ତିରୁଅନନ୍ତପୁରମ୍: ବ୍ରିଟେନର ୧୧୦ ନିୟୁତ ଡଲାର ମୂଲ୍ୟର ଏଫ୍-୩୫ ଷ୍ଟେଲ୍‌ଥ ଲଢୁଆ ବିମାନ କେରଳର ତିରୁଅନନ୍ତପୁରମ୍ ବିମାନବନ୍ଦରରେ ଫସି ରହିବାର ଦୁଇ ସପ୍ତାହ ପୂରଣ ହେବାକୁ ବସିଛି। ଏହାର ଉଡ଼ାଣ ପାଇଁ ଅନେକ ଥର ଚେଷ୍ଟା କରାଯାଇଥିଲେ ମଧ୍ୟ ସବୁ ବିଫଳ ହୋଇଛି। ଏବେ ରୟାଲ ବ୍ରିଟିସ ନୌସେନା ଏହାର ଉଡ଼ାଣ ପାଇଁ ପୁଣି ଥରେ ପ୍ରୟାସ ଚଳାଇଛି। ହାଇଡ୍ରୋଲିକ୍ ତ୍ରୁଟି ଯୋଗୁଁ ଜୁନ୍ ୧୪ ତାରିଖରୁ ବନ୍ଦ ଥିବା ଏଫ୍-୩୫ବି ବିମାନର ମରାମତି ପାଇଁ ଏବେ ବ୍ରିଟେନରୁ ଏକ ସ୍ବତନ୍ତ୍ର ଟୋ ଟ୍ରଲି ସହ ବ୍ରିଟିସ ଇଞ୍ଜିନିୟର ଓ ବିଶେଷଜ୍ଞଙ୍କ ୪୦ ଜଣିଆ ଟିମ୍ କେରଳ ଆସୁଛି। ସେପଟେ ଏହି ଲଢୁଆ ବିମାନର ବର୍ଦ୍ଧିତ ରହଣି ପାଇଁ ବ୍ରିଟେନକୁ ପାର୍କିଂ ଶୁଳ୍କ ଦେବାକୁ ପଡିପାରେ ବୋଲି ଜଣାପଡ଼ିଛି। ଜୁନ୍ ୧୪ ତାରିଖରେ ରୟାଲ ବ୍ରିଟିସ ନୌସେନାର ଏଚ୍ଏମ୍ଏସ୍ ପ୍ରିନ୍ସ ଅଫ୍ ୱେଲ୍ସ କ୍ୟାରିୟର ଷ୍ଟ୍ରାଇକ୍ ଗ୍ରୁପ୍‌ର ଅଂଶ ଏଫ୍-୩୫ବି ଲାଇଟ୍‌ନିଂ-୨ ତିରୁଅନନ୍ତପୁରମ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରିକାଳୀନ ଅବତରଣ କରିଥିଲା।

Advertisment

ଭାରତୀୟ ବାୟୁସେନା ସୁରକ୍ଷିତ ଅବତରଣ, ଇନ୍ଧନ ଭରିବା ଓ ଲଜିଷ୍ଟିକ୍ ସହାୟତା ଯୋଗାଇବାରେ ସହାୟକ ହୋଇଥିଲା, କିନ୍ତୁ ପରବର୍ତ୍ତୀ ହାଇଡ୍ରୋଲିକ୍ ବିଫଳତା ଯୋଗୁଁ ବିମାନଟି ଅଟକି ରହିଥିଲା। ଭାରତରେ ଫସି ରହିବାର ଦ୍ବିତୀୟ ସପ୍ତାହରେ ସୋସିଆଲ ମିଡିଆରେ ଅନେକ ମଜାଳିଆ ପୋଷ୍ଟ ଦେଖିବାକୁ ମିଳିଛି। ଏକ ଭାଇରାଲ୍ ପୋଷ୍ଟରେ ୧୧୦ ନିୟୁତ ଡଲାରର ଏହି ଜେଟ୍‌କୁ ଓଏଲ୍ଏକ୍ସରେ ମାତ୍ର ୪୦ ନିୟୁତ ଡଲାରରେ ବିକ୍ରି ପାଇଁ ତାଲିକାଭୁକ୍ତ କରାଯାଇଥିବା ଉଲ୍ଲେଖ କରାଯାଇଛି। ଅନ୍ୟମାନେ ପରିହାସରେ କହିଛନ୍ତି ଯେ ଏହି ବିମାନ ଏବେ ଭାରତୀୟ ନାଗରିକତା ପାଇବାକୁ ଯୋଗ୍ୟ।  କେହି କେହି କହିଛନ୍ତି ଯେ ବ୍ରିଟିସ ଏଫ୍-୩୫ବି କେରଳରେ ଖୋଲା ସ୍ଥାନରେ ପାର୍କିଂ କରିବା ସୌଭାଗ୍ୟଜନକ।