ବଢୁଛି କାରଖାନାରେ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା: ପ୍ରତି ୧୫ ସେକେଣ୍ଡରେ ଯାଉଛି ଜଣଙ୍କର ଜୀବନ

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟରେ ଶିଳ୍ପ ଦୁର୍ଘଟଣା ଯୋଗୁଁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ୨୦୧୯ ମସିହାରେ ୩୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୨୦ ରେ ଏହି ସଂଖ୍ୟା ୪୬କୁ ବୃଦ୍ଧି ପାଇଛି। ଲକଡାଉନ ସମୟରେ ଅନେକ କାରଖାନା ବନ୍ଦ ରହିଥିଲେ ବି କାରଖାନା ଖୋଲିବା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଶ୍ରମିକଙ୍କ ଜୀବନ ଯାଇଛି |

ସରକାରୀ ତଥ୍ୟ ଅନୁଯାୟୀ, ୨୦୧୯ ରେ ୫୪୫ଟି କାରଖାନାରେ ଦୁର୍ଘଟଣା ମାମଲା ରୁଜୁ ହୋଇଥିଲା, ଯେଉଁଥିରେ ୩୨ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା । ଏକ ଆକଳନ ଅନୁଯାୟୀ, ୨୦୧୦ରେ, କାରଖାନାରେ ଦୁର୍ଘଟଣା ହେତୁ ୧୨୧ ଜଣ ପ୍ରାଣ ହରାଇଥିବାବେଳେ ୨୦୧୨ ରେ ୭୮ ଜଣ ଏବଂ ୨୦୧୮ରେ ୪୨ ଜଣ ଶ୍ରମିକଙ୍କ ପ୍ରାଣ ହରାଇଥିଲେ। ୨୦୧୯ ପରିସଂଖ୍ୟାନ ରିପୋର୍ଟ ଅନୁଯାୟୀ, ଦିଲ୍ଲୀରେ ୪୯୩, ମହାରାଷ୍ଟ୍ରରେ ୨୧୮, ମଧ୍ୟପ୍ରଦେଶରେ ୯୧, ହରିୟାଣାରେ ୯୧ ଏବଂ ଉତ୍ତରପ୍ରଦେଶରେ ୬୯ଟି ଶିଳ୍ପ ଦୁର୍ଘଟଣା ହୋଇଛି। ଭାରତରେ ୩୯୦୦ ଶ୍ରମିକ ଶିଳ୍ପ ଦୁର୍ଘଟଣାରେ ଆହତ ହୋଇଥିଲେ, ସେଥିମଧ୍ୟରୁ ୫୦୦ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଆଉ ଶିଳ୍ପ ଦୁର୍ଘଟଣା ହେତୁ ପ୍ରତି ୧୫ ସେକେଣ୍ଡରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟୁଛି |

ତେବେ ଓଡ଼ିଶାରେ କାରଖାନା ଦୁର୍ଘଟଣା ହ୍ରାସ ତଥା ଶ୍ରମିକମାନଙ୍କୁ ସୁରକ୍ଷା ଦେବା ପାଇଁ ସରକାର ଏକ ଆଇନ ପ୍ରଣୟନ କରିଛନ୍ତି। ତେବେ ଏହି ନିୟମକୁ ସଠିକ୍ ଭାବରେ ପାଳନ ନକରିବାର ଅଭିଯୋଗ ଆସିଛି। କାରଖାନାରେ ଦୁର୍ଘଟଣା ହେଲେ ଶ୍ରମିକଙ୍କ ମୃତ୍ୟୁରେ ସରକାର ଏହାର ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ସ୍ୱରୂପ କିଛି ଦିନ ପାଇଁ କାରଖାନାକୁ ବନ୍ଦ କରି ଦେଉଛନ୍ତି । ଅନେକ କାରଖାନାର ଅଧିକାରୀ ଶ୍ରମିକଙ୍କ ସୁରକ୍ଷା ଦେଉନଥିବାର ଶ୍ରମିକ ନେତାମାନେ ଅଭିଯୋଗ କରିଛନ୍ତି |

ସମ୍ବନ୍ଧିତ ଖବର