ଚେନ୍ନାଇ: ତାମିଲନାଡୁର ପୋଲାଚି ଅଞ୍ଚଳରେ ଏକ ୪ ଜଣିଆ ଯୁବଗୋଷ୍ଠୀ ଅଭିନବ ଉପାୟରେ ୫୦ ଜଣ ଯୁବତୀଙ୍କୁ ପ୍ରଲୋଭିତ କରି ଗଣଦୁଷ୍କର୍ମ କରିବା ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। କିଛି ଦିନ ତଳେ ଜଣେ ପୀଡ଼ିତା ଛାତ୍ରୀଙ୍କ ଅଭିଯୋଗ କ୍ରମେ ପୁଲିସ ୨୦ ବର୍ଷ ବୟସର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ସେମାନେ ଅପରାଧ ସ୍ବୀକାର କରିଛନ୍ତି।
ପୁଲିସ ସୂଚନାନୁଯାୟୀ, ଏହି ଅଭିଯୁକ୍ତମାନେ ନିଜକୁ ମହିଳା ଦର୍ଶାଇ ଜାଲ୍ ଫେସବୁକ୍ ଆକାଉଣ୍ଟ୍ ଖୋଲିବା ସହ ଯୁବତୀମାନଙ୍କ ଫେସବୁକରେ ବନ୍ଧୁତା ସ୍ଥାପନ କରୁଥିଲେ। ବାକ୍ ଚାତୁରୀରେ ସେମାନେ ଯୁବତୀମାନଙ୍କୁ ଘନିଷ୍ଠ କରିବା ସହ ସେମାନଙ୍କୁ ସମଲିଙ୍ଗୀ ସମ୍ପର୍କ ସମେତ ବିଭିନ୍ନ ଯୌନ ସମ୍ପର୍କିତ ବିଷୟରେ ମନଖୋଲା ଆଲୋଚନା କରୁଥିଲେ। ପରେ ସଂପୃକ୍ତ ଯୁବତୀଙ୍କୁ ନିଜର ଅସଲ ପରିଚୟ ଦେଇ ସେମାନଙ୍କ ସହ ହୋଇଥିବା କୁତ୍ସିତ ବାର୍ତ୍ତାଳାପକୁ ପ୍ରଘଟ କରିଦେବାର ଭୟ ଦେଖାଇ ସେମାନଙ୍କୁ ସାକ୍ଷାତ କରିବା ଲାଗି ବାଧ୍ୟ କରୁଥିଲେ। ପରେ ଯୁବତୀ ଜଣକ ନିଜର ତଥାକଥିତ ଫେସବୁକ୍ ବନ୍ଧୁ ସହ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବା ପରେ ଅତର୍କିତ ସେଠାରେ ଅନ୍ୟ ତିନି ଜଣ ଯୁବକ ପହଞ୍ଚିଯାଆନ୍ତି। ଏଭଳି ଉପାୟରେ ସେମାନେ ଚେନ୍ନାଇ, କୋଏମ୍ବାଟୁର୍, ସାଲେମ ଆଦି ସହରର ୫୦ରୁ ଅଧିକ ଯୁବତୀଙ୍କୁ ଜାଲରେ ଫସାଇ ବିଭିନ୍ନ ହୋଟେଲ, ଫାର୍ମ ହାଉସ୍ ଏବଂ ଏପରିକି ଚଳନ୍ତି ଗାଡ଼ିରେ ଗଣଦୁଷ୍କର୍ମ କରିଥିଲେ। ସେମାନଙ୍କ ଏହି ଘୃଣ୍ୟ ଫାଶରେ ଶିକ୍ଷୟିତ୍ରୀ, ଡାକ୍ତର ଏବଂ କଲେଜ ଛାତ୍ରୀମାନେ ମଧ୍ୟ ବଳି ପଡ଼ିଥିଲେ। ଅପରପକ୍ଷେ, ଲୋକଲଜ୍ଜ୍ୟା ଭୟରେ କୌଣସି ପୀଡ଼ିତା ଅଭିଯୋଗ କରୁନଥିଲେ। ତେବେ ଜଣେ ୧୯ ବର୍ଷୀୟା କଲେଜ ଛାତ୍ରୀ ଏଭଳି ଶିକାର ହେବା ପରେ ଘରଲୋକଙ୍କ ଆଗରେ ସବୁ କଥା କହିଥିଲେ। ପରେ ଥାନାରେ ଅଭିଯୋଗ ଆଣିବାରେ ପୁଲିସ ଅଭିଯୁକ୍ତମାନଙ୍କୁ ଧରିଥିଲା।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର