ନୂଆଦିଲ୍ଲୀ: କୋଭିଡ୍ ମହାମାରୀ ସମୟରେ ମାସ୍କ ବାଧ୍ୟତାମୂଳକ ଥିଲା। କାରଣ ଏହା ଲୋକଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ରକ୍ଷା କବଚ ପାଲଟିଥିଲା। ସାରା ବିଶ୍ୱରେ ଲୋକମାନେ ପ୍ରତି ମାସରେ ପ୍ରାୟ ୧୨୯୦୦ କୋଟି ସଂଖ୍ୟାରେ ମାସ୍କ ବ୍ୟବହାର କରୁଥିଲେ। ଏହି ମାସ୍କକୁ କିଛିଲୋକେ ବ୍ୟବହାର କରିବା ପରେ ଜାଳି ଦେଇଥିବା ବେଳେ ଆଉ କିଛିଲୋକ ଏହାକୁ ଅଳିଆରେ ଫିଙ୍ଗି ଦେଇଥିଲେ। ଯାହା ଏବେ ଲୋକଙ୍କ ସ୍ୱାସ୍ଥ୍ୟ ଏବଂ ପରିବେଶ ପାଇଁ ବିପଦ ସୃଷ୍ଟି କରୁଛି।
ନୂତନ ଗବେଷଣାରୁ ଜଣାପଡିଛି ଯେ କୋଭିଡ୍ ମହାମାରୀ ସମୟରେ ବ୍ୟବହୃତ ଏବଂ ଫିଙ୍ଗାଯାଇଥିବା ମାସ୍କ ପରିବେଶ ଏବଂ ମଣିଷ ପାଇଁ ଏକ ବଡ଼ ବିପଦ ପାଲଟିଛି। ଏଥିରୁ ବିପଜ୍ଜନକ ରାସାୟନିକ ପଦାର୍ଥ ନିର୍ଗତ ହେଉଛି। ଯାହା ମାନବ ସ୍ୱାସ୍ଥ୍ୟ, ପ୍ରାଣୀ ଏବଂ ପରିବେଶ ପାଇଁ ଗମ୍ଭୀର ବିପଦ ସୃଷ୍ଟି କରିପାରେ।
କୋଭିଡ୍ ସମୟରେ ମାସ୍କର ଚାହିଦା ଏତେ ଥିଲା ଯେ ଏହାର ନିଷ୍କାସନ ପାଇଁ କୌଣସି ପ୍ରଭାବଶାଳୀ ବ୍ୟବସ୍ଥା ନଥିଲା। ତେଣୁ ଲୋକେ ବ୍ୟବହାର କରିବା ପରେ ସେଗୁଡ଼ିକୁ ଅଳିଆ କିମ୍ବା ଖୋଲାସ୍ଥାନରେ ଫିଙ୍ଗି ଦେଇଥିଲେ।
ଇଂଲଣ୍ଡର କଭେଣ୍ଟ୍ରି ବିଶ୍ୱବିଦ୍ୟାଳୟର କୃଷି ପରିବେଶ, ଜଳ ଏବଂ ସ୍ଥିରତା କେନ୍ଦ୍ର (ସିଏଡବ୍ଲୁଆର)ର ଗବେଷଣା ଦଳ ମାସ୍କଗୁଡ଼ିକୁ ପାଣିରେ ରଖିବା ସମୟରେ ନିର୍ଗତ ମାଇକ୍ରୋପ୍ଲାଷ୍ଟିକ୍ ପରିମାଣର ତଦନ୍ତ କରିଥିଲେ। ଏହି ଗବେଷଣାରେ ସେମାନେ ନୂତନ ଭାବରେ କ୍ରୟ କରାଯାଇଥିବା ବିଭିନ୍ନ ପ୍ରକାରର ମାସ୍କଗୁଡ଼ିକୁ ୨୪ ଘଣ୍ଟା ପାଇଁ ବିଶୁଦ୍ଧ ପାଣିରେ ରଖିଥିଲେ ଏବଂ ପରେ ଏହି ପାଣିର ପରୀକ୍ଷା କରିଥିଲେ।
