ବିମୁଦ୍ରୀକରଣକୁ ନେଇ ମୁହାଁମୁହିଁ

ଭୁଲ ନଥିଲା, ବଡ଼ ଦୁର୍ନୀତି ଥିଲା

ନୂଆଦିଲ୍ଲୀ ବିମୁଦ୍ରୀକରଣ ମୋଦୀ ସରକାରଙ୍କ କୌଣସି ଭୁଲ୍‌ ନିଷ୍ପତ୍ତି ନଥିଲା, ଏହା ଏକ ଯୋଜନାବଦ୍ଧ ଦୁର୍ନୀତି ଥିଲା ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଜାଣିଶୁଣି ଗରିବଙ୍କ ଗୋଡ଼ରେ ଏଭଳି କୁରାଢ଼ି ମାରିବା କାର୍ଯ୍ୟ କରାଯାଇଛି ବୋଲି ମନ୍ତବ୍ୟ ଦେଇ ରାହୁଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୨୦-୨୫ ଜଣ ଉଦ୍ୟୋଗପତି ବନ୍ଧୁଙ୍କୁ ଫାଇଦା ଦେବା ପାଇଁ ଦେଶର ଯୁବକ, ମହିଳା, କୃଷକ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପ୍ରତି ଘୋର ଅନ୍ୟାୟ କରିଛନ୍ତି। ରାଫେଲ ଚୁକ୍ତି ନେଇ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌୍‌ଲି କଂଗ୍ରେସକୁ ପ୍ରଶ୍ନ କରୁଥିବା ବେଳେ ମିଳିତ ସଂସଦୀୟ କମିଟି ଗଠନ କରି ମାମଲାର ଯାଞ୍ଚ କରିବା ଦିଗରେ କାହିକି ନିରବ ରହିଛନ୍ତି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଶିଳ୍ପପତି ଅନିଲ ଅମ୍ବାନିଙ୍କ ମଧ୍ୟରେ ରାଫେଲ ନେଇ କିଭଳି ଚୁକ୍ତି ହୋଇଛି ତାହା ଦେଶବାସୀ ଜାଣିବାକୁ ଚାହୁଛନ୍ତି ବୋଲି ସେ କହିଛନ୍ତି। ବିମୁଦ୍ରୀକରଣ ସମୟରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପ୍ରତାରଣାପୂର୍ଣ୍ଣ ଥିଲା ବୋଲି ରାହୁଲ ଉଲ୍ଲେଖ କରି କହିଛନ୍ତି କଳାଧନ, ଟେରର୍‌ ଫଣ୍ଡିଂ ଏବଂ ଜାଲ୍‌ ନୋଟ୍‌ ସମସ୍ୟାର ସମାଧାନ ହେବ ବୋଲି ଯେଉଁ ଘୋଷଣା କରାଯାଇଥିଲା ତାହାର କୌଣସି ପ୍ରଭାବ ଦେଶରେ ଦେଖିବାକୁ ମିଳିନାହିଁ। ଗରିବଙ୍କ ପକେଟରୁ ଅର୍ଥ ନେଇ କେବଳ କିଛି ମୁନାଫାଖୋର ପୁଂଜିପତିଙ୍କ ପକେଟ୍‌ ଭର୍ତ୍ତି କରାଯାଇଛି। ବିମୁଦ୍ରୀକରଣ କିଛି ହାତଗଣତି ବଡ଼ ବ୍ୟବସାୟୀଙ୍କୁ ଫାଇଦା ଦେଇଥିବା ବେଳେ ଅନ୍ୟମାନଙ୍କ ପାଇଁ ଘୋର ବିପର୍ଯ୍ୟୟ ଆଣିଛି ବୋଲି ରାହୁଲ କହିଛନ୍ତି। ରାଫେଲ ଚୁକ୍ତି ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କରି ରାହୁଲ କହିଥିଲେ ଯେ ଅନିଲ ଅମ୍ବାନି ଏବେ ପ୍ରତି ଜିଲ୍ଲାରେ କଂଗ୍ରେସ ନେତାଙ୍କ ବିରୋଧରେ ମାନହାନି ମକଦ୍ଦମା କରୁଛନ୍ତି। କିନ୍ତୁ ଏଭଳି ମକଦ୍ଦମା ଦ୍ୱାରା ସତ୍ୟ ବଦଳିଯିବ ନାହିଁ ବୋଲି ସେ କହିଛନ୍ତି। ୪୫ ହଜାର କୋଟି ଟଙ୍କା ଋଣ ଭାରରେ ଥିବା