ରାଷ୍ଟ୍ରପତି ଡୋ଼ନାଲ୍‌ଡ୍‌ ଟ୍ରମ୍ପଙ୍କ‌ ପୋଷ୍ଟ ନେଇ ଫେସ୍‌ବୁକ୍‌ ସିଇଓଙ୍କୁ କଡ଼ା ପ୍ରଶ୍ନ କଲେ କର୍ମଚାରୀ

ନୂଆଦିଲ୍ଲୀ : ୯୦ ମିନଟ୍‌ର ଭିଡିଓ କଲ୍‌ରେ ଫେସ୍‌ବୁକ୍‌ ସିଇଓ ମାର୍କ ଜୁକରବର୍ଗଙ୍କୁ କର୍ମଚାରୀମାନଙ୍କଠାରୁ ଏକାଧିକ କ୍ରୋଧିତ ପ୍ରଶ୍ନ ସାମ୍ନା କରିବାକୁ ପଡ଼ିଛି। ଆମେରିକାରେ କଳା ଲୋକଙ୍କ ବିଦ୍ରୋହ ଓ ବିକ୍ଷୋଭ ପ୍ରଦର୍ଶନ ସହ ଏକାଧିକ ସ୍ଥାନରେ ହୋଇଥିବା ଲୁଟ୍‌ ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଡୋ଼ନାଲ୍‌ଡ୍‌ ଟ୍ରମ୍ପ୍‌ ଫେସ୍‌ବୁକ୍‌ରେ ପୋଷ୍ଟ କରିଥିଲେ, ‘‘ଯେଉଁମାନେ ଲୁଟ୍‌ କରିଛନ୍ତି, ସେମାନଙ୍କୁ ଗୁଳି କରି ମାରିଦିଆଯିବ’’। ଏହି ବାର୍ତ୍ତା ତଥାପି ହଟାଯାଇ ନଥିବାରୁ କର୍ମଚାରୀମାନେ ଏହାକୁ ଫେସ୍‌ବୁକ୍‌ର ନୀତି ବିରୋଧୀ ଦର୍ଶାଇବା ସହ ଏହା ହିଂସାକୁ ଉସୁକାଉଛି କହି ବିରକ୍ତି ପ୍ରକାଶ କରିଛନ୍ତି। ଏହା ଫେସ୍‌ବୁକ୍‌ର ପ୍ରଥମ ଆଭ୍ୟନ୍ତରୀଣ ଅସନ୍ତୋଷ ଯାହା ଏକ ଭିଡିଓ କଲ୍‌ରେ ପ୍ରକଟିତ ହୋଇଛି। ଏକାଧିକ କର୍ମଚାରୀ ଜୁକରବର୍ଗଙ୍କୁ ଗୁଡ଼େଇତୁଡ଼େଇ ପ୍ରଶ୍ନ କରିଛନ୍ତି।

ଏପରିକି ଟିମୋଥି ଆଭେନି ନାମକ ଜଣେ ସଫ୍ଟୱେର ଇଂଜିନିୟର ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ଯେ ସଶସ୍ତ୍ର-ଘୃଣା ସପକ୍ଷରେ ସେ ନାହାନ୍ତି। ଏହା ସମେତ ଅନେକ ସମାଲୋଚନା ପରେ ଜୁକରବର୍ଗ ଓ ଫେସ୍‌ବୁକ୍‌ ସିଓଓ ଶେରିଲ୍‌ ସ୍ୟାଣ୍ଡବର୍ଗ ଭିଡିଓ କନ୍‌ଫରେନ୍ସରେ ଜନ ଅଧିକାର ନେତାମାନଙ୍କ ସହ ଜାତିଆଣ ମୁଦ୍ଦା, ନିର୍ବାଚନ ଓ ଅନ୍ୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ତେବେ ଏଭଳି ପ୍ରସଙ୍ଗରେ ଅନ୍ୟତମ ଲୋକପ୍ରିୟ ସାମାଜିକ ଗଣମାଧ୍ୟମ ‘ଟ୍ୱିଟର’ ସହ ମଧ୍ୟ ରାଷ୍ଟ୍ରପତି ଟ୍ରମ୍ପଙ୍କର ଯୁକ୍ତିତର୍କ ହୋଇଯାଇଛି। ତେଣୁ ଟ୍ରମ୍ପ ଏକ କାର୍ଯ୍ୟନିର୍ବାହୀ ଆଦେଶନାମା ଜାରି କରିଛନ୍ତି, ଯାହା ବଳରେ ବ୍ୟବହାରକାରୀମାନଙ୍କ ବିଭିନ୍ନ ପୋଷ୍ଟ ପାଇଁ ସଂପୃକ୍ତ ସାମାଜିକ ଗଣମାଧ୍ୟମ ଦାୟୀ ରହିବ ନାହିଁ।

ସମ୍ବନ୍ଧିତ ଖବର