ଟ୍ରମ୍ପ୍‌ଙ୍କ ବିଭ୍ରାନ୍ତିକର କୋଭିଡ୍‌ ପୋଷ୍ଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଫେସବୁକ୍‌, ଟ୍ବିଟର

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କୋଭିଡ୍‌-୧୯ ମହାମାରୀକୁ ସାମାନ୍ୟ ଥଣ୍ଡା ସହ ତୁଳନା କରିଛନ୍ତି। ଏନେଇ ସେ ଫେସବୁକ୍‌ ଏବଂ ଟ୍ବିଟର୍‌ରେ ଏକ ପୋଷ୍ଟ୍‌ କରିଛନ୍ତି। କରୋନା ମହାମାରୀ ସାମାନ୍ୟ ଥଣ୍ଡା ବୋଲି ଟ୍ରମ୍ପ୍‌ କହିଛନ୍ତି। କିନ୍ତୁ ଟ୍ରମ୍ପ୍‌ଙ୍କର ଏଭଳି ବିଭ୍ରାନ୍ତିକର ପୋଷ୍ଟ୍‌କୁ ଅତି ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ଫେସବୁକ୍‌ ଏବଂ ଟ୍ବିଟର। ଟ୍ରମ୍ପ୍‌ଙ୍କ ପୋଷ୍ଟ୍‌ ଉଭୟ ଫେସବୁକ୍‌ ଏବଂ ଟ୍ବିଟର୍‌ର ନିୟମ ଉଲ୍ଲଂଘନ କରିଥିବାରୁ ସେମାନେ ଏହାକୁ ହଟାଇ ଦେଇଛନ୍ତି। ଫେସବୁକ୍‌ ଟ୍ରମ୍ପ୍‌ଙ୍କ ପୋଷ୍ଟ୍‌ ହଟାଇବା ପୂର୍ବରୁ ଏହି ପୋଷ୍ଟ୍‌ଟି ୨୬ ହଜାର ଥର ସେୟାର କରାସରିଛି। ଫେସବୁକ୍‌ କମ୍ପାନିର ଜଣେ ମୁଖପାତ୍ର କହିଛନ୍ତି, କୋଭିଡ୍‌ -୧୯ ମହାମାରୀର ଭୟାବହତା ସମ୍ପର୍କରେ ଆମେ ଭୁଲ୍‌ ସୂଚନା ହଟାଇ ଦେଉଛୁ। ତେବେ ବିଶ୍ବର ସବୁଠୁ ବୃହତ୍ତମ ସୋସିଆଲ ମିଡିଆ କମ୍ପାନି ରାଜନେତା‌ମାନଙ୍କୁ ଏହାର ‘ଥାର୍ଡ ପାଟି ଫ୍ୟାକ୍ଟ ଚେକିଙ୍ଗ ପ୍ରୋଗ୍ରାମ୍‌’ରୁ ବାଦ୍‌ ଦେଇଥିଲେ ମଧ୍ୟ ଅତି ଅପ୍ରତ୍ୟାଶିତ ଭାବେ ଫେସବୁକ୍‌ ଆମେରିକା ରାଷ୍ଟ୍ରପତିଙ୍କ ପୋଷ୍ଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସେହିପରି ଟ୍ବିଟର ମଧ୍ୟ ଟ୍ରମ୍ପ୍‌ଙ୍କର ଟ୍ବିଟ୍‌ ଉପରେ ରିଟ୍ବିଟ୍‌କୁ ଅକାମୀ କରିଦେଇଛି। ଟ୍ବିଟର୍‌ ପକ୍ଷରୁ କୁହାଯାଇଛି ଯେ ଟ୍ରମ୍ପ୍‌ଙ୍କ ଏଭଳି ଟ୍ବିଟ୍‌ ଏହାର ନିୟମକୁ ଉଲ୍ଲଂଘନ କରୁଛି।

ସମ୍ବନ୍ଧିତ ଖବର