ପ୍ରତ୍ୟେକ ମାସ୍କରୁ ମାଇକ୍ରୋପ୍ଲାଷ୍ଟିକ୍ ମୁକ୍ତ ହୋଇଥିଲା, କିନ୍ତୁ ଏଫଏଫପି୨ ଏବଂ ଏଫଏଫପି୩ ମାସ୍କ ୪ ରୁ ୬ ଗୁଣ ଅଧିକ ମାଇକ୍ରୋପ୍ଲାଷ୍ଟିକ୍ ମୁକ୍ତ କରିଥିଲା। ଏଗୁଡ଼ିକ ହେଉଛି ସେହି ମାସ୍କ ଯାହାକୁ ଭାଇରସ୍ ବିରୋଧରେ ସୁରକ୍ଷା ପାଇଁ ସବୁଠାରୁ ନିର୍ଭରଯୋଗ୍ୟ ବୋଲି ବିବେଚନା କରାଯାଉଥିଲା। ଏଗୁଡ଼ିକ ଏବେ ସବୁଠାରୁ ବିପଦପୂର୍ଣ୍ଣ ପ୍ରମାଣିତ ହେଉଛି।
ଏହି ମାସ୍କଗୁଡ଼ିକରୁ ନିର୍ଗତ ମାଇକ୍ରୋପ୍ଲାଷ୍ଟିକ୍ କଣିକାଗୁଡ଼ିକର ଆକାର ବହୁତ ଭିନ୍ନ ଥିଲା। ଏଗୁଡ଼ିକର ଆକାର ୧୦ ମାଇକ୍ରୋମିଟରରୁ ୨୦୮୨ ମାଇକ୍ରୋମିଟର ପର୍ଯ୍ୟନ୍ତ ଥିଲା, କିନ୍ତୁ ୧୦୦ ମାଇକ୍ରୋମିଟରରୁ ଛୋଟ କଣିକା ପାଣିରେ ସର୍ବାଧିକ ମିଳିଥିଲା। ଏହି ଛୋଟ ଛୋଟ କଣିକାଗୁଡ଼ିକ ମଣିଷ ଶରୀର ଏବଂ ପରିବେଶରେ ପ୍ରବେଶ କରି ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରନ୍ତି। ଯାହାକି ଚିନ୍ତାର କାରଣ ପାଲଟିଛି। ଏହି କାରଣରୁ ବିଶେଷଜ୍ଞମାନେ ଏହି ମାସ୍କଗୁଡ଼ିକୁ ରାସାୟନିକ ଟାଇମ୍ ବୋମା ଭାବରେ ବିଚାର କରୁଛନ୍ତି। ଏହି ରାସାୟନିକ ପଦାର୍ଥଗୁଡ଼ିକ ଯେକୌଣସି ସମୟରେ ରୋଗ ବ୍ୟାପିବାର କାରଣ ହୋଇପାରେ।
ଏହି ଗବେଷଣାରେ ଆଉ ଏକ ବିପଦଜନକ ତଥ୍ୟ ମିଳିଛି। ମାସ୍କରୁ ବିସ୍ଫେନୋଲ୍ ବି ନାମକ ଏକ ରାସାୟନିକ ପଦାର୍ଥ ମଧ୍ୟ ବାହାରୁଛି। ଯାହା ମଣିଷ ଏବଂ ପ୍ରାଣୀଙ୍କ ହରମୋନ୍ ସିଷ୍ଟମ ଉପରେ ଗମ୍ଭୀର ଭାବେ ପ୍ରଭାବ ପକାଉଛି। ଅନେକ ଗବେଷଣାରେ, ଏହି ରାସାୟନିକ ପଦାର୍ଥକୁ କର୍କଟ ରୋଗ ସହିତ ମଧ୍ୟ ଯୋଡାଯାଇଛି।