ଭିନ୍ନକ୍ଷମ ପିଲାକୁ ବିମାନଯାତ୍ରା ମନା ଘଟଣା : ଦୁଃଖ ପ୍ରକାଶ କଲେ ଇଣ୍ଡିଗୋ ସିଇଓ, ଇଲେକ୍ଟ୍ରିକ ହ୍ବିଲଚେୟାର ଉପହାର ଦେବାକୁ ପ୍ରସ୍ତାବ ଦେଲେ

ନୂଆଦିଲ୍ଲୀ : ବିମାନସେବା କମ୍ପାନି ଇଣ୍ଡିଗୋ ନିଜ ବିମାନରେ ଜଣେ ଭିନ୍ନକ୍ଷମ ପିଲାକୁ ଚଢିବାକୁ ମନା କରିବା ମାମଲା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଘଟଣାରେ ଖୋଦ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ହସ୍ତକ୍ଷେପ କରିବାକୁ ସଂକେତ ଦେଇଛନ୍ତି ।

ଘଟଣା ଏବେ ଜଟିଳ ଆକାର ଧାରଣ କରୁଥିବା ଦେଖି ଇଣ୍ଡିଗୋ ସିଇଓ ରଣଞ୍ଜୟ ଦତ୍ତା ଏଥିପାଇଁ ଦୁଃଖ ପ୍ରକାଶ କରିଛନ୍ତି । ଏହା ସହିତ ସଂପୃକ୍ତ ଭିନ୍ନକ୍ଷମ ପିଲା ପାଇଁ ଏକ ଇଲେକ୍ଟ୍ରିକ୍ ହ୍ବିଲଚେୟାର କିଣିଦେବାକୁ ପ୍ରସ୍ତାବ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ରାଞ୍ଚି ଏୟାରପୋର୍ଟରେ ଜଣେ ଭିନ୍ନକ୍ଷମ ପିଲା ଓ ତାସହିତ ଥିବା ତାହାର ପିତାମାତାଙ୍କୁ ଇଣ୍ଡିଗୋ ବିମାନରେ ଚଢିବାକୁ ଅନୁମତି ଦିଆଯାଇନଥିଲା । ସେ ଅସ୍ବାଭାବିକ ଆଚରଣ କରୁଥିବା ଦର୍ଶାଇ ତାକୁ ଅନୁମତି ଦିଆଯାଇନଥିଲା । ସେ ଯାତ୍ରୀମାନଙ୍କ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ଇଣ୍ଡିଗୋର ପ୍ରତିନିଧି ଦର୍ଶାଇଥିଲେ । ଏ ନେଇ ଯାତ୍ରୀମାନେ କୌଣସି ଆପତ୍ତି ଦେଖାଇନଥିଲେ ବି ସେ ସଂପୃକ୍ତ ପିଲାକୁ ଚଢିବାକୁ ଦେଇନଥିଲେ ।

ଏ ସଂପର୍କରେ ଅଭିନନ୍ଦନ ମିଶ୍ର ନାମକ ଜଣେ ବ୍ୟକ୍ତି ଟୁଇଟ କରି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଟ୍ୟାଗ୍ କରିବାପରେ ସେ ଏ ଘଟଣା ଅକ୍ଷମଣୀୟ ବୋଲି କହିବା ସହ ହସ୍ତକ୍ଷେପ କରିବାକୁ ପ୍ରତିଶ୍ରୁତି ଦେଇଥିଛନ୍ତି ।

ସମ୍ବନ୍ଧିତ ଖବର