର ଟାର୍ଗେଟିଂ ପଡ୍‌, ଇଲେକ୍ଟ୍ରୋନିକ୍ସ ରାଡାର୍‌ ରହିବ। ତେବେ, ଏହି ଲଢ଼ୁଆ ବିମାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଶେଷତ୍ୱ ହେଉଛି ଏହାକୁ ଧ୍ୱଂସ କରିବା ପାଇଁ ଭୃପୃଷ୍ଠରୁ ଏହା ଉପରକୁ ହେବାକୁ ଥିବା ସମସ୍ତ ଆକ୍ରମଣକୁ ଏହା ସ୍ୱୟଚାଳିତ ଢ଼ଙ୍ଗରେ ପ୍ରତିହତ କରିବାର କ୍ଷମତା ରଖିଛି। ଏହି ଲଢ଼ୁଆ ବିମାନ ଭାରତରେ ନିର୍ମାଣ ହେଲେ ଏହା ଆମ ଦେଶର ଚାହିଦା ମେଣ୍ଟାଇବା ସହ ଦେଶକୁ ରପ୍ତାନିର ଏକ ପେଣ୍ଠରେ ପରିଣତ କରିବ।

ସମ୍ବନ୍ଧିତ ଖବର