ମୁମ୍ବାଇ: ମହାରାଷ୍ଟ୍ରରେ ମହାୟୁତିର ମହାବିଜୟ ପରେ ରାଜ୍ୟରେ କିଏ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବ ସେ ନେଇ ଚର୍ଚ୍ଚା ଚାଲିଛି। ଏଭଳି କଳ୍ପନାଜଳ୍ପନା ମଧ୍ୟରେ ଫଡ଼ନାବିସ ଆଜି ସନ୍ଧ୍ୟାରେ ଦିଲ୍ଲୀ ଗସ୍ତ କରିଛନ୍ତି। ଦିଲ୍ଲୀରେ ସେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ଦଳର ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଆଲୋଚନା କରିବେ। ଏହି ବୈଠକରେ ଶିବସେନା ନେତା ତଥା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଏନ୍ସିପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଏହି ବୈଠକ ପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରେ କିଏ ବସିବେ ତାହା ସ୍ପଷ୍ଟ ହେବ ବୋଲି ଚର୍ଚ୍ଚା ହେଉଛି। ଏଭଳି ସ୍ଥିତିରେ ଅଜିତ ପାୱାର ମୁଖ୍ୟମନ୍ତ୍ରୀ ପଦ ଲାଗି ବିଜେପିର ପ୍ରସ୍ତାବକୁ ସମର୍ଥନ କରିଛନ୍ତି।
ବିଜେପିର ଶୀର୍ଷ ନେତୃତ୍ୱ ସୋମବାର ଫଡନାବିସଙ୍କ ନାମକୁ ମଞ୍ଜୁରି ଦେଇଛନ୍ତି ଏବଂ ଏହି ପ୍ରସ୍ତାବକୁ ସିନ୍ଦେଙ୍କ ନେତୃତ୍ୱାଧୀନ ମେଣ୍ଟ ସହଯୋଗୀ ଶିବସେନା ଓ ପାୱାରଙ୍କ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍ସିପି)ର ଅନୁମୋଦନ ମଧ୍ୟ ମିଳିଛି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ତେବେ ଶିବସେନାର ଜଣେ ବରିଷ୍ଠ ନେତା କହିଛନ୍ତି, ଫଡନାବିସଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ଆମ ସହ କୌଣସି ଆଲୋଚନା ହୋଇନାହିଁ ଏବଂ ଆମ ଦଳ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ନାମ ଉପରେ ସହମତି ପ୍ରକାଶ କରିନାହିଁ। ସିନ୍ଦେ ଗତ ୩୬ ଘଣ୍ଟା ଧରି ବିଜେପି ସହ ଆଲୋଚନା କରୁଥିବା ବେଳେ ଏକ ସୂତ୍ରରୁ ପ୍ରକାଶ ଯେ ଶିବସେନାକୁ ପ୍ରାୟ ୧୨ଟି ମନ୍ତ୍ରୀ ପଦ ମିଳିବା ସହ ତାଙ୍କୁ କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦିଆଯାଇପାରେ। ଏନ୍ସିପି ପାଖରେ ପାଖାପାଖି ୧୦ଟି ମନ୍ତ୍ରିପଦ ରହିବ ବୋଲି କୁହାଯାଉଛି।
ଆଦିତ୍ୟ ଠାକ୍ରେ ନେତା ନିର୍ବାଚିତ
ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶିବସେନା (ୟୁବିଟି) ସମେତ ମହା ଅଘାଡ଼ି ବିକାଶ ମେଣ୍ଟର ଶୋଚନୀୟ ପରାଜୟ ହୋଇଛି। ଏଭଳି ସ୍ଥିତିରେ ଆଜି ଶିବସେନା (ୟୁବିଟି) ଦଳର ବିଧାୟକମାନଙ୍କର ଏକ ବୈଠକ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଦିତ୍ୟ ଠାକରେଙ୍କୁ ଉଭୟ ବିଧାନସଭା ଏବଂ ବିଧାନ ପରିଷଦ ପାଇଁ ଦଳର ନେତାଭାବେ ଚୟନ କରାଯାଇଛି। ଭାସ୍କର ଯାଦବଙ୍କୁ ଶିବସେନା(ୟୁବିଟି)ର ବିଧାୟକ ଦଳ ନେତା ଏବଂ ସୁନୀଲ ପ୍ରଭୁଙ୍କୁ ମୁଖ୍ୟ ସଚେତକ ଭାବେ ଚୟନ କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ସମେତ ମହାରାଷ୍ଟ୍ରର ମନ୍ତ୍ରିପରିଷଦ ପାଇଁ ସର୍ବାଧିକ ଅନୁମୋଦିତ ସୀମା ହେଉଛି ୪୩। ୧୩୨ ବିଧାୟକ ଥିବା ବିଜେପି ନିଜ ପାଇଁ ୨୧ଟି ମନ୍ତ୍ରୀ ପଦ ରଖିବାର ସମ୍ଭାବନା ରହିଛି। ଗୃହ, ଅର୍ଥ, ନଗର ଉନ୍ନୟନ ଓ ରାଜସ୍ୱ ବିଭାଗ ପରି ଯେଉଁ ୪ଟି ବିଭାଗକୁ ବିଜେପି ବଜାୟ ରଖିବାକୁ ଚାହୁଥିଲା, ତାହାକୁ ଏବେ ମେଣ୍ଟ ସହଯୋଗୀଙ୍କ ସହ ବାଣ୍ଟି ଦିଆଯାଇପାରେ। ତେବେ ବିଜେପି ଆଭ୍ୟନ୍ତରୀଣ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଜେପି ଗୃହ ଓ ଅର୍ଥ ଉପରେ ଜୋର ଦେଇପାରେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସନ୍ଧ୍ୟାରେ ଦିଲ୍ଲୀରେ ଶିନ୍ଦେ, ଫଡନାଭିସ ଓ ପାୱାରଙ୍କ ସହ ଏକ ବୈଠକ କରି କ୍ଷମତା ବଣ୍ଟନ ଓ କ୍ୟାବିନେଟ ଗଠନ ଉପରେ ଆଲୋଚନା କରିଛନ୍ତି। ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଦଳର ସ୍ୱାର୍ଥ ବଜାୟ ରଖି ସହଯୋଗୀଙ୍କ ଦାବି ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପିକୁ ସର୍ବାଧିକ ୧୩୨ ଆସନ ମିଳିଛି। ଶିବସେନା ୫୭ଟି ଆସନ ଏବଂ ଏନ୍ସିପି ୪୧ଟି ଆସନରେ ବିଜୟୀ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Fadnavis.jpg)