ନୂଆଦିଲ୍ଲୀ : ଚୀନ୍‌ରେ ପ୍ରତି ୭ ଜଣଙ୍କ ପାଇଁ ଗୋଟେ ନିରୀକ୍ଷଣ କ୍ୟାମେରା ରହିଛି। ଏପରିକି ଗତବର୍ଷ ସେଠାରେ ଅସଂଖ୍ୟ ସୁରକ୍ଷାଭିତ୍ତିକ କ୍ୟାମେରାରେ ମୁହଁ ଚିହ୍ନଟ ଜ୍ଞାନକୌଶଳ ଯୋଗ ହେବା ପରେ ଆଉ କୌଣସି ଆଖିପତା ବି ନିରୀକ୍ଷଣ ବାହାରକୁ ଖସିଯାଇପାରିନାହିଁ। ମସ୍କୋ ବିଶ୍ବର ସବୁଠୁ ଅଧିକ ଜୀବନ୍ତ ମୁହଁ ଚିହ୍ନଟ ପ୍ରଣାଳୀ ବ୍ୟବହାର କରୁଥିବା ଦାବି କରିଛି। ଏ ପରିପ୍ରେକ୍ଷୀରେ ଭାରତ ମଧ୍ୟ ଏକ କେନ୍ଦ୍ରୀଭୂତ ମୁହଁ ଚିହ୍ନଟ ନିରୀକ୍ଷଣ ପ୍ରଣାଳୀର ଉପଯୋଗ କରିବାକୁ ନିଷ୍ପତ୍ତି ନେଇଥିବା କଥା କହିସାରିଛି। ଦେଶବାସୀ ଏହି ଜ୍ଞାନକୌଶଳର ଉପଯୋଗକୁ ଅପେକ୍ଷା କରି ରହିଥିବା ବେଳେ ପ୍ରତିରକ୍ଷା ଓ ସୁରକ୍ଷା ବିଶେଷଜ୍ଞ କମ୍ପାନି ଥେଲ୍‌ସ ଏଥିପାଇଁ ୨୦୨୪ ସୁଦ୍ଧା ୭୦୦ କୋଟି ଡଲାର ବା ୫୩ ହଜାର କୋଟି ଟଙ୍କାର ବଜାର ମୂଲ୍ୟ ରଖିଛି।

Advertisment

ସେହିପରି ଇଣ୍ଟରନେଟ୍‌ ସୁରକ୍ଷା କମ୍ପାନି ନର୍ଟନ୍‌ ଏଥିପାଇଁ ୨୦୨୨ ସୁଦ୍ଧା ୭୭୦ କୋଟି ଡଲାର ବା ୫୯ ହଜାର କୋଟି ଟଙ୍କା ଅଟକଳ କରିଛି। ତେବେ ସମ୍ପ୍ରତି ମହାମାରୀ କୋଭିଡ୍ ପାଇଁ ସମସ୍ତେ ମୁହଁରେ ମାସ୍କ ବ୍ୟବହାର ଉପରେ ପ୍ରାଥମିକତା ଦେଉଥିବା ବେଳେ ଏହି ଉଚ୍ଚମାନର ମୁହଁ ଚିହ୍ନଟ କ୍ୟାମେରାର କ୍ରିୟାଶୀଳତା କିଭଳି ରହିବ ବୋଲି ପ୍ରଶ୍ନ ଉଠିଛି। ସାଧାରଣତଃ ମୁହଁ ଚିହ୍ନଟ ପାଇଁ ସଂପୃକ୍ତ କ୍ୟାମେରା ଆବଶ୍ୟକ କରୁଥିବା ବାୟୋମେଟ୍ରିକ୍‌ ତଥ୍ୟ ଆମର ଆଖି ପତା ତଳ ଠାରୁ ଚିବୁକ ପର୍ଯ୍ୟନ୍ତ ମୁଖମଣ୍ଡଳର କେନ୍ଦ୍ରୀୟ ଭାଗରେ ହିଁ ରହିଥାଏ। ଅପରପକ୍ଷେ, ଏକ ମେଡିକାଲ ମାସ୍କ ଦ୍ବାରା ଆମ ମୁହଁର ପାଖାପାଖି ପଚାଶ ପ୍ରତିଶତ ଘୋଡ଼ାଇ ହୋଇ ରହିଥାଏ। ସୁତରାଂ ଏଭଳି ସ୍ଥିତିରେ ଉକ୍ତ କ୍ୟାମେରା କିଭଳି ସଠିକ ତଥ୍ୟ ପ୍ରଦାନ କରିବ ବୋଲି ପ୍ରଶ୍ନ ଉଠିଛି।