ସଂସଦୀୟ କମିଟିରେ ହାଜର ହେଲେ ଫେସବୁକ୍‌ ଭାରତ ମୁଖ୍ୟ

ନୂଆଦିଲ୍ଲୀ : ଫେସବୁକ୍‌କୁ ନେଇ ଭାରତରେ ରାଜନୈତିକ ବିବାଦ ଦିନକୁ ଦିନ ତୀବ୍ର ହେଉଥିବାବେଳେ ଆଜି କମ୍ପାନିର ଭାରତ ମୁଖ୍ୟ ଅଜିତ ମୋହନ ଏକ ସଂସଦୀୟ କମିଟିରେ ହାଜର ହୋଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ‌୍ ଫେସବୁକ୍‌ର ଦୁରୁପଯୋଗ ଅଭିଯୋଗ ନେଇ ଏହି କମିଟି ଏବେ ତର୍ଜମା ଆରମ୍ଭ କରିଛି। ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର୍‌ଙ୍କ ନେତୃତ୍ବାଧୀନ ସୂଚନା ଓ ପ୍ରଯୁକ୍ତି ସଂକ୍ରାନ୍ତ ସଂସଦୀୟ ସ୍ଥାୟୀ କମିଟି ଆଗରେ ହାଜର ହେବାପାଇଁ ଥରୁର୍‌ ଫେସବୁକ୍‌ କାର୍ଯ୍ୟକର୍ତ୍ତାଙ୍କୁ ସମନ୍‌ କରିଥିଲେ। ନାଗରିକଙ୍କ ଅଧିକାରର ସୁରକ୍ଷା, ସୋସିଆଲ ମିଡିଆର ଦୁରୁପଯୋଗକୁ ରୋକିବା, ଡିଜିଟାଲ୍‌ କ୍ଷେତ୍ରରେ ମହିଳାଙ୍କ ନିରାପତ୍ତା ଆଦି ପ୍ରସଙ୍ଗରେ ଷ୍ଟାଣ୍ଡିଂ କମିଟି ଫେସବୁକ୍‌ ଭାରତ ମୁଖ୍ୟଙ୍କ ଜବାବ ଚାହିଥିଲେ। କମିଟିର ପ୍ରଶ୍ନ ଆଧାରରେ ଫେସବୁକ୍‌ ପରିଚାଳନା ନିର୍ଦ୍ଦେଶକ ମୋହନ ତାଙ୍କର ମତାମତ ରଖିଥିବା ଜଣାପଡ଼ିଛି।

ସ୍ଥାୟୀ କମିଟି ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟର ପ୍ରତିନିଧିଙ୍କଠାରୁ ମଧ୍ୟ ଏହି ପ୍ରସଙ୍ଗରେ ଜବାବ ଲୋଡ଼ିଥିଲେ। ଆଜି ଥରୁର୍‌ କହିଛନ୍ତି ଯେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ଘୃଣା ଭାଷଣ ନେଇ ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌ରେ ଯେଉଁ ତଥ୍ୟ ପ୍ରକାଶ ପାଇଛି ତାହା ଉପରେ ମଧ୍ୟ ଫେସବୁକ୍‌କୁ ଜବାବ ଦାଖଲ କରିବାକୁ ପଡ଼ିବ। ଦେଶରେ ବିଜେପି ସରକାର ଏବଂ ଫେସବୁକ୍‌ ସଲାସୁତରାରେ କାମ କରୁଛନ୍ତି ବୋଲି କଂଗ୍ରେସ ବାରମ୍ବାର ଅଭିଯୋଗ କରିଆସୁଛି। ତେବେ କଂଗ୍ରେସର ଏହି ଅଭିଯୋଗ ସରକାର ବିରୋଧୀ ଯୋଜନାର ଅଂଶବିଶେଷ ବୋଲି ବିଜେପି ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି।

ସମ୍ବନ୍ଧିତ ଖବର