ଅରୁଣାଚଳ ସୀମାରେ ମୁହାଁମୁହିଁ ସ୍ଥିତି, ସେନା ମୁତୟନ ବଢ଼ାଇଲା ଭାରତ

ଚୀନ୍‌ର ମୁକାବିଲା ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ : ପୂର୍ବ ଲଦାଖରେ ଚୀନ୍‌ ଏବଂ ଭାରତ ସେନା ପୁଣି ମୁହାଁମୁହିଁ ସ୍ଥିତିରେ ରହିଥିବାରୁ ଆଗକୁ ଉତ୍ତେଜନା ବଢ଼ିବା ଆଶଙ୍କା କରାଯାଉଛି। ଗତ କିଛି ମାସ ହେଲା ଉଭୟ ସେନା ଛକାପଞ୍ଝା‌ ସ୍ଥିତିରେ ଥିବା ବେଳେ ଏବେ ଭାରତୀୟ ସେନା ପାଟ୍ରୋଲିଂକୁ ବ୍ୟାପକ କରିଛି। ଚୀନ୍‌ର ଷଡ଼ଯନ୍ତ୍ରପୂର୍ଣ୍ଣ ରଣନୀତି ଯୋଗୁଁ ଅରୁଣାଚଳ ପ୍ରଦେଶକୁ ନେଇ ଚିନ୍ତା ବଢ଼ିଛି। ସେନାର ଏକ ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି ଏହି ଅଞ୍ଚଳରେ ଭାରତୀୟ ସେନା ସଡ଼କ ଭିତ୍ତିଭୂମିକୁ ସୁଦୃଢ଼ କରୁଛି। ଚୀନ ଏଲଏସିର ଅପରପାର୍ଶ୍ବରେ ତାହାର ସେନା ମୁତୟନ ସଂଖ୍ୟା ବଢ଼ାଇବା ସହିତ ଭିତ୍ତିଭୂମିକୁ ସୁଦୃଢ଼ କରୁଛି। ତଦନୁଯାୟୀ ଭାରତୀୟ ସେନାକୁ ତାଲିମ ଦିଆଯାଉଛି ଏବଂ ଭାରତ ମଧ୍ୟ ସେନା ମୁତୟନରେ ବଢ଼ାଇ ଦେଇଛି।

ଅରୁଣାଚଳ ପ୍ରଦେଶକୁ ସାଧାରଣତଃ ଦୁଇ ଭାଗରେ ଭାଗ କରାଯାଇଥାଏ। ଗୋଟିଏ ହେଲା ପଶ୍ଚିମରେ ଥିବା କାମେଙ୍ଗ ଅଞ୍ଚଳ ଏବଂ ଅନ୍ୟଟି ହେଲା ଆରଏଏଲପି। ଆରଏଏଲପି ଅଂଚଳ ଅତିକ୍ରମଣ ଚୀନ୍‌ ସେନା ପାଇଁ ହସଜ ଥିବାରୁ ଏହା ଚିନ୍ତାର କାରଣ ପାଲଟିଛି। ଏଠାରେ ଭାରତ ସେନା ମୁତୟନ ବଢ଼ାଇବା ସହ ଅହରହ ନଜର ରଖିବାକୁ ବ୍ୟାପକ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରିଛି। ପୂର୍ବରୁ ସମଗ୍ର ଆରଏଏଲପି ପାଇଁ ଗୋଟିଏ ସେନା ଡିଭିଜନ ରହିଥିଲା। କିନ୍ତୁ ବର୍ତ୍ତମାନ ଏହି ଅଂଚଳ ଦାୟିତ୍ବରୋ ୩ଟି କର୍ପସ ଏହି ଦାୟିତ୍ବରେ ଅଛନ୍ତି। ତେବେ ଚୀନ ମଧ୍ୟ ଏହି ସୀମାରେ ସବୁ ଅଞ୍ଚଳରେ ରାସ୍ତା ନିର୍ମାଣ କରିଛି ବୋଲି ସେନା ଅଧିକାରୀ ଜଣକ କହିଛନ୍ତି।

Times of India

ଏଥିପାଇଁ ସରକାର ବର୍ଡର ରୋଡ୍ ଅର୍ଗାନାଇଜେସନ (ବିଆର୍‌ଓ)କୁ ଉକ୍ତ ଅଞ୍ଚଳରେ ଧ୍ୟାନ ଦେବାକୁ କହିଛନ୍ତି। ଅରୁଣାଚଳ ପ୍ରଦେଶର ଦୁର୍ଗମ ଅଂଚଳକୁ ରାସ୍ତା ନିର୍ମାଣ ପାଇଁ ଏକ ବଡ଼ ପ୍ରକଳ୍ପ ହାତକୁ ନିଆଯାଇଛି। ଏହାର ବିସ୍ତୃତି ପ୍ରକଳ୍ପ ରିପୋର୍ଟ (ଡିପିଆର୍‌) ପ୍ରସ୍ତୁତ କରାଯାଉଛି। ସ୍ବାଧୀନ ଭାରତ ଇତିହାସରେ ଏହା ସବୁଠୁ କଷ୍ଟସାଧ୍ୟ ଏବଂ ବଡ଼ ସୀମା ସଡ଼କ ପ୍ରକଳ୍ପ ହେବ ବୋଲି ପୂର୍ବରୁ କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁ କହି ସାରିଛନ୍ତି।

ସୀମାରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ଉତ୍ତମ ଯୋଗାଯୋଗ ସ୍ଥାପନ ପାଇଁ ବ୍ରହ୍ମପୁତ୍ର ନଦୀରେ ଦୁଇଟି ଟନେଲ ନିର୍ମାଣ ଯୋଜନା ରହିଛି। କଠିନ ପାର୍ବତ୍ୟାଞ୍ଚଳରେ ରାସ୍ତା ନିର୍ମାଣର ଦକ୍ଷତା ଏବଂ ଉପକରଣ ସ୍ବତନ୍ତ୍ର ମାଉଣ୍ଟେନ ଷ୍ଟ୍ରାଇକ ‌କର୍ପସ (୧୭ କର୍ପସ)ର ଇଂଜିନିୟରିଂ ଟାସ୍କ ଫୋର୍ସ ନିକଟରେ ରହିଥିବାରୁ ଏମାନେ ସଡ଼କ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଉତ୍ତର ପୂର୍ବାଞ୍ଚଳରେ ସ୍ଥିତି ଶାନ୍ତ ଥିବାରୁ ସେନାକୁ ଏଲଏସି ନିକଟରେ ତାଲିମ ଦେବାର ଆବଶ୍ୟକତା ରହିଛି।

ପୂର୍ବ ଲଦାଖରେ ମୁହାଁମୁହିଁ ହେବା ପରେ ଚୀନ ସେନା ଏହାର ରିଜର୍ଭ ସେନାଙ୍କୁ ତାଲିମ ଅଞ୍ଚଳରେ ମୁତୟନ କରିଛି। ସେବେଠାରୁ ଆରଏଏଲପି ଅଞ୍ଚଳ ପ୍ରତି ଧ୍ୟାନ ବଢ଼ିଛି। ନିକଟରେ ଇଷ୍ଟର୍ଣ୍ଣ କମାଣ୍ଡର ମୁଖ୍ୟ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଏମ କେ ପାଣ୍ଡେ କହିଥିଳେ ଚୀନ ଏଲଏସି ନିକଟରେ ନିର୍ମାଣ କାର୍ଯ୍ୟ ବଢ଼ାଇଛି। ଆନୁପାତିକ ଭାବେ ‌ଯବାନ ମୁତୟନ ସଂଖ୍ୟା ମଧ୍ୟ ବଢ଼ାଇଛି।

ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚୀନ ଅଧିକ ଆକ୍ରମଣାତ୍ମକ ହୋଇଛି। ସୀମାରେ ପାଟ୍ରୋଲିଂ ବଢ଼ାଇଛି ଏବଂ ଚୀନର ସେନାର ବରିଷ୍ଠ ଅଧିକାରୀମାନେ ସେମାନଙ୍କ ଗସ୍ତ ସଂଖ୍ୟା ବଢ଼ାଇଛନ୍ତି। ଏଲଏସିରେ ୧୩୪୬ କିମିର ପରିଚାଳନା ଇଷ୍ଟର୍ଣ୍ଣ କମାଣ୍ଡ କରିଥାଏ। ଏଥିରେ ଅରୁଣାଚଳ ପ୍ରଦେଶ ଏବଂ ସିକିମର ଅଞ୍ଚଳ ରହିଛି। ଚୀନ୍‌ ସେନାର ଯେ କୌଣସି ଚାଲ୍‌କୁ ପଣ୍ଡ କରିବା ପାଇଁ ନିକଟରେ ଭାରତୀୟ ସେନାର ବରିଷ୍ଠ ଅଧିକାରୀମାନେ ଏକାଧିକ ରଣନୀତିକ ବୈଠକରେ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର