ନୂଆଦିଲ୍ଲୀ: ଫେସ୍ବୁକ୍ର ‘ଟପିକ୍ ରେକମେଣ୍ଡେସନ ସଫ୍ଟୱେର’ କଳାଲୋକଙ୍କୁ ଭୁଲ୍କ୍ରମେ ପ୍ରାଇମେଟ୍ (ମନୁଷ୍ୟ ସମେତ ମାଙ୍କଡ଼, ଶିମ୍ପାଞ୍ଜି, ଏପ୍ ପ୍ରଭୃତି ମନୁଷ୍ୟ ସଦୃଶ ପ୍ରାଣୀ) ବୋଲି ଦର୍ଶାଇଥିବାରୁ ଫେସ୍ବୁକ୍ ଏଥିପାଇଁ କ୍ଷମାପ୍ରାର୍ଥନା କରିଛି। ଫେସ୍ବୁକ୍ ନିଜର ଟପିକ୍ ରେକମେଣ୍ଡେସନ ଫିଚରକୁ ବନ୍ଦ କରିଦେବା ସହ ଏଭଳି ପ୍ରସ୍ତାବ ଏକ ଗୁରୁତର ତ୍ରୁଟି ବୋଲି ପ୍ରକାଶ କରିଛନ୍ତି।
ଫେସ୍ବୁକ୍ ମୁଖପାତ୍ର କହିଛନ୍ତି: ଯେଉଁମାନେ ଏହି ଅପମାନଜନକ ଅନୁମୋଦନ ଦେଖିଛନ୍ତି ସେମାନଙ୍କୁ ଆମେ କ୍ଷମା ମାଗୁଛୁ। ଏହି ଭୁଲ୍ ନଜରକୁ ଆସିବା ପରେ ଆମେ ପୂରା ଟପିକ୍ ରେକମେଣ୍ଡେସନ ଫିଚରକୁ ବନ୍ଦ କରିଦେଇଛୁ। ଯେପରି ଭବିଷ୍ୟତରେ ଭୁଲ୍ର ପୁନରାବୃତ୍ତି ନ ହୁଏ ତାହା ଉପରେ ନଜର ରଖିବୁ। ନାଗରିକ ଅଧିକାର କର୍ମୀମାନେ ଫେସିଆଲ ରେକଗ୍ନିସନ ସଫ୍ଟୱେର ବିରୋଧରେ ଅଭିଯୋଗ କରିଥିଲେ। ଏହା ଠିକ୍ ପରାମର୍ଶ ପ୍ରଦାନ କରୁ ନ ଥିଲା, ବିଶେଷତଃ କୃଷ୍ଣକାୟ ଲୋକମାନଙ୍କ କ୍ଷେତ୍ରରେ। ନିକଟରେ ଯେଉଁ ଫେସ୍ବୁକ୍ ବ୍ୟବହାରକାରୀମାନେ କୃଷ୍ଣକାୟଙ୍କ ଉପରେ ଆଧାରିତ ଏକ ବ୍ରିଟିଶ୍ ଟାବ୍ଲଏଡ୍ ଭିଡିଓ ଦେଖୁଥିଲେ, ସେମାନଙ୍କୁ ଆପେ ଆପେ ଏକ ରେକମେଣ୍ଡେସନ ମିଳୁଥିଲା, ଯେଉଁଥିରେ ପ୍ରାଇମେଟଙ୍କ ବିଷୟରେ ଅଧିକ ଭିଡିଓ ଦେଖିବା ଜାରି ରଖିବାକୁ ପରାମର୍ଶ ଦିଆଯାଉଥିଲା।
୨୦୨୦ ଜୁନରେ ଡେଲି ମେଲ୍ ଦ୍ବାରା ଅପଲୋଡ୍ ହୋଇଥିବା ଭିଡିଓଟିର ଶୀର୍ଷକ ଥିଲା ‘ହ୍ବାଇଟ୍ ମ୍ୟାନ୍ କଲ୍ସ କପ୍ସ ଅନ୍ ବ୍ଲାକ୍ ମେନ୍ ଆଟ୍ ମାରିନା’। ପ୍ରାଇମେଟ୍ ଫ୍ୟାମିଲିରେ ଥିବା ଅନେକ ପ୍ରଜାତି ଭିତରେ ମଣିଷ ବି ଅନ୍ୟତମ। କିନ୍ତୁ ଏହି ଭିଡିଓରେ ମାଙ୍କଡ଼, ଶିମ୍ପାଞ୍ଜି ବା ଗରିଲାଙ୍କ ବିଷୟରେ କିଛି ବି ନ ଥିଲା। ପୂର୍ବତନ ଫେସ୍ବୁକ୍ କଣ୍ଟେଣ୍ଟ ଡିଜାଇନ୍ ମ୍ୟାନେଜର ଡାର୍ସି ଗ୍ରୋଭ୍ସ ଉକ୍ତ ସୁପାରିସର ଏକ ସ୍କ୍ରିନସଟ ଟ୍ବିଟରରେ ଛାଡ଼ିଥିଲେ। ‘ଦେଖିବା ଜାରି ରଖନ୍ତୁ’ ବୋଲି ଯେଉଁ ସୁପାରିସ କରାଯାଉଛି, ତାହା ଗ୍ରହଣୀୟ ନୁହେଁ ବୋଲି ସେ କହିଥିଲେ।