ଲାହୋର: ପାକିସ୍ତାନରେ ସାଧାରଣ ନିର୍ବାଚନକୁ ଆଉ ମାତ୍ର ୧୦ ଦିନ ବାକି ଥିବାବେଳେ ଆଜି ଆତଙ୍କବାଦୀ ହାଫିଜ୍ ସୟିଦ୍ର ରାଜନୈତିକ ଦଳକୁ ସୋସିଆଲ୍ ନେଟ୍ଓ୍ଵର୍କିଂ ସାଇଟ୍ ଫେସ୍ବୁକ୍ ଏକ ବଡ଼ ଝଟ୍କା ଦେଇଛି। ହାଫିଜ୍ର ଦଳ ମିଲ୍ଲି ମୁସ୍ଲିମ୍ ଲିଗ୍ (ଏମ୍ଏମ୍ଏଲ୍)ର ଫେସ୍ବୁକ୍ ପେଜ୍କୁ ସମ୍ପୂର୍ଣ୍ଣ ଭାବେ ଡିଲିଟ୍ କରିଦିଆଯାଇଛି। ଏମିତି କି ଦଳର ସମସ୍ତ ପ୍ରାର୍ଥୀଙ୍କ ଫେସ୍ବୁକ୍ ପେଜ୍କୁ ବି ଡିଲିଟ୍ କରିଦେଇଛି ଫେସ୍ବୁକ୍। ଦଳ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜମାତ୍-ଉଦ୍-ଦାଓ୍ଵାର ମୁଖ୍ୟ ତଥା ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍ ହାଫିଜ୍ ଏକ ନୂଆ ରାଜନୈତିକ ଦଳ ଗଠନ କରିଥିଲା। ଚଳିତମାସ ୨୫ ତାରିଖରେ ଦେଶରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ହାଫିଜ୍ର ଦଳ ସକ୍ରିୟ ଭାବେ ଅଂଶଗ୍ରହଣ କରିଥାନ୍ତା। ଏମିତି କି ଦଳୀୟ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରାଯାଇ ନିର୍ବାଚନୀ ପ୍ରଚାର ବି ଆରମ୍ଭ କରାଯାଇଥିଲା। ଟେକ୍ନୋଲୋଜି ବିକାଶକୁ ଆଖିରେ ରଖି ଦଳ ନିଜର ଫେସ୍ବୁକ୍ ପେଜ୍ ଖୋଲି ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ମଧ୍ୟ ସମସ୍ତ ଯୋଜନା ପ୍ରସ୍ତୁତ କରିଥିଲା। କିନ୍ତୁ ଫେସ୍ବୁକ୍ ହାଫିଜ୍ର ସମସ୍ତ ଯୋଜନାକୁ ଭଣ୍ଡୁର କରିଛି।
ଉଲ୍ଲେଖଯୋଗ୍ୟ, ଫେସ୍ବୁକ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାର୍କ ଜୁକରବର୍ଗ ନିକଟରେ କହିଥିଲେ ଯେ ଫେସ୍ବୁକ୍ କେବଳ ସକାରାତ୍ମକ ପ୍ରସଙ୍ଗକୁ ନେଇ କାର୍ଯ୍ୟ କରିବ। ସେହିଭଳି ପାକିସ୍ତାନ, ଭାରତ, ବ୍ରାଜିଲ୍, ମେକ୍ସିକୋ ଏବଂ ଅନ୍ୟ କୌଣସି ରାଷ୍ଟ୍ରର ନିର୍ବାଚନରେ ଏହା ଆଦୌ ହସ୍ତକ୍ଷେପ କରିବ ନାହିଁ। ନିକଟରେ କମ୍ପାନିର ଅଧିକାରୀମାନେ ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି) ସହ ଯୋଗାଯୋଗ କରି ଦେଶରେ ଥିବା ବିଭିନ୍ନ ରାଜନୈତିକ ଦଳର ନକଲି ଫେସ୍ବୁକ୍ ପେଜ୍ ଚିହ୍ନଟ ପାଇଁ ସହାୟତା କରିବାକୁ କହିଥିଲେ। ତେଣୁ ନିର୍ବାଚନ ଆୟୋଗଙ୍କ ପରାମର୍ଶକ୍ରମେ ଫେସ୍ବୁକ୍ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଥିବା କୁହାଯାଉଛି।