ଅନିଲ ଅମ୍ବାନି ରାଫେଲ ଠିକା ପାଇବାର ମାତ୍ର କିଛିଦିନ ପୂର୍ବରୁ ନୂତନ କମ୍ପାନି ଖୋଲିଥିଲେ ବୋଲି ରାହୁଲ କହିଛନ୍ତି। ଦେଶରେ ଦୀର୍ଘ ୭୦ ବର୍ଷ ଧରି ବିମାନ ନିର୍ମାଣ କରୁଥିବା ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ହାଲ୍‌)କୁ ଏହି ପ୍ରକ୍ରିୟାରୁ କାହିଁକି ଦୂରେଇ ରଖାଗଲା ତାହା ମୋଦୀ ସରକାର ସ୍ପଷ୍ଟ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଉଦ୍ଦେଶ୍ୟ ସଫଳ ହୋଇଛି
ନୂଆଦିଲ୍ଲୀ: ବିମୁଦ୍ରୀକରଣ ପ୍ରକ୍ରିୟାରେ ୯୯.୩ ପ୍ରତିଶତ ନୋଟ୍‌ ବ୍ୟାଙ୍କ୍‌କୁ ଫେରି ଆସିଥିବା ନେଇ ସରଗରମ ଆଲୋଚନା ଚାଲିଥିବା ବେଳେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଏବେ ଏ ସଂପର୍କରେ ସରକାରଙ୍କ ସ୍ଥିତି ସ୍ପଷ୍ଟ କରିଛନ୍ତି। ବିମୁଦ୍ରୀକରଣ ନିଷ୍ପତ୍ତିକୁ ଦୃଢ଼ ସମର୍ଥନ କରି ଜେଟ୍‌ଲି କହିଛନ୍ତି ଯେ ଏହାର ଉଦ୍ଦେଶ୍ୟ ସଫଳ ହୋଇଛି। ବିମୁଦ୍ରୀକରଣର ଏକ ବଡ଼ ଉଦ୍ଦେଶ୍ୟ ଥିଲା ଭାରତକୁ ‘କର ନିୟମ ପାଳନ କରୁନଥିବା ସମାଜ’ରୁ ‘କର ନିୟମ ପାଳନକାରୀ ସମାଜ’ରେ ପରିଣତ କରିବା। ବିମୁଦ୍ରୀକରଣର ଲକ୍ଷ୍ୟ ଥିଲା ଦେଶର ଅର୍ଥ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା ଏବଂ କଳାଧନ ଉପରେ ପ୍ରହାର କରିବା। ଏହି ଉଦ୍ଦେଶ୍ୟ ସଫଳ ହୋଇଛି ବୋଲି ଜେଟ୍‌୍‌ଲି କହିଛନ୍ତି। ଏହାଦ୍ୱାରା ଟିକସ ଆଦାୟ ବଢ଼ିଥିବା ବେଳେ ଉଚ୍ଚ ଅଭିବୃଦ୍ଧି ହାସଲ ହୋଇପାରିଛି। ବ୍ୟାଙ୍କରେ ନଗଦ ଜମା ପରେ ଜମାକାରୀଙ୍କ ସଂପର୍କରେ ସ୍ପଷ୍ଟ ତଥ୍ୟ ମିଳିଛି। ଅତ୍ୟଧିକ ଟଙ୍କା ଜମା କରିଥିବା ଜମାକାରୀ ଚିହ୍ନଟ ହୋଇସାରିଛନ୍ତି ଏବଂ ୧୮ ଲକ୍ଷ ଜମାକାରୀଙ୍କ ସଂପର୍କରେ ଯାଞ୍ଚ ଚାଲିଛି। ଅନେକ ଜମାକାରୀଙ୍କଠାରୁ ଟିକସ ଏବଂ ଜୋରିମାନା ଆଦାୟ କରାଯାଇଛି। ବ୍ୟାଙ୍କରେ ଜମା ହୋଇଥିବା ସବୁ ଟଙ୍କା ଧଳା ନୁହେଁ ବୋଲି ଜେଟ୍‌୍‌ଲି କହିଛନ୍ତି। କର ଆଦାୟରେ ହୋଇଥିବା ବୃଦ୍ଧିକୁ ଉଲ୍ଲେଖ କରି ଜେଟଲି କହିଛନ୍ତି ଯେ ମାର୍ଚ୍ଚ ୨୦୧୪ରେ ୩.୮ କୋଟି ଟିକସ ରିଟର୍ଣ୍ଣ ଫାଇଲ ହୋଇଥିଲା। ୨୦୧୭-୧୮ରେ ଏହି ସଂଖ୍ୟା ବଢ଼ି ୬.୮୬ କୋଟିରେ ପହଞ୍ଚିଛି। ବିଗତ ୨ ବର୍ଷ ମଧ୍ୟରେ ଆୟକର କ୍ଷେତ୍ରରେ ଯଥାକ୍ରମେ ୧୯ ଏବଂ ୨୫ ପ୍ରତିଶତ ବୃଦ୍ଧି ହୋଇଛି ଏବଂ ଏହା ଏକ ବିସ୍ମୟକର ବୃଦ୍ଧି ବୋଲି ଜେଟ୍‌୍‌ଲି କହିଛନ୍ତି।

ସମ୍ବନ୍ଧିତ ଖବର