ମୁମ୍ବାଇ : ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ଵାର ଇସ୍ତଫା ଦେବା ପରେ ଏବେ ସମସ୍ତଙ୍କ ଆଖି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କ ଉପରେ । ଆଉ କିଛି ସମୟପରେ ସେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ସେ ନିଜର ଇସ୍ତଫା ବିଷୟରେ ଘୋଷଣା କରିବାର ସମ୍ଭାବନା ରହିଛି । କିଛି ସମୟ ପୂର୍ବେ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ଵାର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କୁ ନିଜର ଇସ୍ତଫା ପ୍ରଦାନ କରିଥିଲେ ।
ଆସନ୍ତା କାଲି ଅପରାହ୍ଣ ୫ଟା ସୁଦ୍ଧା ଆସ୍ଥା ଭୋଟ ହେବ ବୋଲି ସୁପ୍ରିମକୋର୍ଟ ଧାର୍ଯ୍ୟ କରିବା ପରେ ଆଶା କରାଯାଉଥିଲା ଯେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଇସ୍ତଫା ଦେବେ । କାରଣ ଆସ୍ଥାଭୋଟରେ ଜିତିବା ପାଇଁ ଫଡନବୀସ ସରକାରଙ୍କ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ ।
ଗତ ଶନିବାରଦିନ ଅଜିତ ପାଓ୍ଵାର ବିଜେପି ସହ ହାତ ମିଳାଇବା ପରେ ଏନସିପି ତରଫରୁ ତାଙ୍କୁ ବିଧାୟକ ଦଳ ନେତା ପଦରୁ ହଟାଇଦିଆଯାଇଥିଲା । ଏହା ସହିତ ଅଜିତଙ୍କ ସହିତ ଥିବା ବିଦ୍ରୋହୀ ବିଧାୟକମାନେ ପୁଣି ଏନସିପିକୁ ଫେରିଯିବା ପରେ ଅଜିତଙ୍କ ରାଜନୈତିକ ଭବିଷ୍ୟତ ପ୍ରତି ବିପଦ ସୃଷ୍ଟି ହୋଇଛି ।
ଆଉ କିଛି ସମୟ ପରେ ଫଡନବୀସଙ୍କ ସାମ୍ବାଦିକ ସମ୍ମିଳନୀ, ଇସ୍ତଫା ଘୋଷଣା କରିପାରନ୍ତି
/sambad/media/post_attachments/wp-content/uploads/2019/11/DEVNDRA.jpg)