ଜେଦାହ ଆତଙ୍କବାଦୀ ଆକ୍ରମଣ ସତ୍ତ୍ବେ ରବିବାର ଅନୁଷ୍ଠିତ ହେବ ଫର୍ମୁଲା-୧ ରେସ୍

ଜେଦାହ : ସାଉଦି ଆରବର ରାଜଧାନୀ ଜେଦାହଠାରେ ଶୁକ୍ରବାର ହୋଇଥିବା ଆତଙ୍କବାଦୀ ଆକ୍ରମଣ ସତ୍ତ୍ବେ ସେଠାରେ ଆସନ୍ତା ରବିବାର  ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ଫର୍ମୁଲା-୧ ରେସ ଅନୁଷ୍ଠିତ ହେବ । ଏନେଇ ଫର୍ମୁଲା-୧ ଡ୍ରାଇଭରମାନେ ରାଜି ହୋଇଛନ୍ତି ।

ଶନିବାର ଦିନ ସାଉଦି ଆରବର ବରିଷ୍ଠ ଅଧିକାରୀ ଓ ଡ୍ରାଇଭରମାନଙ୍କ ମଧ୍ୟରେ ହୋଇଥିବା ୪ ଘଣ୍ଟାର ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଗ୍ରାଣ୍ଡ ପ୍ରିକ୍ସ ଡ୍ରାଇଭର୍ସ ଆସୋସିଏସନ ପକ୍ଷରୁ କୁହାଯାଇଛି ଯେ ଏହି ଆତଙ୍କବାଦୀ ଆକ୍ରମଣ ପରେ ସେମାନଙ୍କ ମଧ୍ୟରେ ସ୍ବାଭାବିକଭାବେ ମାନବୀୟ ଆତଙ୍କ ଓ ଭୟ ରହିଛି । ଏହା ସତ୍ତ୍ବେ ରବିବାର ରେସ ଜାରି ରହିବ ।

ଶୁକ୍ରବାରର ଆତଙ୍କବାଦୀ ଆକ୍ରମଣ ବେଳେ ଫର୍ମୁଲା-୧ ଡ୍ରାଇଭରମାନେ ଅଭ୍ୟାସ କରୁଥିଲେ । ସେମାନେ ଅଭ୍ୟାସ କରୁଥିବା ଟ୍ରାକଠାରୁ ପ୍ରାୟ ସାଢେ ୧୪ କିଲୋମିଟର ଦୂରରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହା ପରେ ଏହି ରେସକୁ ନେଇ ଆଶଙ୍କା ଦେଖାଯାଇଥିଲା ।

ଶୁକ୍ରବାରଦିନ ଜେଦାହଠାରେ ଥିବା ସାଉଦି ସରକାରଙ୍କ ତେଲ କମ୍ପାନି ସାଉଦି ଆରାମକୋର ଏକ ତୈଳ ଡିପୋ ଉପରେ ଇରାନ ସମର୍ଥିତ ହୁଥି ବିଦ୍ରୋହୀମାନେ କ୍ଷେପଣାସ୍ତ୍ର ମାଡ଼ କରିଥିଲେ । ଫଳରେ ବଡ଼ ବିସ୍ଫୋରଣ ହେବା ସହ ତେଲରେ ନିଆଁ ଲାଗିଯାଇଥିଲା ।

ହୁଥି ବିଦ୍ରୋହୀମାନେ ସାଉଦି ଆରବ ଉପରକୁ କେତେକ କ୍ଷେପଣାସ୍ତ୍ର ମାଡ କରିଥିଲେ । ପ୍ରାୟ ୭ଟି କ୍ଷେପଣାସ୍ତ୍ରକୁ ସାଉଦି ଏୟାର ଡିଫେନ୍ସ ସିଷ୍ଟମ ଧ୍ବଂସ କରିବାରେ ସକ୍ଷମ ହୋଇଥିଲା । ମାତ୍ର ଗୋଟିଏ କ୍ଷେପଣାସ୍ତ୍ର ତୈଳ ଡିପୋରେ ମାଡ ହୋଇଥିଲା ।

 

ସମ୍ବନ୍ଧିତ ଖବର