ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଉ କିଛି ଦିନ ବାକି ରହିଯାଇଥିବା ବେଳେ ଇତିମଧ୍ୟରେ ଫେସ୍ବୁକ୍ କଂଗ୍ରେସ ଏବଂ ବିଜେପି ସହିତ ସଂପୃକ୍ତ ୭୦୨ ପୃଷ୍ଠାକୁ ନିଜ ପ୍ଲାଟ୍ଫର୍ମରୁ ହଟାଇ ଦେଇଛି। କଂଗ୍ରେସ ସହିତ ସଂପୃକ୍ତ ୬୮୭ ପୃଷ୍ଠାକୁ ହଟାଇ ଦିଆଯାଇଥିବା ବେଳେ ବିଜେପି ଏବଂ ନମୋ ଆପ୍ ସହିତ ସଂପୃକ୍ତ ଏକ ଆଇଟି ସେଲ୍ର ୧୫ ପୃଷ୍ଠା ହଟାଯାଇଛି। ଆଜି ସୋସିଆଲ୍ ମିଡିଆ କମ୍ପାନି ଫେସ୍ବୁକ୍ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏବଂ ବିଜେପି ସହିତ ସଂପୃକ୍ତ ଏହି ପୃଷ୍ଠାଗୁଡ଼ିକ ଜାଲ୍ ବୋଲି ଜଣାପଡ଼ିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଫେସ୍ବୁକ୍ ସ୍ପଷ୍ଟ କରିଛି ଯେ ଏହି ପୃଷ୍ଠାଗୁଡ଼ିକରେ ପ୍ରକାଶିତ ବିଷୟ ପ୍ରାମାଣିକ ନୁହେଁ ଏବଂ ଏଥିରେ ଅନେକ ଅସଂଗତି ଥିବାରୁ ତାହାକୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ଭାରତରେ ପ୍ରାୟ ୩୦ କୋଟି ଫେସ୍ବୁକ୍ ବ୍ୟବହାରକାରୀ ଅଛନ୍ତି। କିଛି ଲୋକ ନକଲି ଆକାଉଣ୍ଟ୍ ଖୋଲି ଭିନ୍ନ ଭିନ୍ନ ଗ୍ରୁପ୍ ସହିତ ଯୋଡ଼ି ହୋଇ ବିବାଦୀୟ ଏବଂ ଆପତ୍ତିଜନକ ଲେଖା ଏବଂ ଛବି ପୋଷ୍ଟ କରୁଥିବାରୁ ସେଗୁଡ଼ିକୁ ଯୋଜନାବଦ୍ଧ ଭାବେ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ତେବେ କଂଗ୍ରେସ ଦଳ ପକ୍ଷରୁ ଆଜି ସ୍ପଷ୍ଟ କରାଯାଇଛି ଯେ ଦଳ ପକ୍ଷରୁ ପରିଚାଳିତ ହେଉଥିବା ସମସ୍ତ ଫେସ୍ବୁକ୍ ପେଜ୍ ସୁରକ୍ଷିତ ଅଛି ଏବଂ ଫେସ୍ବୁକ୍ ହଟାଇଥିବା ପୃଷ୍ଠାଗୁଡ଼ିକର ତାଲିକା ମଗାଯାଇଛି।