ମୁମ୍ବାଇ: ଉଦ୍ଧବ ଶିବସେନା (ୟୁବିଟି) ମୁଖ୍ୟ ଏବଂ ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ  ଭାରତୀୟ ଜନତା ପାର୍ଟି (ବିଜେପି)କୁ କଡ଼ା ସମାଲୋଚନା କରିଛନ୍ତି। ପୁଣେ କାର୍ଯ୍ୟରତ ସାମ୍ବାଦିକ ସଂଘ ଦ୍ୱାରା ଆୟୋଜିତ ଏକ ଆଲୋଚନା କାର୍ଯ୍ୟକ୍ରମରେ ଭାଷଣ ଦେଇ ଠାକରେ କହିଛନ୍ତି ଯେ, ବିଜେପି ମହାରାଷ୍ଟ୍ର କିମ୍ବା କେନ୍ଦ୍ରରେ ଶାସନ କରିବାକୁ ଅକ୍ଷମ।

Advertisment

ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କୁ 'ଦୁର୍ବଳ ନେତା' ବୋଲି କହିଛନ୍ତି। ଫଡନବୀସ ବ୍ୟାପକ ଦୁର୍ନୀତିକୁ ରୋକିବାରେ ବିଫଳ ହୋଇଛନ୍ତି।ରାଜ୍ୟରେ ଏବ ଜଣେ ଦୁର୍ବଳ ମୁଖ୍ୟମନ୍ତ୍ରୀଙ୍କ ଶାସନ ଚାଲିଥିବା ସେ କଟାକ୍ଷ କରିଛନ୍ତି।

ଠାକରେ କହିଛନ୍ତି ଯେ ରାଜ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ବିଜେପି ନେତୃତ୍ୱାଧୀନ ମହାୟୁତି ସରକାରର ପ୍ରଚଣ୍ଡ ବହୁମତ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଫଡନବୀସ ଅସହାୟ ମନେ ହେଉଛନ୍ତି। ଅନେକ ଦୁର୍ନୀତି ମାମଲା ସତ୍ତ୍ୱେ, କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।

ସରକାର ସମ୍ପ୍ରତି ପ୍ରବଳ ବର୍ଷା ଯୋଗୁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସହାୟତା ଯୋଗାଇବାରେ ବିଫଳ ହୋଇଛନ୍ତି। ମୁଁ ମୁଖ୍ୟମନ୍ତ୍ରୀ ଥିବା ସମୟରେ, ଚାଷୀଙ୍କ ଋଣ ଛାଡ କରିଥିଲି, କିନ୍ତୁ ବର୍ତ୍ତମାନର ସରକାର ଏପର୍ଯ୍ୟନ୍ତ କୌଣସି ଘୋଷଣା କରିନାହାନ୍ତି।

ହିନ୍ଦୁତ୍ୱ ପ୍ରସଙ୍ଗରେ ବିଜେପି ଉପରେ ଆକ୍ରମଣ କରି ଠାକରେ କହିଛନ୍ତି ଯେ, ତାଙ୍କ ଦଳକୁ ବିଜେପିଠାରୁ ହିନ୍ଦୁତ୍ୱର ପ୍ରମାଣପତ୍ରର ଆବଶ୍ୟକତା ନାହିଁ।ଆମର ହିନ୍ଦୁତ୍ୱ ପ୍ରଗତିଶୀଳ। ବିଜେପି ଦେଶ ଭିତରେ ପ୍ରାଚୀର ନିର୍ମାଣ କରୁଛି ଏବଂ ଘୃଣାର ପରିବେଶ ସୃଷ୍ଟି କରୁଛି। ଭାରତ ଏକ ସୁନ୍ଦର ଦେଶ, କିନ୍ତୁ ଏହି ଲୋକମାନେ ଦେଶକୁ ନର୍କରେ ପରିଣତ କରିଛନ୍ତି।

ସେ କହିଛନ୍ତି, କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର କଶ୍ମୀର ଏବଂ ମଣିପୁର ଭଳି ସମ୍ବେଦନଶୀଳ ପ୍ରସଙ୍ଗର ସମାଧାନ କରିବାରେ ବିଫଳ ହୋଇଛନ୍ତି ଏବଂ ଦେଶକୁ ଏକଛତ୍ରବାଦ ରାସ୍ତାରେ ନେଉଛନ୍ତି।

କଂଗ୍ରେସ ଏବଂ ଏନସିପି ସହିତ ମେଣ୍ଟ ଯୋଗୁ ସେ ହିନ୍ଦୁତ୍ୱ ପରିତ୍ୟାଗ କରିଥିବା ଅଭିଯୋଗର ଜବାବ ଦେଇ ଠାକରେ କହିଛନ୍ତି ଯେ, ବିଜେପି ନିଜେ ମୁସଲମାନମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ "ସୌଗାତ-ଏ-ମୋଦୀ" ଅଭିଯାନ ଆରମ୍ଭ କରିଥିଲା। ସେ ପ୍ରଶ୍ନ କରିଛନ୍ତି, ଯଦି ବିଜେପି ଆମକୁ ହିନ୍ଦୁତ୍ୱକୁ ନେଇ ଦୋଷ ଦିଏ, ତେବେ ଚନ୍ଦ୍ରବାବୁ ନାଇଡୁ ଏବଂ ନୀତିଶ କୁମାରଙ୍କ ପରି ବିଜେପିର ସହଯୋଗୀମାନେ କଠୋର ହିନ୍ଦୁତ୍ୱର ସମର୍ଥକ କି ବୋଲି ସେ ପ୍ରଶ୍ନ କରିଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଟାର୍ଗେଟ କରି ଠାକରେ କହିଛନ୍ତି, ବିଜେପି ନେତାମାନେ ପାକିସ୍ତାନ ବିରୁଦ୍ଧରେ ବଡ଼ ବଡ଼ କଥା କୁହନ୍ତି, କିନ୍ତୁ ବାସ୍ତବତା ଅନ୍ୟ କିଛି।

ଦେଶରେ ବ୍ୟାପୁଥିବା ବିଭାଜନକାରୀ ରାଜନୀତିକୁ ରୋକିବା ପାଇଁ ଆମେ କାମ କରୁଛୁ।  ମହାରାଷ୍ଟ୍ରର ଲୋକମାନଙ୍କୁ ବିଜେପିର ନୀତି ବିରୁଦ୍ଧରେ ସତର୍କ ରହିବାକୁ ପଡିବ ‌ବୋଲି ସେ କହିଛନ୍ତି।